Unknown

 

 

 

 

 

 

 

 

ବଡ଼ କିଏ ?

(ଦ୍ୱିତୀୟ ଭାଗ)

ଶ୍ରୀ ଉଦୟନାଥ ଷଡ଼ଙ୍ଗୀ

 

ସୂଚୀପତ୍ର

 

୧.

ତିନି ଦେବତା

୨.

ସାହେବ ଓ ମହାତ୍ମାଗାନ୍ଧି

୩.

ତିନି ବନ୍ଧୁ

୪.

ସାମନ୍ତ ଚନ୍ଦ୍ରଶେଖର

୫.

ବଇଜୁ ବାଇଆ

୬.

ରାଜ୍ୟପାଳ ଓ ଗୁରୁଦେବ

୭.

ହରିଦାସ ଓ ହରିବାବୁ

୮.

ତିନି ଭାଇ

୯.

ସୁଧନ୍ୱା ଓ ବିରୋଚନ

୧୦.

ହରି ହେ, ରକ୍ଷାକର

୧୧.

ରାଜା ଓ ବଂଶୀବାଦକ

୧୨.

ପରର ଯେ ଚିନ୍ତଇ ମନ୍ଦ

୧୩.

ବହିପାଠ ଓ ହାତପାଠ

୧୪.

ଜ୍ଞାନ ଓ ଧନ

୧୫.

ଆଲେକ୍‌ଜାଣ୍ଡର ଓ ଦସ୍ୟୁ

Image

 

ତିନି ଦେବତା

 

ଦେବରାଜ ଇନ୍ଦ୍ରଙ୍କ ଦରବାରରେ ବଡ଼ ସଭା ବସିଛି । ସ୍ୱର୍ଗରୁ ସମସ୍ତ ଦେବତା, ଦେବର୍ଷି, ମର୍ତ୍ତ୍ୟରୁ ରାଜର୍ଷି, ମହର୍ଷି ଆସି ରୁଣ୍ଡ ହୋଇଛନ୍ତି ।

 

ସଭାପତି ଇନ୍ଦ୍ର ଆସି ଆସନ ଗ୍ରହଣ କରିବା ସଙ୍ଗେ ସଙ୍ଗେ ପ୍ରାଥମିକ ସଙ୍ଗୀତ ବୋଲାଗଲା । ତାହା ବିଷ୍ଣୁଙ୍କ ବନ୍ଦନା । ସେହି ବନ୍ଦନା ଶୁଣି ଉପସ୍ଥିତ ଦେବତା ଓ ୠଷିମାନଙ୍କ ମଧ୍ୟରୁ ଦଳେ ପାଟି କରି ଉଠିଲେ, ‘‘ଆଗ ବିଷ୍ଣୁଙ୍କ ବନ୍ଦନା କାହିଁକି ବୋଲାଗଲା ? ବ୍ରହ୍ମା ସୃଷ୍ଟିକର୍ତ୍ତା, ବ୍ରହ୍ମା ସବୁଠାରୁ ବଡ଼ । ତେଣୁ ପ୍ରଥମେ ପିତାମହ ବ୍ରହ୍ମାଙ୍କ ବନ୍ଦନା ବୋଲାଯିବା ଉଚିତ ଥିଲା ।’’

 

ଆଉ ଦଳେ ଉଠି ପ୍ରତିବାଦ କଲେ, ‘‘ନା, ବ୍ରହ୍ମା ବଡ଼ ନୁହନ୍ତି, ଶିବ ବଡ଼ । ଶିବ ଅର୍ଥ ମଙ୍ଗଳ । ସେ ସମସ୍ତ ମଙ୍ଗଳର ମୂଳପିଣ୍ଡ । ସେ ପୁଣି ମହାକାଳ, ରୁଦ୍ର, ସଂହାରକର୍ତ୍ତା । ତାଙ୍କ ଅପେକ୍ଷା ବଡ଼ ଆଉ କେହି ହୋଇ ନ ପାରନ୍ତି । ପ୍ରଥମେ ତାଙ୍କର ବନ୍ଦନା ଗାଇ ସଭା କାର୍ଯ୍ୟ ଆରମ୍ଭ ହେଉ ।’’

 

ଏଥିରେ ମଧ୍ୟ ସମସ୍ତେ ଏକମତ ହୋଇପାରିଲେ ନାହିଁ । ଶେଷରେ ଦଳେ ଉଠି ପ୍ରତିବାଦ କଲେ, ‘‘ବିଷ୍ଣୁ ହିଁ ବଡ଼; ବ୍ରହ୍ମା ନୁହନ୍ତି କି ଶିବ ନୁହନ୍ତି । ତେଣୁ ବିଷ୍ଣୁଙ୍କ ବନ୍ଦନା ପ୍ରଥମେ ଗାଇବାଦ୍ୱାରା ଭଲ ହୋଇଛି ।’’

 

ଏହି ବାଦ ପ୍ରତିବାଦରୁ କଳିଗୋଳ ଆରମ୍ଭ ହୋଇଗଲା । ଦେବରାଜ ଇନ୍ଦ୍ର ବଡ଼ ଅଡ଼ୁଆରେ ପଡ଼ିଲେ ।

 

ଶେଷକୁ ସେ ଘୋଷଣା କଲେ, ‘‘ବ୍ରହ୍ମା, ଶିବ, ବିଷ୍ଣୁ—ଏ ତିନିଙ୍କ ମଧ୍ୟରେ କିଏ ବଡ଼, ତାହା ପରୀକ୍ଷା କରି ଦେଖିବାକୁ ହେବ।’’

 

ସେ ମହର୍ଷି ଭୃଗୁଙ୍କୁ ଏ କାର୍ଯ୍ୟରେ ନିଯୁକ୍ତ କଲେ । ତାଙ୍କୁ କହିଲେ, ‘‘ତୁମେ ଯାଇ ତିନି ଦେବତାଙ୍କୁ ସାକ୍ଷାତ କର । ପରୀକ୍ଷା କରି ଦେଖ, କିଏ ବଡ଼ । ତୁମ ସିଦ୍ଧାନ୍ତ ଅନୁସାରେ ଯେ ବଡ଼ ହେବେ, ଆମେ ତାଙ୍କୁ ପ୍ରଧାନ ବୋଲି ଗ୍ରହଣ କରିବୁ ।’’

 

ଭୃଗୁ ପ୍ରଥମେ ବ୍ରହ୍ମଲୋକକୁ ଗଲେ । ସେ ଦେଖିଲେ, ଚତୁର୍ମୁଖ ବ୍ରହ୍ମା ଯୋଗାସନରେ ବସି ତପସ୍ୟା କରୁଅଛନ୍ତି । ଭୃଗୁ ସେଠାରେ ଚୁପ୍‌ହୋଇ ଠିଆ ହେଲେ ।

 

ବ୍ରହ୍ମାଙ୍କ ତପସ୍ୟା ଭାଙ୍ଗିଲା । ସେ ଆଖି ଫିଟାଇ ଦେଖିଲେ, ଆଗରେ ଭୃଗୁ ଠିଆ ହୋଇଛନ୍ତି । ତାଙ୍କର ଏତେ ଗର୍ବ ଯେ, ସେ ସଂସାରର ସୃଷ୍ଟିକର୍ତ୍ତା ପିତାମହ ବ୍ରହ୍ମାଙ୍କ ଗୋଡ଼ ତଳେ ପଡ଼ିଲେ ନାହିଁ, ଏପରି କି ମୁଣ୍ଡ ନୁଆଇଁ ନମସ୍କାର ବି କଲେ ନାହିଁ । ଏହି ଅନ୍ୟାୟ ଆଚରଣ ଦେଖି ବ୍ରହ୍ମା ଖୁବ୍ ରାଗିଗଲେ । ସେ ପାଟି କରି କହିଲେ, ‘‘ତୋର ଅଭଦ୍ରତା ଅସହ୍ୟ । ମାନ୍ୟଲୋକଙ୍କୁ ଯେ ସମ୍ମାନ ଦେଖାଇବାକୁ ହୁଏ, ତାହା ତୁ ଶିଖି ନାହୁଁ । ଏ ବ୍ରହ୍ମଲୋକରେ ତୋର ସ୍ଥାନ ନାହିଁ । ଶୀଘ୍ର ଏଠାରୁ ଚାଲିଯାଅ ।’’

 

ଏହା ଶୁଣି ଭୃଗୁ ବହୁତ କାକୁତି ମିନତି କରି ନିଜ ଦୋଷ ପାଇଁ କ୍ଷମା ମାଗିଲେ । ତାହାପରେ ବ୍ରହ୍ମାଙ୍କୁ ସନ୍ତୁଷ୍ଟ କରି ସେଠାରୁ ଫେରି ଆସିଲେ ।

 

ସେ ଯାଇ କୈଳାସ କନ୍ଦରରେ ଶିବଙ୍କ ପାଖରେ ପହଞ୍ଚିଲେ । ଶିବ ସେତେବେଳେ ପାର୍ବତୀଙ୍କ ସହିତ ଖୁସି ଗପରେ ତନ୍ମୟ ଥିଲେ । ଭୃଗୁ ଆଗରେ ଠିଆ ହୋଇ ଥରେ ଦୁଇ ଥର ଡାକ ଦେଲେ । ଶିବ ନ ଶୁଣିବାରୁ ସେ ଟିକିଏ ପାଟି କରି କହିଲେ, ‘‘ମୁଁ ବହୁତ ବେଳୁ ଆସି ଠିଆ ହୋଇଛି । ଆପଣଙ୍କୁ ଡାକୁଛି, ଆପଣ ଶୁଣୁ ନାହାନ୍ତି କାହିଁକି ?’’

 

ଭୃଗୁଙ୍କ ଗର୍ଜନ ଶୁଣି ଶିବଙ୍କ ମୁଣ୍ଡକୁ ରାଗ ଚହଟିଗଲା । ସେ ତ୍ରିଶୁଳ ଧରି ତାଙ୍କୁ ମାରି ଗୋଡ଼ାଇଲେ । ପାଟି କରି କହିଲେ, ‘‘ତୁ ମୋ ପୁରକୁ ଆସି ମୋତେ ପୁଣି ଭର୍ତ୍ସନା କରୁଛୁ ? ଜାଣି ନାହୁ ମୁଁ କିଏ ? ଇଚ୍ଛା କଲେ ମୁହୂର୍ତ୍ତକ ମଧ୍ୟରେ ଏ ସମଗ୍ର ବିଶ୍ୱ ଧ୍ୱଂସ କରିଦେବି ।’’

 

ଭୃଗୁ ଶିବଙ୍କ ରାଗ ଦେଖି ଡରିଗଲେ । ସେ ତାଙ୍କ ଗୋଡ଼ ତଳେ ପଡ଼ି ବହୁତ ପ୍ରକାର ସ୍ତବ ସ୍ତୁତି କଲେ । ଶିବ ତ ଆଶୁତୋଷ—ସଙ୍ଗେ ସଙ୍ଗେ ତାଙ୍କ କ୍ରୋଧ ଶାନ୍ତ ପଡ଼ିଗଲା ।

 

ଭୃଗୁ ସେଠାରୁ ବିଦାୟ ଘେନି ବିଷ୍ଣୁଲୋକକୁ ଗଲେ । ସେଠାରେ ସେ ଦେଖିଲେ, ବିଷ୍ଣୁ ଅନନ୍ତ ସାପ ଉପରେ ନିଘୋଡ଼ ନିଦରେ ଶୋଇଅଛନ୍ତି । ଲକ୍ଷ୍ମୀ ପାଦ ତଳେ ବସି ପାଦ ମଞ୍ଚାଳୁ ଅଛନ୍ତି । ମୁଣ୍ଡ ପାଖରେ ସରସ୍ୱତୀ ବସି ବୀଣା ବଜାଉଛନ୍ତି ।

 

ଭୃଗୁ ଯାଇ ବିଷ୍ଣୁଙ୍କୁ ଡାକିଲେ । ନିଘୋଡ଼ ନିଦ ତ—ସେ ଡାକରେ ନିଦ ଭାଙ୍ଗିଲା ନାହିଁ । ଭୃଗୁ ପୁଣି ବଡ଼ ପାଟିରେ ଡାକିଲେ, ଗର୍ଜ୍ଜନ ତର୍ଜ୍ଜନ କଲେ; ତଥାପି ବିଷ୍ଣୁ ଉଠିଲେ ନାହିଁ । ଭୃଗୁଙ୍କ ମନରେ ରାଗ ହେଲା । ସେ ତମତମ ହୋଇଯାଇ ତାଙ୍କ ବାମ ପାଦରେ ବିଷ୍ଣୁଙ୍କ ଛାତିରେ ଗୋଟାଏ ଶକତ ଗୋଇଠା ବସାଇ ଦେଲେ । ବଜ୍ର ପଡ଼ିଲା ଭଳି ଶବ୍ଦ ହେଲା ।

 

Image

 

ସେଇ ଗୋଇଠା ମାଡ଼ରେ ବିଷ୍ଣୁଙ୍କ ନିଦ ଭାଙ୍ଗିଗଲା । ସେ ଧଡ଼ପଡ଼ ହୋଇ ଉଠି ବସିଲେ । ଦେଖିଲେ ଆଗରେ ଭୃଗୁ ଋଷି ଠିଆ, ଭୃଗଙ୍କ ପାଦ ତାଙ୍କ ଛାତି ଉପରେ ।

 

ବିଷ୍ଣୁ ବଡ଼ ବ୍ୟସ୍ତ ହୋଇ ଉଠିଲେ । ସେ ଭୃଗୁଙ୍କ ପାଦ ଧରି ଆଗ ଦୁଇ ହାତରେ ଆଉଁସି ଦେଲେ । ସଙ୍ଗେ ସଙ୍ଗେ ସରସ୍ୱତୀଙ୍କ ହାତରେ ଚନ୍ଦନ ମଗାଇ ପାଦରେ ବୋଳିଦେଲେ ।

 

ଭୃଗୁ ଏହା ଦେଖି କାବା ! କହିଲେ ‘‘ଏ କଅଣ ? ଆପଣ ମୋ ପାଦସେବା କାହିଁକି କରୁଛନ୍ତି ? ମୁଁ ଆପଣଙ୍କ ଛାତିରେ ଗୋଇଠା ମାଇଲି—ସେଥିପାଇଁ ଆପଣ ମୋତେ ମାଡ଼ ଦିଅନ୍ତେ କିମ୍ବା ଅନ୍ତତଃ ଗାଳି ଦିଅନ୍ତେ । ତା ନ କରି ଓଲଟି ମୋର ପାଦ ମଞ୍ଚାଳୁ ଅଛନ୍ତି ।’’

 

ବିଷ୍ଣୁ ଅତି ବିନୟରେ କହିଲେ, ‘‘ମହର୍ଷେ ! ମୋ ଦୋଷ କ୍ଷମା କର । ମୁଁ ମୋର କର୍ତ୍ତବ୍ୟ ନ କରି ଶୋଇ ପଡ଼ିଥିଲି । ତୁମେ ଆସି ଗୋଇଠା ମାରି ମୋତେ ଉଠାଇ ଦେଲ । ମୋ ଛାତି ତ ବଜ୍ର ପରି ଟାଣ । ତୁମ କୋମଳ ପାଦକୁ ନିଶ୍ଚୟ କଷ୍ଟ ହୋଇଥିବ । ସେହି କଷ୍ଟ ଦୂର କରିବା ଲାଗି ମୁଁ ପାଦ ଆଉଁସି ଦେଉଛି, ଚନ୍ଦନ ବୋଳୁଛି ।’’

 

କିଛି ସମୟ ପରେ ଭୃଗୁ ସେଠାରୁ ବିଦାୟ ହୋଇ ଆସିଲେ । ଇନ୍ଦ୍ରଙ୍କ ସଭାରେ ଘୋଷଣା କଲେ, ‘‘କହିବା ଲୋକ ବଡ଼ ନୁହେଁ, ସହିବା ଲୋକ ହିଁ ବଡ଼ । ସେହି ଦୃଷ୍ଟିରୁ ବିଷ୍ଣୁ ସବୁଠାରୁ ବଡ଼ । ସବୁ କ୍ଷେତ୍ରରେ ତାଙ୍କର ବନ୍ଦନା ପ୍ରଥମେ ଗାଇବାକୁ ହେବ ।’’

Image

 

ସାହେବ ଓ ମହାତ୍ମାଗାନ୍ଧି

 

୧୯୧୮ ମସିହାର କଥା । ଆମ ଦେଶ ଭାରତବର୍ଷ ସେତେବେଳେ ସ୍ୱାଧୀନ ହୋଇ ନ ଥାଏ । ଇଂରେଜମାନେ ଏ ଦେଶ ଶାସନ କରୁଥାଆନ୍ତି । ସେମାନେ ଗୋରା, ପୁଣି ରାଜା ଜାତିର ଲୋକ । ସେମାନଙ୍କ ମନରେ ଗର୍ବ ବହୁତ ବେଶି । ଆମ ଦେଶର ଲୋକଙ୍କୁ ମୂର୍ଖ, ‘‘କାଲା ଆଦ୍‌ମୀ’’ କହି ଘୃଣା କରନ୍ତି, ନିଜର ପୋଷା କୁକୁରଠାରୁ ବି ହୀନ ମନେ କରନ୍ତି ।

 

କଲିକତା ସହରରେ ଟ୍ରାମଗାଡ଼ିରେ ଅନେକ ଲୋକ ବସି ଯାଉଥାନ୍ତି । ଧନୀ ଗରିବ, ଶିକ୍ଷିତ ଅଶିକ୍ଷିତ, ବୁଢ଼ା ପିଲା । କେହି କାହାକୁ ଚିହ୍ନନ୍ତି ନାହିଁ କି ଜାଣନ୍ତି ନାହିଁ । ଟ୍ରାମଗାଡ଼ି ସ୍ଥାନେ ସ୍ଥାନେ ଠିଆ ହୁଏ । କେତେକ ଲୋକ ସେଥିରୁ ଓହ୍ଲାଇ ଯାଆନ୍ତି, ପୁଣି କେତେକ ନୁଆ ଲୋକ ଚଢ଼ନ୍ତି ।

 

ଟ୍ରାମ ଗୋଟିଏ ସ୍ଥାନରେ ଠିଆହେଲା । ଜଣେ ଠୁରା ଲୋକ ଗାଡ଼ିରେ ଉଠିଲେ । ତାଙ୍କ ପିନ୍ଧା ଲୁଗାଖଣ୍ଡି ଅତି ସାନ, ଆଣ୍ଠୁଯାଏ ପଡ଼ିଥାଏ । ପାଦରେ ଅତି ପୁରୁଣା ଚପଲ ହଳେ । ଦେହରେ ଖଣ୍ଡିଏ ମୋଟ କନାର ଜାମା ଓ ତା ଉପରେ ଚାଦର । ଟ୍ରାମ୍ ଗାଡ଼ିରେ ଉଠି ସେ ଗୋଟିଏ ସ୍ଥାନରେ ବସି ପଡ଼ିଲେ ।

 

ତାଙ୍କ ଆଡ଼କୁ କେହି ଚାହିଁଲେ ନାହିଁ । ଯେ ବା ଚାହିଁଲେ ସେ ମନରେ ଭାବିଲେ, କେଉଁ ମଫସଲର ଗରିବ ଅଶିକ୍ଷିତ ଲୋକଟିଏ; ଆଜିକାଲିର ବେଶ ପୋଷାକ, ରଙ୍ଗ ଢଙ୍ଗ କିଛି ଜାଣେ ନାହିଁ ।

 

କେତେକ ସମୟ ପରେ ଆଉ ଗୋଟିଏ ସ୍ଥାନରେ ଜଣେ ସାହେବ ସେ ଗାଡ଼ି ଭିତରକୁ ଆସିଲେ । ଗାଡ଼ିରେ ଗୁଡ଼ାଏ ‘କାଲା ଆଦ୍‌ମୀ’ଙ୍କୁ ଦେଖି ତାଙ୍କ—ମନ ଖରାପ ହୋଇଗଲା । ମନେ ମନେ ବିରକ୍ତ ହେଲେ; ମାତ୍ର କିଛି କହିପାରିଲେ ନାହିଁ । ସେ ଦେଖିଲେ ନୂଆ ଆସିଥିବା ମଫସଲୀ ଲୋକ ଆଗରେ ଗୋଟିଏ ସ୍ଥାନ ଖାଲି ଅଛି । ସେଇଠାରେ ସାହେବ ବସି ପଡ଼ିଲେ । ଆରାମରେ ବସିବା ଲାଗି ସଙ୍ଗେ ସଙ୍ଗେ ନିଜର ଧୂଳିମାଟି ବୋଳା ଜୋତା ସହ ପାଦ ଦୁଇଟିକୁ ଠୁରା ଲୋକଟିର ଜଙ୍ଘ ଉପରେ ଥୋଇଦେଲେ ।

 

ଏପରି କରିବା ନିତାନ୍ତ ଅନ୍ୟାୟ, ଅସଙ୍ଗତ । ତଥାପି ସାହେବଙ୍କ ମନରେ ଏତେ ଗର୍ବ ଯେ, ସେ ନ୍ୟାୟ ଅନ୍ୟାୟ କଅଣ ତାହା ବିଚାର କଲେ ନାହିଁ । କାରଣ ସେ ଗୋରା; ରାଜା ଜାତିର ଲୋକ ।

 

ମଫସଲୀ ଯାତ୍ରୀଙ୍କୁ ବଡ଼ ଅଡ଼ୁଆ ଲାଗିଲା । ସେ ଧୀର ସ୍ୱରରେ କହିଲେ, ‘‘ଆପଣଙ୍କ ପାଦ ଦୁଇଟା ଉଠାଇ ନିଅନ୍ତୁ ।’’

 

ସାହେବ ସେ କଥା ମୋଟେ ଶୁଣିଲେ ନାହିଁ । ‘କାଲା ଆଦ୍‌ମୀ’ କଥା ଶୁଣିବେ ବା କାହିଁକି? ଆରାମରେ ବସି ଖବରକାଗଜ ପଢ଼ିବାକୁ ଲାଗିଲେ । ଯେଉଁମାନେ ସେ ଗାଡ଼ିରେ ବସିଥିଲେ, ସେମାନେ ଏହା ଦେଖି ମନେ ମନେ ସାହେବ ଉପରେ ବଡ଼ ରାଗିଗଲେ । ମାତ୍ର ଗୋରା ଲୋକ, ତାଙ୍କୁ ପାଟି ଫିଟାଇବାକୁ କାହାରି ସାହସ ହେଲା ନାହିଁ । ପୁଣି ଯେତେବେଳେ ଗୋଟାଏ ମୂର୍ଖ ମଫସଲୀ ଲୋକ ଉପରେ ସାହେବ ଗୋଡ଼ ରଖିଛି, ସେମାନେ କାହିଁକି ବା କଅଣ କହିବାକୁ ଯିବେ-? ସାହେବ ଲୋକଙ୍କ ଶତ୍ରୁ ହେଲେ ବହୁତ ବିପଦ ।

 

ମଫସଲୀ ଲୋକଟି ଦେଖିଲେ, କଥାରେ କିଛି ହେବ ନାହିଁ । ସେ ନିଜ ପାଦ ଦୁଇଟି ଉଠାଇ ସାହେବଙ୍କ କୋଳ ଉପରେ ରଖିଦେଲେ ।

 

ଯାତ୍ରୀମାନେ ଏଥିରେ ମନେ ମନେ ଟିକିଏ ଖୁସି ହେଲେ ।

 

‘କାଲା ଆଦ୍‌ମୀ’ର ଏ ବହପ ଦେଖି ସାହେବଙ୍କ ରକ୍ତ ଗରମ ହୋଇଗଲା । ସେ ସେହି ମଫସଲୀ ଲୋକଙ୍କ ଗାଲରେ ଠାଇ କରି ଗୋଟାଏ ଚଟକଣା ବସାଇ ଦେଲେ ।

 

ଟ୍ରାମରେ ବସିଥିବା ଲୋକେ ଆଉ ସହ୍ୟ କରିପାରିଲେ ନାହିଁ । ଜଣେ ନିରୀହ ମଫସଲୀ ଲୋକକୁ ମାଡ଼ ଦେବାରୁ ସମସ୍ତେ ନିଜ ନିଜ ସ୍ଥାନ ଛାଡ଼ି ସାହେବ ପାଖକୁ ଉଠି ଆସିଲେ-। ସମସ୍ତଙ୍କ ମୁହଁରେ ଏକ କଥା । ସାହେବଙ୍କୁ ମାରି ମାରି ତଳକୁ ଫିଙ୍ଗି ଦିଅ । ଅକାରଣରେ ସେ ଟ୍ରାମର ଜଣେ ଯାତ୍ରୀକୁ କାହିଁକି ମାଡ଼ଦେଲା ?

 

ସବୁ ଲୋକ ଏକଜୁଟ୍ ହୋଇଯିବାରୁ ସାହେବଙ୍କ ତେଜ କମିଗଲା । ସେ ଭୟରେ ଥରିବାକୁ ଲାଗିଲେ । ଲୋକମାନେ ଆସି ତାଙ୍କ ଦେହରେ ହାତ ଦେବାକୁ ଉଦ୍ୟତ । ବିଶୁଦ୍ଧ ଇଂରେଜୀ ଭାଷାରେ ସେହି ମଫସଲୀ ଲୋକଟି ସମସ୍ତଙ୍କ ମୁହଁକୁ ଚାହିଁ ଅତି ନମ୍ରଭାବରେ କହିଲେ, ‘‘ସାହେବ ଅନ୍ୟାୟ କଲା ବୋଲି ଆପଣମାନେ ଅନ୍ୟାୟ କରିବାକୁ ଯାଉଛନ୍ତି କାହିଁକି ? ବାଟରେ ଯାଉ ଯାଉ ଯଦି ଆମକୁ ଗୋଟାଏ କୁକୁର କାମୁଡ଼ିଦିଏ, ତେବେ ଆମେ କଅଣ କୁକୁରକୁ କାମୁଡ଼ିବା ?’’

 

ମଫସଲୀ ଲୋକଟିର ଏ ସୁନ୍ଦର କଥା ଶୁଣି ସମସ୍ତେ ଦବିଗଲେ । ସେମାନେ ଯାହାକୁ ମୂର୍ଖ ବୋଲି ଭାବିଥିଲେ, ସେ ଯେ ଏତେ ବଡ଼ ପଣ୍ଡିତ ଓ ଶିକ୍ଷିତ ବ୍ୟକ୍ତି, ତାହା ଏଇ କଥା ପଦକରୁ ବୁଝିପାରିଲେ । ଏହି ସମୟରେ ଆଉ ଜଣେ ନୂଆ ଯାତ୍ରୀ ସେ ଗାଡ଼ିରେ ଉଠିଲେ । ସେ ଏହି ଲୋକଟିକୁ ଦେଖି ଅତି ଭକ୍ତିର ସହିତ ପ୍ରଣାମ କଲେ ଏବଂ କହିଲେ, ‘‘ଗାନ୍ଧିଜୀ, ଆପଣ କୁଆଡ଼େ ଯାଉଛନ୍ତି ?’’

 

Image

 

‘‘ଗାନ୍ଧିଜୀ’’ ଏହି ଶବ୍ଦଟି ଶୁଣି ଟ୍ରାମଗାଡ଼ିର ସମସ୍ତ ଯାତ୍ରୀ ଚମକି ଉଠିଲେ । ସାହେବ ତ ଯାଇ ତାଙ୍କ ହାତ ଦୁଇଟି ଧରିପକାଇ ବଡ଼ ଅନୁନୟ ହୋଇ କହିଲେ, ‘‘ମୁଁ ବଡ଼ ଅନ୍ୟାୟ କରିଛି, ମୋ ଦୋଷ କ୍ଷମା କରନ୍ତୁ । ମୁଁ ଆଜି ଆପଣଙ୍କ ଆଗରେ ପ୍ରତିଜ୍ଞା କରୁଛି, ଆଉ କୌଣସି ଲୋକକୁ ଏଭଳି ଘୃଣା କରିବି ନାହିଁ ।’’

 

ଗାନ୍ଧିଜୀ ବହୁତ ଦିନ ଆଫ୍ରିକାରେ ରହିଲା ପରେ ସେହି ସମୟରେ ଭାରତକୁ ଫେରିଥାନ୍ତି । ସେ ଆଫ୍ରିକାରେ ଥିବା ଭାରତୀୟଙ୍କ ସୁଖ ସୁବିଧା ପାଇଁ ଆନ୍ଦୋଳନ କରି ପୃଥିବୀବ୍ୟାପୀ ନାମ କରିଥାଆନ୍ତି । ଖବରକାଗଜରେ ପ୍ରାୟ ପ୍ରତିଦିନ ତାଙ୍କ କଥା ପ୍ରକାଶ ପାଉଥାଏ । ଲୋକେ ତାହା ପଢ଼ି ଗାନ୍ଧିଜୀଙ୍କୁ ଜଣେ ବଡ଼ ବୀର ଓ ମହାପୁରୁଷ ବୋଲି ଧରି ନେଇଥାଆନ୍ତି; ମାତ୍ର ତାଙ୍କୁ କେହି ଦେଖି ନ ଥାନ୍ତି କି ଚିହ୍ନି ନ ଥାନ୍ତି । ସେହି ଟ୍ରାମ୍‌ଗାଡ଼ିରେ ଗାନ୍ଧିଜୀଙ୍କୁ ଓ ତାଙ୍କ କାର୍ଯ୍ୟକଳାପ ଦେଖି ଯାତ୍ରୀମାନେ ମୁଗ୍‌ଧ ହୋଇଗଲେ ।

Image

 

ତିନି ବନ୍ଧୁ

 

ତିନି ଜଣ ସାଙ୍ଗ; ଏକା ବୟସର, ବଳ ପରାକ୍ରମ ବି ସମାନ । ଏକାଠି ପିଲାଦିନୁ ଗୋଟିଏ ପରିସ୍ଥିତିରେ ବଢ଼ି ଆସିଛନ୍ତି । ମନେକର ସେମାନଙ୍କ ନାମ ମଧୁ, ସାଧୁ ଓ ରାଧୁ । ତିନିହେଁ ବଡ଼ ହେଲେ । ଘରର ଅବସ୍ଥା ଭଲ ନୁହେଁ, ଚଳିବେ କିପରି ? ଖାଇବେ କଅଣ ? ତେଣୁ ଏକାଠି ଚାକିରି ଖୋଜି ବାହାରିଲେ ।

 

ତିନି ଜଣଯାକଙ୍କ ଭାଗ୍ୟ ଭଲ । ସହରରେ ପହଞ୍ଚିବା ସଙ୍ଗେ ସଙ୍ଗେ ଜଣେ ଧନୀ ମହାଜନଙ୍କ ଘରେ ଚାକିରି ମିଳିଗଲା, ପୁଣି ଏକାଠି, ଏକା ଭଳି ଚାକିରି । ତିନି ଜଣଯାକଙ୍କ ମନ ଭାରି ଖୁସି ।

 

ମହାଜନ ଗଦିରେ ବସିଥିଲେ । ମଧୁ, ସାଧୁ ଓ ରାଧୁ ଏକ ସମୟରେ ଯାଇ ତାଙ୍କ ପାଖରେ ପହଞ୍ଚିଲେ । କହିଲେ, ‘‘ଶୁଣିଲୁଁ, ଆପଣଙ୍କର ତିନି ଜଣ ଗୁମାସ୍ତା ଦରକାର, ଆମକୁ ରଖନ୍ତୁ-।’’

 

ସେମାନଙ୍କ ଯୋଗ୍ୟତା ବୁଝି ସାରି ମହାଜନ ପଚାରିଲେ, ‘‘ତୁମେ କେତେ ଟଙ୍କା ଲେଖାଏଁ ଦରମା ନେବ ?’’

 

ତିନି ଜଣଯାକ କହି ଉଠିଲେ, ‘‘ଆପଣ ଯାହା ଉପଯୁକ୍ତ ବିବେଚନା କରିବେ ।’’

 

ଏ କଥାରେ ମହାଜନ ଖୁସି ହୋଇଗଲେ । କହିଲେ, ‘‘ହଉ ରୁହ; ଦୁଇ ଚାରି ଦିନ ପରେ ତୁମ ଦରମା ଠିକ ହୋଇଯିବ ।’’

 

ଦୁଇ ଚାରି ଦିନ ଗଲା । ମହାଜନ ସେମାନଙ୍କ କାମ ଦେଖିଲେ । ତାହାପରେ ତିନିଙ୍କୁ ପାଖକୁ ଡାକି କହିଲେ, ‘‘ମଧୁ ମାସକୁ କୋଡ଼ିଏ ଟଙ୍କା ପାଇବ, ସାଧୁ ପାଇବ ତିରିଶ ଟଙ୍କା, ଆଉ ରାଧୁର ଦରମା ମାସକୁ ଚାଳିଶ ଟଙ୍କା ।’’

 

Image

 

ଏହା ଶୁଣି ତିନି ବନ୍ଧୁ କାବା । ଏକା ଚାକିରି, ପୁଣି ତିନିଙ୍କର ଯୋଗ୍ୟତା ସମାନ । ଏଥିରେ ଦରମା ଏପରି ପ୍ରଭେଦ ହାରରେ ହେଲା କାହିଁକି ?

 

ମଧୁ ଓ ସାଧୁଙ୍କ ମୁହଁ ବେଶୀ ଫିକା ପଡ଼ିଗଲା । ନୂଆ ଚାକିରି, ଆଉ କହିବେ ବା କଅଣ? ମନରେ ଦୁଃଖ କରି ରହିଲେ ।

 

ସେମାନେ କିଛି ନ କହିଲେ ମଧ୍ୟ ମହାଜନ ସେମାନଙ୍କ ମନ କଥା ବୁଝିପାରିଲେ ।

 

କିଛି ଦିନ ପରେ ମହାଜନ ସେମାନଙ୍କୁ ପାଖକୁ ଡକାଇଲେ । ଏକାଠି ଠିକ କରାଇ କହିଲେ, ‘‘ମୋର ମଫସଲରେ ବିଭିନ୍ନ ମୌଜାରେ ବହୁତ ଧାନ ଜମି ଅଛି । ଚାଷୀମାନେ ତାହା ଭାଗରେ ଚାଷ କରନ୍ତି । ତୁମ୍ଭେମାନେ ଗୋଟିଏ ଗୋଟିଏ ସ୍ଥାନକୁ ଯାଅ, ଧାନ କଟାଇଦେଇ ଆସିବ-। ଶୀଘ୍ର କାମ ସାରି ଫେରିବ ।’’

 

ତାଙ୍କ ବରାଦ ମୁତାବକ ମଧୁ ହରିପୁରକୁ ଗଲା । ସାଧୁ ଜଗନ୍ନାଥ ପୁର ଓ ରାଧୁ ପତ୍ରପଡ଼ା ମୌଜାକୁ ଗଲେ ।

 

ମାସକେ ପରେ ତିନି ଗୁମାସ୍ତାଯାକ କାମ ସାରି ଫେରି ଆସିଲେ ।

 

ମହାଜନ ସେମାନଙ୍କୁ ଏକସମୟରେ ପାଖକୁ ଡକାଇଲେ । ପ୍ରଥମେ ମଧୁକୁ ପଚାରିଲେ, ‘‘ଧାନ କଟାଇ ସାରିଛ ?’’

 

ମଧୁ ଉତ୍ତର ଦେଲା, ‘‘ହଁ’’ ।

 

‘‘ସେ ଧାନକୁ କଅଣ କଲ ?’’ ମହାଜନ ପୁଣି ପ୍ରଶ୍ନ କଲେ ।

 

‘‘ଖଳାରେ ଧାନହଳା ଗଦା ମଡ଼ାହୋଇ ରହିଛି ।’’ ମଧୁର ଉତ୍ତର ।

ମହାଜନ କହିଲେ, ‘‘ବର୍ଷା ଆସି ଗଲାଣି, ହଳା ପଦାରେ ରଖିଦେଇ ଆସିଲ, ତାହା ଖରାପ ହୋଇଯିବ ନାହିଁ ? ତାକୁ ଅମଳ ନ କରାଇଲ କାହିଁକି ?’’

ମଧୁ ଧୀର ଭାବରେ କହିଲା, ‘‘ଆପଣ ତ କେବଳ ଧାନ ବିଲରୁ କଟାଇ ଆଣିବାକୁ କହିଥିଲେ । ଅମଳ କରାଇବା କଥା କହିଥିଲେ, ମୁଁ ତାହା କଣ କରାଇ ଦେଇ ନ ଥାନ୍ତି ।’’

ତାହା ପରେ ମହାଜନ ସାଧୁକୁ ଚାହିଁ ପଚାରିଲେ, ‘‘ତୁମେ କଅଣ କରିଛ ?’’

ସାଧୁ ଜବାବ ଦେଲା, ‘‘ମୁଁ ଧାନ କଟାଇ ଦେଲି । ବର୍ଷା ଆସିବାର ଦେଖି ତାକୁ ଅମଳ କରାଇ ଦେଇଛି । ଖମାଇ ଘରେ ନିରାପଦରେ ସବୁ ଧାନ ରଖି ଦେଇ ଆସିଛି ।’’

ମହାଜନ ପୁଣି ପଚାରିଲେ, ‘‘ମୋଟ କେତେ କୁଇଣ୍ଟାଲ ଧାନ ହେଲା ।’’

ସାଧୁ କହିଲା, ‘‘ମୁଁ ତ ମପାଇ ନାହିଁ ।’’

ମହାଜନଙ୍କ ମୁହଁ ଅପ୍ରସନ୍ନ ଦେଖାଗଲା । ସେ କହିଲେ, ‘‘ଧାନ ମାପିଲ ନାହିଁ; ଅମଳ କରି ଜମାଇ ଦେଇ ଆସିଲ । ସେଥିରୁ ଯଦି କେହି ଚୋରାଇ ନିଅନ୍ତି ବା ଖମାଇ ଜଗୁଆଳ ବରବାଦ କରିଦିଅନ୍ତି, ତେବେ ଧରାଯିବ କିପରି ? ଚାଷୀମାନଙ୍କୁ ତା ତାଙ୍କ ଭାଗ ଦେଲ ନାହିଁ, ସେ ଚଳିବେ କେମିତି ? ଅଭାବ ପଡ଼ିଲେ ବାଧ୍ୟ ହୋଇ ଖମାରରୁ ଧାନ ଚୋରାଇ ନେବେ ।’’

ଶେଷରେ ରାଧୁକୁ ପଚାରିଲେ, ‘‘ତୁମେ କଅଣ କରିଛ ?’’

ରାଧୁ କହିଲା, ‘‘ମୁଁ ଧାନ କଟାଇଲି । ପାଗ ମେଘୁଆ ହେବାର ଦେଖି ତାହା ଅମଳ କରାଇଦେଲି । ଚାଷୀମାନଙ୍କ ଆଗରେ ତାହା ମପାଇ ଦେଖିଲି, ସର୍ବମୋଟ ପାଞ୍ଚ କୁଇଣ୍ଟାଲ ଧାନ ହେଲା । ଚାଷୀମାନଙ୍କ ପାଖରେ ଥିବା କାଗଜପତ୍ର ପରୀକ୍ଷା କରି ପୂର୍ବ ପ୍ରଥା ଅନୁସାରେ ସେମାନଙ୍କୁ ଅଧେ ଦେଇଦେଲି । ବାକି ଅଧକ ଦୁଇ ଜଣ ମୁଖିଆ ଚାଷୀଙ୍କ ମାରଫତ୍ ରଖି ତାଙ୍କଠାରୁ ରସିଦ ଲେଖାଇ ଆଣିଲି ।’’

‘‘ଖମାରରେ ରଖାଇଲ ନାହିଁ କାହିଁକି ?’’ —ମହାଜନ ପଚାରିଲେ ।

‘‘ଖମାରରେ ରଖିଲେ ଚୋରି ହେବାର ଆଶଙ୍କା ରହିଛି, ମୂଷା ବି ଖାଇ ଯାଇପାରନ୍ତି । ଧାନ ଜଗିବା ପାଇଁ ସେଠାରେ ଲୋକ ରଖିବାକୁ ପଡ଼ନ୍ତା; ତା ପାଇଁ ଅଧିକା ଖର୍ଚ୍ଚ ହୁଅନ୍ତା—ଏହି ସବୁ କଥା ବିଚାରି ମୁଁ ଚାଷୀଙ୍କ ମାରଫତ୍ ଦେଇ ଦେଲି । ସେମାନେ ଲେଖି ଦେଇଛନ୍ତି, ଯେଉଁ ମୁହୂର୍ତ୍ତରେ ଆମେ ଚାହିଁବା, ସେହି ମୁହୂର୍ତ୍ତରେ ସେମାନେ ତାହା ଦେଇଦେବେ । ଦେଇ ନ ପାରିଲେ ଆସନ୍ତା ବର୍ଷକୁ ସେଥିପାଇଁ ସୁଧ ଦେବେ ।’’

ରାଧୁ କଥା ଶେଷ ହେବା ସଙ୍ଗେ ସଙ୍ଗେ ମହାଜନ ମଧୁ ଓ ସାଧୁ ମୁହଁକୁ ଚାହିଁଲେ । ସେମାନଙ୍କୁ କହିଲେ, ‘‘ଯେଉଁ ଦିନ ମୁଁ ତୁମ ଦରମା ଠିକ୍ କରି ଶୁଣାଇ ଦେଲି, ସେଦିନ ତୁମେ ମନେ ମନେ ବିରକ୍ତ ହୋଇଥିଲ । ଏବେ ତୁମ ଭିତରୁ କାହାର କେତେ ଯୋଗ୍ୟତା ବୁଝିପାରୁଛ ତ ? ଏହି ଯୋଗ୍ୟତାର ତାରତମ୍ୟ ହେତୁରୁ ଦରମାହାର ଫରକ ହୋଇଛି ।’’

ତିନି ସାଙ୍ଗ ନୀରବରେ ସେଠାରୁ ଫେରିଗଲେ ।

Image

 

ସାମନ୍ତ ଚନ୍ଦ୍ରଶେଖର

 

ଏବେ ସିନା ଓଡ଼ିଶା ଗୋଟିଏ ସ୍ୱତନ୍ତ୍ର ରାଜ୍ୟ ହୋଇଛି, ଆଗେ ଏପରି ନ ଥିଲା । ଅନେକଗୁଡ଼ିଏ ଛୋଟ ଛୋଟ ଗଡ଼ଜାତ ରାଜ୍ୟ ଏଥିରେ ଥିଲା । ଜଣେ ଜଣେ ରାଜା ସେ ରାଜ୍ୟକୁ ଶାସନ କରୁଥିଲେ ।

 

ଖଣ୍ଡପଡ଼ା ସେହିପରି ଗୋଟିଏ ଅତି ସାନ ଗଡ଼ଜାତ । ପ୍ରାୟ ଷାଠିଏ ବର୍ଷ ତଳେ ସେଠାରେ ଜଣେ ଅତି ବଡ଼ ପଣ୍ଡିତ ବାସ କରୁଥିଲେ । ତାଙ୍କ ନାମ ଚନ୍ଦ୍ରଶେଖର ସିଂହ ସାମନ୍ତ । ସେ ଯେପରି ପଣ୍ଡିତ, ସେହିପରି ସାଧୁ, ଦୟାଳୁ ଓ ସରଳ ପ୍ରକୃତିର ଲୋକ ଥିଲେ ।

 

‘ସିଦ୍ଧାନ୍ତ-ଦର୍ପଣ’ ନାମରେ ସେ ସଂସ୍କୃତରେ ଖଣ୍ଡିଏ ବହି ଲେଖିଥିଲେ । ସେହି ବହି ଲାଗି ସମଗ୍ର ପୃଥିବୀରେ ତାଙ୍କ ନାମ ଖ୍ୟାତି ବଢ଼ିଗଲା । ପ୍ରତିଦିନ ବହୁତ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କୁ ଦେଖା କରିବାକୁ ଆସିଲେ ।

 

ଖଣ୍ଡପଡ଼ାର ରାଜବଂଶରେ ତାଙ୍କର ଜନ୍ମ । କିନ୍ତୁ ସେ ରାଜା ହୋଇ ନଥିଲେ, ରାଜା ହୋଇଥିଲେ ତାଙ୍କ ପୁତୁରା ।

 

ସେହି ରାଜାଙ୍କ ମନରେ ଦୁଃଖ ଯେ, ତାଙ୍କୁ କେହି ପଚାରୁ ନାହାନ୍ତି । ଅଥଚ ଚନ୍ଦ୍ରଶେଖରଙ୍କୁ ସମସ୍ତେ ଆଦର କରୁଛନ୍ତି, ପୂଜା କରୁଛନ୍ତି । ସେ ରାଜ୍ୟର ରାଜା, ହଜାର ହଜାର ଲୋକଙ୍କ ଉପରେ ମଉଡ଼ମଣି । ତାଙ୍କର ଧନସମ୍ପତ୍ତି ପୂରି ରହିଛି । ତେଣୁ ସେ ବଡ଼, ତାଙ୍କର ମାନମର୍ଯ୍ୟାଦା, ଖାତିରି ସବୁଠାରୁ ବେଶି । ସେ ଥାଉଁ ଥାଉଁ ତାଙ୍କରି ରାଜ୍ୟର ଗୋଟିଏ ଦରିଦ୍ର ଲୋକର ଏତେ ଆଦର ।

 

ଏହିପରି ଭାବି ସେ ହିଂସାରେ ପୋଡ଼ିଜଳି ଯାଆନ୍ତି । ତାଙ୍କୁ ବି ଗୁଡ଼ିଏ ପାଖଲୋକ ଜୁଟିଥାନ୍ତି ସେମିତି ।

 

ସମସ୍ତଙ୍କୁ ପାଖରେ ବସାଇ ରାଜା ପଚାରନ୍ତି, ‘‘ଏ ରାଜ୍ୟରେ କିଏ ବଡ଼ ?’’

 

‘‘ହଜୁର, ଶ୍ରୀ ଛାମୁ ଥାଉଁ ଥାଉଁ କିଏ ପୁଣି ବଡ଼ ହେବ ?’’ —ପାଖଲୋକେ ଉତ୍ତର ଦିଅନ୍ତି

 

ପୁଣି ରାଜା ପଚାରନ୍ତି, ‘‘ଆମ କକା ଚନ୍ଦ୍ରଶେଖରକୁ ଲୋକେ ଏତେ ପୂଜା କରୁଛନ୍ତି କାହିଁକି ?’’

 

ପାଖଲୋକେ କହି ଉଠନ୍ତି—‘‘ଲୋକଗୁଡ଼ାକ ମୂର୍ଖ; କିଛି ଜାଣନ୍ତି ନାହିଁ ।’’

 

ରାଜାଙ୍କ ମନ ଖୁସି ହୁଏ । ସେ ହସି ହସି କହନ୍ତି, ‘‘ସତକଥା, ମୂର୍ଖ ଲୋକେ ମୂର୍ଖକୁ ଆଦର କରନ୍ତି । ସେମାନେ ମୋ ମହତ୍ୱ ବୁଝିବେ କୁଆଡ଼ୁ ?’’

 

ଇଂରେଜ ସରକାର ଚନ୍ଦ୍ରଶେଖରଙ୍କ ପାଣ୍ଡିତ୍ୟ ଦେଖି ତାଙ୍କୁ ଉପାଧି ଦେଲେ ‘ମହାମହୋପାଧ୍ୟାୟ’ ।

 

କଟକ ସହରରେ ଦରବାରେ ବସିବ । ଓଡ଼ିଶାର ଶାସକ କମିଶନର ନିଜେ ଏ ଉପାଧି ଓ କେତେକ ଉପହାର ଚନ୍ଦ୍ରଶେଖରଙ୍କ ହାତକୁ ବଢ଼ାଇ ଦେବେ, ତାଙ୍କୁ ଆଦର କରିବେ । ସମଗ୍ର ଦେଶରେ ତାଙ୍କର ଖ୍ୟାତି ଆହୁରି ବେଶି ବଢ଼ିଯିବ ।

 

ଏଥିରେ ରାଜାଙ୍କ ମନ କି ଥୟ ହୁଏ ? ହିଂସାରେ ସେ ଆହୁରି ବେଶି ଜଳିଉଠିଲେ । ଆଦେଶ ଜାରିକଲେ, ‘‘ଚନ୍ଦ୍ରଶେଖର ମୋ ରାଜ୍ୟର ପ୍ରଜା । ସେ ମୋ ଅନୁମତି ବିନା କଟକ ଯାଇ ପାରିବ ନାହିଁ । ଏ ରାଜ୍ୟ ଛାଡ଼ି କୁଆଡ଼େ ଗଲେ ଦଣ୍ଡ ଦିଆଯିବ ।’’

 

ଏହି ଆଦେଶ ମାନି ଚନ୍ଦ୍ରଶେଖର କଟକ ଯିବେ ନାହିଁ ବୋଲି ଠିକ୍ କଲେ ।

 

କମିଶନର ଏ କଥା ଶୁଣିଲେ । ସେ ଖୁବ୍ ରାଗିଗଲେ । ଆଦେଶ ଦେଲେ, ‘‘ରାଜାଟାକୁ ସାଙ୍ଗେ ସାଙ୍ଗେ ଗିରଫ କରି ଆଣ । ତାକୁ ଏ ରାଜ୍ୟରୁ ତଡ଼ି ଦିଆଯିବ ।’’

 

ଏହା ଶୁଣି ରାଜା ଭୟରେ ଥରହର । ସାମନ୍ତ ଚନ୍ଦ୍ରଶେଖରଙ୍କୁ ବହୁ ନେହୁରା ହୋଇ ସେ କଟକ ପଠାଇ ଦେଲେ ।

 

ଦରବାର ବସିବା ପରଦିନ ଚନ୍ଦ୍ରଶେଖର ଆସି କଟକରେ ପହଞ୍ଚିଲେ । ସେ ଶୁଣିଲେ, ରାଜାଙ୍କୁ ଗିରଫ କରି ଆଣିବା ପାଇଁ ଫଉଜ ଗଲେଣି । ସେ ଆଉ ବିଶାମ ନେବେ କଅଣ ? ଗୋଟିଏ ଘୋଡ଼ାଗାଡ଼ିରେ ବସି କମିଶନର ସାହେବଙ୍କ କୋଠିକୁ ଗଲେ ।

 

ସାହେବଙ୍କୁ ଦେଖା କରି କହିଲେ, ‘‘ସାହେବ, ମୁଁ ଶୁଣୁଛି, ମୋ ପୁତୁରା ଖଣ୍ଡପଡ଼ାର ରାଜାଙ୍କୁ ଗିରଫ କରିବାକୁ କୁଆଡ଼େ ଲୋକ ପଠାଇଛ ?’’

 

ସାହେବ ଉତ୍ତର ଦେଲେ, ‘‘ହଁ’’ ।

 

ଚନ୍ଦ୍ରଶେଖର କହିଲେ, ‘‘ମୋତେ ଉପାଧି ଦେବ, ତେଣେ ଆମ ରାଜ୍ୟର ରାଜାଙ୍କୁ ଗିରଫ କରିବ । ଏ ଉପାଧି ନୁହେଁ ତ ଅପମାନ । ତା ହେଲେ ଏ ଉପାଧି କି ପୁରସ୍କାର ମୋର କିଛି ଲୋଡ଼ା ନାହିଁ ।’’

 

Image

 

ସାହେବ କହିଲେ, ‘‘ତୁମରି ପାଇଁ ତ ତାଙ୍କୁ ଗିରଫ କରାଯାଉଛି । ତୁମକୁ ସେ ଯେ ଅପମାନ ଦେଲେ ।’’

 

‘‘ନା ନା, ସେ ଆମ ରାଜ୍ୟର ରାଜା । ତାଙ୍କୁ ଗିରଫ କଲେ ମୁଁ ଉପାଧି ନେବି ନାହିଁ । ସେ ତ କିଛି ଅପମାନ ଦେଇ ନାହାନ୍ତି । ତାଙ୍କୁ ଗିରଫ କରି ଆପଣ ମୋତେ ଓ ଆମ ରାଜ୍ୟର ଲୋକଙ୍କୁ ବେଶି ଅପମାନ ଦେଉଛନ୍ତି’’—ଚନ୍ଦ୍ରଶେଖର ଉତ୍ତର ଦେଲେ ।

 

ସାହେବ ଏହା ଶୁଣି ମୁହୂର୍ତ୍ତେ ସମୟ ଚୁପ୍ ହୋଇଗଲେ । ତାହା ପରେ ନିଜେ ଦେଇଥିବା ଆଦେଶ ରଦ୍ଦ କରିଦେଲେ । ଚନ୍ଦ୍ରଶେଖରଙ୍କୁ ଚାହିଁ ହସି ହସି କହିଲେ, ‘‘ତୁମେ ବଡ଼ ମହତ୍, ଉଦାର ବ୍ୟକ୍ତି ।’’

 

ତେଣେ ରାଜା ପାଖଲୋକଙ୍କୁ ପାଖରେ ବସାଇ କହିଲେ, ‘‘କମିଶନର ମୋତେ ଗିରଫ କରିବ ବୋଲି ନୋଟିସ ଦେଇଥିଲା; ପୁଣି ତାହା ରଦ୍ଦ କରିଦେଲା ।’’

 

ପାଖଲୋକେ କହି ଉଠିଲେ, ‘‘ଆପଣ ରାଜା, ଆପଣ ବଡ଼; ଆପଣଙ୍କୁ ସେ ଗିରଫ କରିବ କେଉଁ ସାହସରେ ?’’

Image

 

ବଇଜୁ ବାଇଆ

 

ଗୋପାଳ ନାୟକ ବଡ଼ ସଙ୍ଗୀତଜ୍ଞ । ସଙ୍ଗୀତ ଶାସ୍ତ୍ରରେ ତାଙ୍କର ଅଗାଧ ପାଣ୍ଡିତ୍ୟ । କଣ୍ଠଟି ମଧ୍ୟ ଅତି ମଧୁର । ସବୁପ୍ରକାର ବାଦ୍ୟଯନ୍ତ୍ର ବଜାଇବାରେ ଅଦ୍ଭୁତ କ୍ଷମତା ।

 

କ୍ରମେ ତାଙ୍କ ଗୁଣ ଚାରିଆଡ଼େ ପ୍ରଚାରିତ ହୋଇଗଲା । ହଜାର ହଜାର ବାଳକ ବାଳିକା ଆସି ତାଙ୍କଠାରୁ ସଙ୍ଗୀତ ଶିକ୍ଷା କଲେ । ରାଜା ମହାରାଜା ତାଙ୍କ ସଙ୍ଗୀତ ଶୁଣି ମୁଗ୍‌ଧ ହେଲେ ଓ ତାଙ୍କୁ କେତେ ପ୍ରକାର ଉପାଧି ଦେଲେ ‘ସଙ୍ଗୀତ ବିଶାରଦ, ସଙ୍ଗୀତ ସମ୍ରାଟ’ । ପ୍ରତ୍ୟେକ ସ୍ଥାନରୁ ହାର, କୁଣ୍ଡଳ, ପାଟଯୋଡ଼ ଓ ଅପର୍ଯ୍ୟାପ୍ତ ଧନରତ୍ନ ତାଙ୍କୁ ମିଳିଲା । ସମସ୍ତେ ଜାଣିଲେ, ଗୋପାଳଙ୍କ ଭଳି ସଙ୍ଗୀତଜ୍ଞ ଏ ଦୁନିଆରେ ଆଉ କେହି ନାହାନ୍ତି । ତାଙ୍କର ସାଧନା ଅପୂର୍ବ; ସଙ୍ଗୀତ ବିଷୟରେ ସେ ସମସ୍ତଙ୍କର ଗୁରୁ ।

 

ଧନ, ମାନ, ଖ୍ୟାତିରେ ସେ ଦେଶଭିତରେ ଅଦ୍ୱିତୀୟ ହୋଇ ଉଠିଲେ । ଗର୍ବରେ ତାଙ୍କ ପାଦ ତଳେ ଲାଗିଲା ନାହିଁ । ଏତେ ଯାହାର ଯଶ, ପିଲାଠାରୁ ବୁଢ଼ାଯାଏ, ଦରୀଦ୍ରଠାରୁ ରାଜା ମହାରାଜା ଯାଏ ସମସ୍ତଙ୍କ ମୁହଁରେ ଯାହାର ପ୍ରଶଂସା; ତା ମନରେ ଗର୍ବ ବା ନ ହେବ କିପରି ?

 

ମାତ୍ର ଏ ଗର୍ବରେ ଟିକିଏ ଆଞ୍ଚ ଲାଗିଲା । ପରେ ଶୁଣାଗଲା, ବଣମଧ୍ୟରେ ବଇଜୁ ନାମରେ ଗୋଟିଏ ପାଗଳ ରହିଛନ୍ତି, ତାଙ୍କର ସଙ୍ଗୀତ—ଶୁଣି ମନୁଷ୍ୟ କଥା ଦୂରେ ଥାଉ, ବଣର ପଶୁ ବି ମୋହିତ ହୋଇଯାଆନ୍ତି ।

 

ସମସ୍ତେ କହନ୍ତି ବଇଜୁ ପାଗଳ । ସେ ସହର ଭିତରେ ଲୋକଗହଳିରେ ରହନ୍ତି ନାହିଁ । ତାଙ୍କର କୋଠାବାଡ଼ି କି ଧନ ସମ୍ପତ୍ତି ନାହିଁ । ପାଖରେ ଦାସ ଦାସୀ କେହି ନ ଥାନ୍ତି । ଏକାକୀ ବଣରେ ଗୋଟିଏ କୁଡ଼ିଆ ଭିତରେ ତାଙ୍କର ରାତିଦିନ କଟିଯାଏ । ବଣରେ ବାଘ, ଭାଲୁ, ହରିଣ, ମୃଗ ତାଙ୍କର ସାଥୀ । ସେ ରାଜାମାନଙ୍କ ପାଖକୁ ଯାଇ ସଙ୍ଗୀତ ଗାଇ ଉପାଧି କି ସନନ୍ଦ ପାଇବାକୁ ଇଚ୍ଛା କରନ୍ତି ନାହିଁ । ଏଭଳି ଲୋକଙ୍କୁ ପାଗଳ କୁହା ନ ଯାଇ ଆଉ କଣ କୁହାଯିବ ? ଯେତେ ଗୁଣୀ ହୁଅନ୍ତୁ ପଛକେ, ‘ପାଗଳ’ ନିଶ୍ଚୟ । ତେଣୁ ଯେ ତାଙ୍କୁ ଜାଣନ୍ତି, ସେ ଡାକନ୍ତି ‘ବଇଜୁ ପାଗଳ’ ବା ‘ବଇଜୁ ବାଇଆ ।’

 

ଗୋପାଳଙ୍କ କାନରେ ଏ କଥା ପଡ଼ିଲା । ସେ ହସି ଉଡ଼ାଇ ଦେଲେ । ପାଗଳଟାଏ, ସେ ପୁଣି ହେବ ସଙ୍ଗୀତଜ୍ଞ ? ତଥାପି ଲୋକେ ଯେତେବେଳେ କହୁଛନ୍ତି, ଥରେ ତା ପାଖକୁ ଯାଇ ପରୀକ୍ଷା କରି ନେବାକୁ ହେବ । ସଙ୍ଗୀତଶାସ୍ତ୍ରରେ ତାକୁ ଥରେ ହରାଇ ଦେଲେ ମୋ ଖ୍ୟାତି ଆହୁରି ବେଶି ବଢ଼ିଯିବ । ମୋ ଭଳି ସଙ୍ଗୀତଶାସ୍ତ୍ରରେ ଯେ ବଡ଼ ପଣ୍ଡିତ, ତା ନିକଟରେ ହାରିବାକୁ ତାକୁ କେତେ ସମୟ ବା ଲାଗିବ ?

 

ମନକଥା ମନରେ ଥାଏ ।

 

ଗୋପାଳ ଥରେ କୌଣସି କାରଣରୁ ଅନ୍ୟ ଦେଶକୁ ଯାଉଥିଲେ । ବାଟରେ ଜଙ୍ଗଲ ଭିତରେ ଦେଖିଲେ ଗୋଟିଏ ଛୋଟ ପାହାଡ଼ିଆ ନଦୀକୂଳରେ ପତ୍ରକୁଡ଼ିଆଟିଏ । ତା ଭିତରେ ଜଣେ ବୃଦ୍ଧ ଲୋକ ନିଶ୍ଚିନ୍ତ ମନରେ ବସି ଅଛନ୍ତି । ମୁହଁଟି ହସ ହସ । କୁଡ଼ିଆ ଭିତରେ ଗୋଟିଏ ମାତ୍ର ବୀଣା । ଆଉ କିଛି ହେଲେ ଦ୍ରବ୍ୟ କେଉଁଠାରେ ନାହିଁ ।

 

ଗୋପାଳ ବୃଦ୍ଧଙ୍କୁ ଦେଖି ଠିଆ ହୋଇଗଲେ । ପଚାରିଲେ, ‘‘ଆପଣଙ୍କ ପରିଚୟ ପାଇପାରିବି କି ?’’

 

ବୃଦ୍ଧ ଉପରକୁ ମୁହଁ ଟେକି ଚାହିଁଲେ; ଆଖି ଦୁଇଟିରେ ହସର ଝଲକ ଖେଳିଗଲା । ନମ୍ର କଣ୍ଠରେ ଉତ୍ତର ଦେଲେ, ‘‘ମୋର ପରିଚୟ ? ମୋର ପରିଚୟ ଦେବାକୁ କିଛି ହେଲେ ନାହିଁ । ଯଦି ନାମ ଜାଣିବାକୁ ଚାହାନ୍ତି; ତେବେ କହିବି, ମୋ ନାମ ବଇଜୁ । ଲୋକେ ମୋତେ ବଇଜୁ ବାଇଆ ବୋଲି ଡାକନ୍ତି ।’’

 

‘‘ଆପଣ ତା ହେଲେ ବଇଜୁ ? ଆପଣଙ୍କ ପାଖରେ ହିଁ ତ ମୋର କାମ ଥିଲା ।’’ —ଗୋପାଳ ଚମକିଲା ପରି କହି ଉଠିଲେ । ‘‘ମୁଁ ଶୁଣୁଛି, ଆପଣ ବଡ଼ ସଙ୍ଗୀତଜ୍ଞ । ମୁଁ ମଧ୍ୟ ଜଣେ ସଙ୍ଗୀତଜ୍ଞ । କେତେକ ମନ୍ଦପ୍ରକୃତିର ଲୋକ ମୋ ଯଶଖ୍ୟାତିରେ ଈର୍ଷା ବହି ପ୍ରଚାର କରିଛନ୍ତି ଯେ, ଆପଣ ମୋ ଅପେକ୍ଷା ବଡ଼ ସଙ୍ଗୀତଜ୍ଞ । ଆଜି ଏହିଠାରେ ପରୀକ୍ଷା କରାଯିବ । ସଙ୍ଗୀତରେ ମୁଁ ଆପଣଙ୍କୁ ହରାଇ ଦେଇପାରିଲେ, ମୋ ଯଶର ଟେକ ପୂର୍ବପରି ରହିବ; ସେହି ଲୋକଙ୍କ ମୁହଁରେ କାଳି ଲାଗିଯିବ ।

 

ବଇଜୁ ଧୀର ନମ୍ର ସ୍ୱରରେ କହିଲେ, ‘‘ମୋ ସାଙ୍ଗରେ ପ୍ରତିଯୋଗିତା ? ମୁଁ ଯେ ସଙ୍ଗୀତଶାସ୍ତ୍ରର କିଛି ହେଲେ ଜାଣେ ନାହିଁ । କେବଳ ପଚାଶ ବର୍ଷ ହେଲା ଏଇଠାରେ ବସି ସାଧନା କରୁଛି ମାତ୍ର । ସିଦ୍ଧିଲାଭ କରିବାକୁ ଆଉ ଯେ କେତୋଟି ପଚାଶ ବର୍ଷ କଟିବ, ତା ତ କେବଳ ଭଗବାନ ଜାଣନ୍ତି । ଆପଣଙ୍କ ନାମ, ଖ୍ୟାତି ମୁଁ ଶୁଣିଛି । ଆପଣଙ୍କ ସହିତ ମୁଁ ବା କେଉଁ ଗୁଣରେ ସରି ? ପ୍ରତିଯୋଗିତା ହେବା ଆଗରୁ ମୁଁ ପରାଜୟ ସ୍ୱୀକାର କରୁଛି । ଆପଣ ବିଜେତା, ଆପଣ ସଙ୍ଗୀତ ସମ୍ରାଟ ।’’

 

ଗୋପାଳ ଏଥିରେ ସନ୍ତୁଷ୍ଟ ହେଲେ ନାହିଁ । ସେ ରହସ୍ୟ କରି କହିଲେ, ‘‘ମୁଁ ସଙ୍ଗୀତଜ୍ଞ, ସଙ୍ଗୀତଜ୍ଞମାନେ ଗୀତ ବୋଲିବା ଆଗରୁ ଅତି ବିନୟଭାବ ଦେଖାଇ ଥାଆନ୍ତି—ତା ମୋତେ ଜଣା ଅଛି । ଆପଣ ସେହିପରି ବିନୟ ପ୍ରକାଶ କରି ଏ କଥା କହୁଛନ୍ତି । ମୁଁ କଦାପି ଛାଡ଼ିବି ନାହିଁ । ମୁଁ ଗୋଟିଏ ସଙ୍ଗୀତ ଗାଇବି, ଆପଣ ବି ଗୋଟିଏ ସଙ୍ଗୀତ ଗାଇବେ । ଯାହାର ଗାନ ଉତ୍କୃଷ୍ଟ ହେବ, ସେ ହେବ ବିଜୟୀ । ଆମର ସଙ୍ଗୀତ ପ୍ରତିଯୋଗିତା ନ ହେବା ପର୍ଯ୍ୟନ୍ତ ମୁଁ ଏ ସ୍ଥାନ ଛାଡ଼ି ଯିବି ନାହିଁ ।’’

 

ବଇଜୁ କହିଲେ, ‘‘ଆପଣ ଆଜି ବାଟ ଚାଲୁ ଚାଲୁ ଆସି ପଥଶ୍ରାନ୍ତ ହୋଇ ପଡ଼ିଛନ୍ତି । ମୋର ଏ କୁଟୀରରେ ବିଶ୍ରାମ ନିଅନ୍ତୁ । ଆଜି ଆପଣ ମୋର ଅତିଥି । ଯଦି ଆପଣଙ୍କର ଏକାନ୍ତ ଇଚ୍ଛା; ତେବେ ଆସନ୍ତା କାଲି ସଙ୍ଗୀତ ପ୍ରତିଯୋଗିତା କରିବା ।’’

 

ଗୋପାଳ ଏଥିରେ ରାଜି ହେଲେ । ବଇଜୁ ବଣଭିତରୁ ନାନା ପ୍ରକାର ଫଳମୂଳ ସଂଗ୍ରହ କରି ଆଣି ତାଙ୍କୁ ଦେଲେ । ଗୋପାଳ ତାହା ଖାଇ ସେହିଠାରେ ଗାଢ଼ ନିଦରେ ଶୋଇ ପଡ଼ିଲେ ।

 

ବୋଧହୁଏ ରାତି ପାହାନ୍ତା ହେବ । କସ୍ତୁରୀ ବାସନାର ମହକରେ ଗୋପାଳଙ୍କ ନିଦ ହଠାତ୍ ଭାଙ୍ଗିଗଲା । ସେ ବିଛଣାରୁ ଉଠି ବସିଲେ । ଅଳ୍ପ ଦୂରରୁ ନଦୀକୂଳରୁ ତୋଡ଼ି ରାଗର ସୁନ୍ଦର ସ୍ୱରଲହରୀ ଭାସି ଆସୁଥିବାର ସେ ବୁଝି ପାରିଲେ । ସେହି ଦିଗରେ ଚାଲିଲେ ।

 

Image

 

ଯାଇ ଦେଖିଲେ, ବୃଦ୍ଧ ବଇଜୁ ଏକଧ୍ୟାନରେ ବସି ସଙ୍ଗୀତ ଗାଉଛନ୍ତି । କୋଳରେ ତାଙ୍କର ବୀଣାଟିଏ ସେଥିରେ ଏପରି ଭାବରେ ତାଙ୍କ ଟିପ ଗତି କରୁଛି ଯେ, ତୋଡ଼ି ରାଗର ମୂର୍ଚ୍ଛନାରେ ବନଭୂମି ଭରି ଯାଉଛି । ଗୁଡ଼ିଏ କସ୍ତୁରୀମୃଗ, ହରିଣ ପ୍ରଭୃତି ବଣ୍ୟପଶୁ ତାଙ୍କ ଚାରିପାଖରେ ଘେରି ଠିଆ ହୋଇଛନ୍ତି । ସତେ ଯେପରି ସେମାନେ ସଙ୍ଗୀତ ଶୁଣି ପଥରମୂର୍ତ୍ତି ପାଲିଟି ଯାଇଛନ୍ତି ।

 

ଗୋପାଳ ଗୋଟିଏ ଗୋଟିଏ ପାଦ ପକାଇ ଯାଇ ଅଳ୍ପ ଦୂରରେ ପହଞ୍ଚିଲେ । ତାଙ୍କର ଉପସ୍ଥିତି ବୁଝିପାରି ମୃଗ, ହରିଣ, ସବୁ ଦୂରକୁ ଘୁଞ୍ଚିଗଲେ । ସଙ୍ଗୀତର ମୂର୍ଚ୍ଛନା ଚହଲିଗଲା ।

 

ବଇଜୁ ମୁହଁ ଟେକି ପଛକୁ ଚାହିଁଲେ । ଗୋପାଳଙ୍କୁ ଦେଖି କହିଲେ, ‘‘ମୋର ସାଧନା ଏପର୍ଯ୍ୟନ୍ତ ପୂର୍ଣ୍ଣାଙ୍ଗ ହୋଇନାହିଁ; ସେଥିପାଇଁ ଏହି ବଣ୍ୟପଶୁଗୁଡ଼ିକ ଏକାବେଳକେ ପାଖକୁ ଆସୁ ନାହାନ୍ତି, କିଛି ଦୂରରେ ଠିଆ ହୋଇ ରହିଛନ୍ତି । ଆପଣ ମୋଠାରୁ ଢେର ବଡ଼, ଆପଣ ଦିଗ୍‌ବିଜୟୀ, ସଙ୍ଗୀତଶାସ୍ତ୍ରରେ ସିଦ୍ଧିଲାଭ କରି ଅଛନ୍ତି । ଦୟା କରି ଗୋଟିଏ ସଙ୍ଗୀତ ଗାନ କରନ୍ତୁ—ଏ ପଶୁଗୁଡ଼ିକ ନିଶ୍ଚୟ ପାଖକୁ ଚାଲି ଆସିବେ ।’’

 

ଗୋପାଳ ନାୟକଙ୍କ ଦେହ ଅଚଳ, ଗୋଡ଼ହାତ ସ୍ଥିର, ଆଖିର ପଲକ ପଡ଼ୁ ନ ଥାଏ । ସେ ଅନ୍ଧକାରମୟ ଅରଣ୍ୟକୁ ଚାହିଁ ଠିଆ ହୋଇଥାନ୍ତି । ତାଙ୍କୁ ଜଣାଯାଉଥାଏ, ଅସଂଖ୍ୟ ମୃଗ ହରିଣ ତାଙ୍କ ଆଡ଼କୁ ପଛ କରି ସତେ ଯେପରି ତାଙ୍କୁ ବ୍ୟଙ୍ଗ କରି ଚାଲି ଯାଉଛନ୍ତି ।

 

ମୁହୂର୍ତ୍ତକ ପରେ ତାଙ୍କର ଧ୍ୟାନ ଭାଙ୍ଗିଗଲା । ସେ ବଇଜୁଙ୍କ ଗୋଡ଼ତଳେ ବସି ପଡ଼ିଲେ । ତାଙ୍କର ପାଦ ଦୁଇଟିରେ ନିଜର ମୁଣ୍ଡ ରଖି ଅତି ବିନୟର ସହିତ କହିଲେ, ‘‘ଆଜିଠାରୁ ଆପଣଙ୍କ ପାଦ ତଳେ ମୋର ସଙ୍ଗୀତଶିକ୍ଷା ଆରମ୍ଭ ହେଉ । ଏହି ଦୟା ମୋତେ କରନ୍ତୁ—ଏତିକି ମାତ୍ର ମୋର ନିବେଦନ ।’’

Image

 

ରାଜ୍ୟପାଳ ଓ ଗୁରୁଦେବ

 

ସ୍ୱାଧୀନ ଭାରତରେ ପ୍ରତ୍ୟେକ ରାଜ୍ୟ ରାଜ୍ୟପାଳ ସେ ରାଜ୍ୟର ସର୍ବୋଚ୍ଚ କର୍ତ୍ତା । ସଭା ସମ୍ମିଳନୀ, ଉତ୍ସବ ଇତ୍ୟାଦିରେ ତାଙ୍କର ସ୍ଥାନ ସମସ୍ତଙ୍କ ଆଗରେ । ସମ୍ବର୍ଦ୍ଧନା କରିବାକୁ ହେଲେ ଯେତେ ଗୁଣୀ, ମାନୀ ବା ପଣ୍ଡିତ ଲୋକ ଥାଆନ୍ତୁ ନା କାହିଁକି, ରାଜ୍ୟପାଳଙ୍କୁ ସର୍ବପ୍ରଥମେ ସମ୍ବର୍ଦ୍ଧନା କରାଯିବ—ଏହାହିଁ ହେଉଛି ନିୟମ ।

 

ପଶ୍ଚିମବଙ୍ଗର ରାଜଭବନ । ସ୍ୱର୍ଗୀୟ ହୀରେନ୍ଦ୍ର କୁମାର ମୁଖୋପାଧ୍ୟାୟ ରାଜ୍ୟପାଳ । ଜାନୁୟାରୀ ୨୬ ତାରିଖରେ ଭାରତର ସାଧାରଣତନ୍ତ୍ର ଦିବସ ଉତ୍ସବ ପାଳିତ ହେଉଥାଏ । ମୁଖ୍ୟମନ୍ତ୍ରୀ ଓ ଅନ୍ୟାନ୍ୟ ମନ୍ତ୍ରୀମାନେ, ବଡ଼ ବଡ଼ ନେତା, ପଣ୍ଡିତ ଓ ପ୍ରସିଦ୍ଧ ବ୍ୟକ୍ତି ନିମନ୍ତ୍ରିତ ହୋଇ ସେଥିରେ ଯୋଗ ଦେଇଥାନ୍ତି । ରାଜ୍ୟପାଳ ମଝିରେ ବସି ସମସ୍ତଙ୍କ ସହିତ ଆଲୋଚନା କରୁଥାନ୍ତି-

 

ହଠାତ୍ ରାଜ୍ୟପାଳ ନିଜ ଆସନରୁ ଉଠି ଠିଆ ହୋଇଗଲେ । ସଭାଗୃହର ଦ୍ୱାରମୁହଁ ପାଖକୁ ଚାଲି ଆସି ଜଣେ ବୃଦ୍ଧଙ୍କୁ ପ୍ରମାଣ କଲେ । ଅତି ଆଦରରେ ତାଙ୍କୁ ପାଛୋଟି ନେଇ ନିଜ ପାଖରେ ଆସନରେ ବସାଇଲେ । ଏହା ମନ୍ତ୍ରୀ ଓ ନେତାମାନଙ୍କୁ ସୁଖକର ବୋଧ ହେଲା ନାହିଁ । ସେମାନେ ପରସ୍ପର ମୁହଁ ଚାହାଁଚାହିଁ ହେଲେ । ସମସ୍ତଙ୍କ ମନରେ ଭାବ—ରାଜଭବନରେ ଏ କି ଅନିୟମ । ରାଜ୍ୟପାଳଙ୍କୁ ସମସ୍ତେ ସମ୍ବର୍ଦ୍ଧନା କରିବାର କଥା । ଆଜି ଏ ଉତ୍ସବରେ ସମସ୍ତଙ୍କ ଆଗରେ ରାଜ୍ୟପାଳ ନିଜେ ଉଠି ଅନ୍ୟକୁ ସମ୍ବର୍ଦ୍ଧନା କରିବେ—ଏହା ତ ଠିକ୍ ନୁହେଁ ।

 

ମାତ୍ର ପ୍ରକାଶ୍ୟରେ କେହି କିଛି କହିବାକୁ ସାହସ କଲେ ନାହଁ ।

 

ସଭା ପରେ ପ୍ରଦର୍ଶନୀ ମଣ୍ଡପକୁ ଯିବାର କଥା । ଦେହରକ୍ଷୀ ଆସି ସଲାମ ପକାଇ ଗୋଟିଏ ପାଖରେ ଠିଆ ହେଲେ । ରାଜ୍ୟପାଳ ପ୍ରଶ୍ନକଲେ, ‘‘କଥା କଅଣ ?’’ ଦେହରକ୍ଷୀ ବିନୟର ସହିତ କହିଲେ, ‘‘ସମୟ ହୋଇଗଲା । ପ୍ରଦର୍ଶନୀମଣ୍ଡପକୁ ଯିବାକୁ ହେବ ।’’

 

ରାଜ୍ୟପାଳ ବୃଦ୍ଧ ବ୍ୟକ୍ତିଙ୍କୁ ଚାହିଁ ଅତି ନମ୍ର ଭାବରେ କହିଲେ, ‘‘ଚାଲନ୍ତୁ, ପ୍ରଦର୍ଶନୀମଣ୍ଡପ ବୁଲି ଦେଖି ଆସିବା ।’’

 

ବୃଦ୍ଧ ଉଠିଲେ, ତାଙ୍କ ପଛେ ପଛେ ରାଜ୍ୟପାଳ । ରାଜଭବନର ନିୟମ ଅନୁସାରେ ଆଗରେ ରକ୍ଷୀମାନେ ଚାଲିଥାନ୍ତି । ସେମାନଙ୍କ ମଝିରେ ସମସ୍ତଙ୍କ ଆଗରେ ରାଜ୍ୟପାଳ ଯିବା ନିୟମ । କିନ୍ତୁ ଏଥିରେ ସେ ନିୟମର ବ୍ୟତିକ୍ରମ ଦେଖାଗଲା । ରକ୍ଷୀଙ୍କ ଗ୍ରହଣରେ ବୃଦ୍ଧ ଜଣକ, ତାଙ୍କ ପଛେ ପଛେ ରାଜ୍ୟପାଳ । ଆଗକୁ ଯିବାକୁ ସେ ଆଦୌ ରାଜି ନୁହନ୍ତି ।

 

ପଛରେ ମନ୍ତ୍ରୀ ନେତା ଓ ବିଶିଷ୍ଟ ବ୍ୟକ୍ତିମାନେ ଚାଲିଥାନ୍ତି । ସମସ୍ତେ ବ୍ୟସ୍ତ ହୋଇ ଉଠିଲେଣି, ଏଠାରେ ନିୟମ ଭଙ୍ଗ ହେଉଛି । ରାଜ୍ୟପାଳ ନିୟମରକ୍ଷକ । ସେ ନିଜେ ଯଦି ତାହା ଅମାନ୍ୟ କରିବେ, ତେବେ ସବୁ କାର୍ଯ୍ୟରେ ବିଶୃଙ୍ଖଳା ଦେଖାଦେବ । ଏ ଭୁଲ ରାଜ୍ୟପାଳଙ୍କୁ ଚେତାଇ ଦେବାକୁ ହେବ ।

 

ମାତ୍ର ଏ କାର୍ଯ୍ୟ କରିବ କିଏ ? ରାଜ୍ୟପାଳଙ୍କ ନିକଟକୁ ଯାଇ ଏ କଥା କହିବାକୁ ସାହସ କାହାର ?

 

ଶେଷକୁ ଦେହରକ୍ଷୀ ଆଗେଇ ଗଲେ । ରାଜ୍ୟପାଳଙ୍କ ପାଖରେ ପହଞ୍ଚି ଯଥାବିଧି ପ୍ରମାଣ କଲେ । ରାଜ୍ୟପାଳ ତାଙ୍କୁ ଚାହିଁ ପ୍ରଶ୍ନ କଲେ, ‘‘କିଛି କହିବାର ଅଛି ?’’

 

ଦେହରକ୍ଷୀ ଯଥାର୍ଥ ମାନ୍ୟତାର ସହିତ ଉତ୍ତର ଦେଲେ, ‘‘ଆଜ୍ଞା, ରାଜଭବନର ନିୟମ ହେଉଛି..... ।’’

 

ତାଙ୍କ କଥା ସେତିକିରେ ରହିଗଲା । ରାଜ୍ୟପାଳ ସଙ୍କୋଚର ସହିତ ତାଙ୍କୁ କହିଲେ, ‘‘ନିୟମ ମାନି ମାନି ମୁଁ ବ୍ୟତିବ୍ୟସ୍ତ ହୋଇ ପଡ଼ିଲିଣି ।’’

 

ଦେହରକ୍ଷୀ ଏତିକିରେ ଚୁପ୍‌ହୋଇ ଫେରି ଆସିଲେ । ତଥାପି ମନ୍ତ୍ରୀ ଓ ନେତାମାନଙ୍କୁ ଏହା ଅସହ୍ୟ ବୋଧ ହେଲା । ରାଜ୍ୟପାଳଙ୍କର ଜଣେ ଅତି ଘନିଷ୍ଠ ପରିଚିତ ନେତା ସାହସ ବାନ୍ଧି ଆଗକୁ ଚାଲିଗଲେ । ରାଜ୍ୟପାଳଙ୍କୁ ପ୍ରଣାମ କରି କହିଲେ, ‘‘ମୋର ଗୋଟାଏ ପ୍ରାର୍ଥନା ଅଛି ।’’

 

‘‘ତୁମର ପ୍ରାର୍ଥନା ?’’ —ରାଜ୍ୟପାଳ ହସି ହସି ଉତ୍ତର ଦେଲେ । ‘‘ମୋ ପାଖରେ ପୁଣି ତୁମର ପ୍ରାର୍ଥନା କଅଣ ?’’

 

‘‘ଆଜ୍ଞା, ସ୍ୱାଧୀନ ଭାରତର ସମ୍ବିଧାନ ଅନୁସାରେ ରାଜ୍ୟପାଳ ହିଁ ରାଜ୍ୟର ସର୍ବଶ୍ରେଷ୍ଠ ବ୍ୟକ୍ତି । ଏ ସବୁ ଦରବାର କାର୍ଯ୍ୟରେ ସେ ଆଗେ ଆଗେ ଚାଲିବା ନିୟମ । ଆପଣ ଟିକିଏ ଆଗକୁ ଚାଲି ଯାଆନ୍ତୁ ।’’ ନେତା ଅନୁରୋଧ କଲେ ।

 

ରାଜ୍ୟପାଳ ଜିଭ କାମୁଡ଼ି ପକାଇଲେ । ଧୀର ସ୍ୱରରେ ଆଗକୁ ନ ଶୁଭିଲା ପରି କହିଲେ, ‘‘ଆପଣ ଜାଣନ୍ତି, ସେ ମୋର ଗୁରୁଦେବ । କଲେଜରେ ସେ ମୋର ଅଧ୍ୟାପକ ଥିଲେ । ମୁଁ ତାଙ୍କ ଆଗକୁ ଯିବି ? ତୁମର ରାଜଭବନ ନିୟମରେ ବ୍ୟତିକ୍ରମ ଘଟୁଛି, ତେବେ ବରଂ ମୁଁ ରାଜ୍ୟପାଳ ପଦ ଛାଡ଼ି ଦେଉଛି, ମାତ୍ର ଗୁରୁଦେବଙ୍କ ଆଗକୁ ଯାଇ ତାଙ୍କର ଅବମାନନା କରିପାରିବି ନାହିଁ ।’’

 

ଆଗରେ ଚାଲୁଥିବା ବୃଦ୍ଧଙ୍କୁ ଏ କଥାର କିଛି ଅଂଶ ବୋଧହୁଏ ଶୁଭିଗଲା । ସେ ପଛକୁ ଚାହିଁ ସ୍ନେହବୋଳା କଣ୍ଠରେ ପଚାରିଲେ, ‘‘କି ହୀରେନ୍, କଅଣ ହେଲା କି ?’’

 

ରାଜ୍ୟପାଳ ହୀରେନ୍ଦ୍ର କୁମାର ବିନୟର ସହିତ ଉତ୍ତର ଦେଲେ, ‘‘ନା ସାର୍, କିଛି ହୋଇ ନାହିଁ । ଆପଣ ଯେ ମୋର ଗୁରୁଦେବ, ସେହି କଥାହିଁ ମୁଁ ମୋର ବନ୍ଧୁମାନଙ୍କୁ କହୁଥିଲି ।’’

 

ଛାତ୍ରଗୌରବରେ ଗର୍ବ ଅନୁଭବ କରି ବୃଦ୍ଧ ଅଭିଭୂତ ହୋଇପଡ଼ିଲେ ।

 

ଗୁରୁଙ୍କ ସହିତ କଥାବାର୍ତ୍ତା ହୋଇସାରି ରାଜ୍ୟପାଳ ବନ୍ଧୁଙ୍କୁ ଚାହିଁଲେ । ମାତ୍ର ନେତା ଓ ରାଜ୍ୟପାଳଙ୍କ ବନ୍ଧୁ କେତେବେଳେ ଯେ ଲଜ୍ଜାରେ ତଳକୁ ମୁହିଁ ପୋତି ପଛକୁ ଚାଲି ଯାଇଛନ୍ତି, ତାହା ଆଉ ସେ ଜାଣିପାରି ନ ଥିଲେ ।

Image

 

ହରିଦାସ ଓ ହରିବାବୁ

 

ମଥୁରା ଗୋଟିଏ ବଡ଼ ଗ୍ରାମ । ସେଥିରେ ବହୁତ ଲୋକ ବାସ କରନ୍ତି । ମାତ୍ର ସେମାନଙ୍କ ଭିତରେ କେବଳ ଦୁଇ ଜଣଙ୍କ ନାମଡ଼ାକ ଅତି ବେଶି । ଜଣେ ହରିବାବୁ ଓ ଅନ୍ୟ ଜଣକ ହରିଦାସ ।

 

ହରିବାବୁ ଧନୀ ଲୋକ; ଜମିଦାର ଓ ମହାଜନ । କେବଳ ମଥୁରା ନୁହେଁ; ଆଖପାଖ ଗ୍ରାମର ଲୋକେ ବି ତାଙ୍କ ଦୁଆରକୁ ଟଙ୍କା ପଇସା କରଜ ନେବାକୁ ଆସନ୍ତି । ସେ ଖୁବ୍ ଦାତା ମଧ୍ୟ-। ଟଙ୍କା ଦେଇ ଗ୍ରାମର ଦେବତା ମନ୍ଦିର କରାଇ ଦେଇଛନ୍ତି; ପିଲାଙ୍କ ପଢ଼ିବା ଲାଗି ସ୍କୁଲ ବସାଇଛନ୍ତି-। ପ୍ରତିବର୍ଷ ଯାତ୍ରା, ମେଳା, ମହୋତ୍ସବ କରି ବହୁତ ଲୋକଙ୍କୁ ଖାଇବାକୁ ଦିଅନ୍ତି । ଲୋକମାନେ ସବୁ ସମୟରେ ତାଙ୍କର ପ୍ରଶଂସା କରୁଥାନ୍ତି ।

 

ହରିଦାସ ଗାଁ ମୁଣ୍ଡରେ ଗୋଟିଏ ଛୋଟ କୁଡ଼ିଆ ଘରେ ରହନ୍ତି । ଘରେ କେବଳ ଦୁଇ ଜଣ—ସେ ଓ ତାଙ୍କ ସ୍ତ୍ରୀ । ମାମୁଁ ମାଇଁ ଦୁଇ ପ୍ରାଣୀ । ପ୍ରତିଦିନ ପରର ମୂଲଲାଗି ଯାହା କିଛି ରୋଜଗାର କରନ୍ତି, ସେଥିରେ ସୁଖେ ଦୁଃଖେ ସଂସାର ଚଳିଯାଏ । ଏଭଳି ଲୋକକୁ ବି ଗ୍ରାମବାସୀ ଆଦର କରନ୍ତି; ତାଙ୍କ ପଛରେ ଖୁବ୍ ପ୍ରଶଂସା କରନ୍ତି । କହନ୍ତି, ‘‘ହରିଦାସ ଭଳି ସାଧୁଲୋକ ଦୁନିଆରେ କମ୍ ଅଛନ୍ତି ।’’

 

ଦୁଃଖୀ ଭିକାରୀ କେହି କେବେ ହରିଦାସଙ୍କ ଦୁଆରୁ ଫେରିଯାଏ ନାହିଁ । କେହି ଆସି ମୁଠିଏ ଖାଇବାକୁ ମାଗିଲେ, ନିଜ ପାଇଁ ବଢ଼ା ହୋଇଥିବା ଭାତ ସେ ତାକୁ ଦେଇ ଦିଅନ୍ତି । ତାଙ୍କର ଗୋଟିଏ ପ୍ରଧାନ ଗୁଣ, ସେ କେବେ ରାଗନ୍ତି ନାହିଁ । ଟିକିଏ ହେଲେ ବିରକ୍ତ ହେବାର କେହି କେବେ ତାଙ୍କୁ ଦେଖି ନାହିଁ । ଅତି ବିନୟୀ; ଖୁବ୍ ନମ୍ର ।

 

ଗ୍ରାମର ଲୋକେ ସେଥିପାଇଁ ହରିଦାସଙ୍କର ଏତେ ପ୍ରଶଂସା କରନ୍ତି, ତାଙ୍କୁ ସାଧୁ ବୋଲି କହନ୍ତି ।

 

ଲୋକଙ୍କର ଏହି ପ୍ରଶଂସା କଥା ହରିବାବୁଙ୍କ କାନରେ ବାଜିଲା । ତାଙ୍କ ମନରେ ଟିକିଏ ଦୁଃଖ ହେଲା, ହିଂସା ବି ହେଲା; ପୁଣି ଲୋକଙ୍କ ଉପରେ ରାଗ ହେଲା ।

 

ସେ ମନରେ ଭାବିଲେ, କେଉଁ ମଣିଷ ମନରେ ବା କ୍ରୋଧ ନାହିଁ ? ଚିଡ଼ାଇ ଦେଲେ ଯେତେ ବଡ଼ ସାଧୁ ହେଉ ପଛକେ ସେ ନିଶ୍ଚୟ ରାଗି ଉଠିବ । ହରିଦାସ ବା କି ଛାର । ଗାଁ ଲୋକେ ମୋ ମାନ ସମ୍ମାନ ତଳକୁ ପକାଇ ଦେବାପାଇଁ ତାକୁ ମିଛରେ ଏତେ ପ୍ରଶଂସା କରୁଛନ୍ତି ।

 

ହରିବାବୁ ମନରେ ସିନା ଏତେ କଥା ଭାବୁଥାଆନ୍ତି; କିନ୍ତୁ କାହାକୁ କିଛି କହୁ ନ ଥାନ୍ତି ।

 

ଦିନେ ଅନ୍ୟ ଗୋଟିଏ ଗ୍ରାମର ବୁଢ଼ା ବ୍ରାହ୍ମଣ ଜଣେ ଆସି ହରିବାବୁଙ୍କ ପାଖରେ ପହଞ୍ଚିଲେ । ବୃଦ୍ଧ ବଡ଼ ଗରିବ । ତାଙ୍କର ଗୋଟିଏ ଝିଅ । ଟଙ୍କା ପଇସା ନ ଥିବାରୁ ତାକୁ ବିବାହ ଦେଇପାରୁ ନାହାନ୍ତି । ହରିବାବୁଙ୍କ ନାମଡ଼ାକ ଶୁଣି କିଛି ଟଙ୍କା ଋଣ ନେବାକୁ ଆସିଛନ୍ତି ।

 

ହରିବାବୁ ବୃଦ୍ଧ ବ୍ରାହ୍ମଣଙ୍କୁ ଦେଖିଲେ । ତାଙ୍କୁ ଆଦର କରି ଘରଭିତରକୁ ଡାକିନେଲେ । କେତେକ କଥାବାର୍ତ୍ତା ପରେ ସେ କାହିଁକି ଆସିଛନ୍ତି ବୋଲି ପଚାରିଲେ ।

 

ବୃଦ୍ଧ ବଡ଼ କାକୁତି ହୋଇ କହିଲେ, ‘‘ଟଙ୍କା ନ ଥିବାରୁ ମୁଁ ଝିଅଟିକୁ ବିବାହ ଦେଇପାରୁ ନାହିଁ । ବଡ଼ ଚିନ୍ତାରେ ପଡ଼ିଛି । ଆପଣ ଦୁଇ ଶହ ଟଙ୍କା କରଜ ଦେଲେ ମୁଁ ଏ ଚିନ୍ତାରୁ ରକ୍ଷା ପାଇବି-। ପରେ ସେ ଟଙ୍କା ଅସଲ ସୁଧ ମିଶାଇ ପରିଶୋଧ କରିଦେବି ।’’

 

ହରିବାବୁଙ୍କ ମନରେ ଗୋଟିଏ ଉପାୟ ଖେଳିଗଲା । ସେ ଟିକିଏ ଚିନ୍ତା କରି କହିଲେ, ‘‘ଆପଣ କରଜ ନେବା ଦରକାର ନାହିଁ କି ଅସଲ ସୁଧ ପରିଶୋଧ କରିବାକୁ ଆପଣଙ୍କୁ ପଡ଼ିବ ନାହିଁ । ଆପଣ ଯଦି ମୋର ଗୋଟିଏ କଥା ରଖିବେ, ତେବେ ମୁଁ ପାଞ୍ଚ ଶହ ଟଙ୍କା ସେହିପରି ଦାନ କରିଦେବି । ଆପଣ ସେଥିରେ ଖୁବ୍ ଆଡ଼ମ୍ବରରେ ଝିଅକୁ ବିବାହ ଦେବେ ।’’

 

ବୃଦ୍ଧ ଏହା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ । ସେ ଦୁଇ ଶହ ଟଙ୍କା କରଜ ମାଗୁଥିଲେ; ମାତ୍ର ପାଞ୍ଚ ଶହ ଟଙ୍କା ଦାନ ମିଳିଯିବ । କେଡ଼େ ଭାଗ୍ୟ ତାଙ୍କର ।

 

ସେ କହିଲେ, ‘‘କହନ୍ତୁ କଅଣ କରିବାକୁ ହେବ । ମୁଁ ସଙ୍ଗେ ସଙ୍ଗେ ଆପଣଙ୍କ ନିର୍ଦ୍ଦେଶ ମୁତାବକ କାର୍ଯ୍ୟ କରିବି ।’’

 

ହରିବାକୁ କହିଲେ, ‘‘ଏ ଗ୍ରାମର ଶେଷ ମୁଣ୍ଡରେ ହରିଦାସ ବୋଲି ଜଣେ ଲୋକ ଅଛି । ଆପଣ ଯଦି ତାକୁ ଥରେ ରଗେଇ ଦେଇପାରିବେ, ତେବେ ମୁଁ ନିଶ୍ଚୟ ଟଙ୍କା ଦେଇଦେବି ।’’

 

‘‘ଛାର ଏଇ କଥା ତ ! ମୁଁ ବର୍ତ୍ତମାନ ସେଠାକୁ ବାହାରିଲି । ତେବେ ସେ ଯେ ରାଗିଲେ, ସେ କଥା ଆପଣ ବିଶ୍ୱାସ କରିବେ କିପରି ?’’ —ବୃଦ୍ଧ ପଚାରିଲେ ।

 

ହରିବାବୁ କହିଲେ, ‘‘ସେଥିପାଇଁ ଆପଣଙ୍କର ଚିନ୍ତା ନାହିଁ । ଆପଣ କେବଳ ଥରେ ମାତ୍ର ତାକୁ ରଗାଇ ଦିଅନ୍ତୁ ।’’

 

ବୁଢ଼ା ହରିଦାସଙ୍କ ଘରକୁ ବାହାରିଲେ । ହରିବାବୁ ତାଙ୍କ ପଛରେ ଲୁଚି ଲୁଚି ଗଲେ । ସାଙ୍ଗରେ ଦୁଇ ତିନି ଜଣଙ୍କୁ ମଧ୍ୟ ନେଇଥାନ୍ତି । ସେମାନଙ୍କୁ ଦେଖାଇଦେବେ, ହରିଦାସ ମନରେ କ୍ରୋଧ ଅଛି କି ନାହିଁ । ଗାଁ ଲୋକେ ଏହା ଜାଣିଗଲେ ତ ଆଉ ହରିଦାସଙ୍କୁ ପ୍ରଶଂସା କରିବେ ନାହିଁ-

 

ସେମାନେ ଯାଇ ହରିଦାସଙ୍କ ଘର ପାଖରେ ଲୁଚି ବସି ରହିଲେ ।

 

ବୁଢ଼ା ବ୍ରାହ୍ମଣ ହରିଦାସଙ୍କ ଘରକୁ ଗଲେ । ଅଚିହ୍ନା, ଅଜଣା, ଅଶୁଣା ଜଣେ ଅତିଥିଙ୍କୁ ଦେଖି ହରିଦାସ ଖୁସି ହୋଇଗଲେ । ପଚାରିଲେ, ‘‘ଆପଣ କୁଆଡ଼େ ?’’

 

ବୃଦ୍ଧ କହିଲେ, ‘‘ମୁଁ ଆଜି ଆପଣଙ୍କ ଘରେ ଖାଇବି ।’’

 

ହରିଦାସ କହିଲେ, ‘‘ଆପଣଙ୍କର ଅସୀମ ଦୟା । ମୁଁ ତ ଗରିବ । ଯାହା କିଛି ସାମାନ୍ୟ ରନ୍ଧା ହୋଇଛି, ତା ଆପଣଙ୍କୁ ଖୁଆଇପାରିଲେ ମୁଁ କୁତାର୍ଥ ହେବି ।’’

ବୃଦ୍ଧ ତେଲ ଲଗାଇ ଗାଧୋଇବାକୁ ଚାଲିଗଲେ । ହରିଦାସଙ୍କ ନିର୍ଦ୍ଦେଶ ମୁତାବକ ତାଙ୍କ ସ୍ତ୍ରୀ ରନ୍ଧାରନ୍ଧି କଲେ । ଅତିଥି ଯେପରି ଖାଇ ଖୁସି ହେବେ, ସେଥିପାଇଁ ପାରୁ ପର୍ଯ୍ୟନ୍ତ ବ୍ୟବସ୍ଥା କଲେ ।

ବହୁତ ସମୟ ଗଡ଼ିଗଲା, ବୃଦ୍ଧ ଫେରିଲେ ନାହିଁ । ଅତିଥି ବ୍ରାହ୍ମଣ ନ ଖାଇଲେ ହରିଦାସ ବା କିପରି ଖାଇବେ ? ତେଣୁ ଭୋକ ଉପାସରେ ସେ ବି ବସି ରହିଲେ ।

ଅନେକ ବିଳମ୍ବରେ ସେ ଗାଧୋଇ ସାରି ଫେରିଲେ । ହରିଦାସଙ୍କ ସ୍ତ୍ରୀ ଯତ୍ନର ସହିତ ଭାତ ତରକାରୀ ବାଢ଼ି ଆଣି ତାଙ୍କ ଆଗରେ ରଖିଦେଲେ । ବୃଦ୍ଧ ତାହା ଦେଖି ସଙ୍ଗେ ସଙ୍ଗେ କ୍ରୋଧରେ ଲାଲ ପଡ଼ିଗଲେ । ବଡ଼ ପାଟିରେ ଗର୍ଜ୍ଜନ କରି କହିଲେ, ‘‘ମୁର୍ଖ, ଏଇ ଗୁଡ଼ାକ ମୋତେ ଖାଇବାକୁ ଦେଉଛୁ ? ମୁଁ ଏ ସବୁ କିଛି ଖାଇବି ନାହିଁ । ଆଉ କଅଣ ଅଛି ଆଣି ଦେ ।’’

ଏହା କହି ସେ ଭାତ ତରକାରୀ ସବୁ ଗୋଇଠା ମାରି ତଳକୁ ଫିଙ୍ଗିଦେଲେ ।

ହରିଦାସଙ୍କ ସ୍ତ୍ରୀ ଏହା ଦେଖି କାବା ହୋଇଗଲେ । ତାଙ୍କ ଗୋଡ଼ହାତ ଆଉ ଚଳିଲା ନାହିଁ ।

Image

 

ହରିଦାସ ଅତି ବିନୟର ସହିତ ବ୍ରାହ୍ମଣଙ୍କ ହାତ ଧରି କହିଲେ, ‘‘ଆଜ୍ଞା ମୋ ଦୋଷ କ୍ଷମା କରନ୍ତୁ । ଆପଣଙ୍କୁ ଖୁସି କରି ନ ପାରି ମୁଁ ବଡ଼ ଦୁଃଖିତ । ଆଉ କଅଣ ଦରକାର କହନ୍ତୁ, ମୁଁ ବର୍ତ୍ତମାନ ଆଣି ଖାଇବାକୁ ଦେବି ।’’

 

ବ୍ରାହ୍ମଣ ହରିଦାସଙ୍କ ହାତକୁ ଛାଟି ଦେଲେ, ଗୋଇଠା ମାରି ତାଙ୍କୁ ପାଖରୁ ଠେଲି ଦେଲେ । କହିଲେ, ‘‘ନା, ତୋ ଘରେ ଆଉ ଖାଇବି ନାହିଁ ।’’

 

ହରିଦାସ ପୁଣି କାକୁତି ହୋଇ କହିଲେ, ‘‘ଆପଣ ରାଗନ୍ତୁ ନାହିଁ । ମୁଁ ସଙ୍ଗେ ସଙ୍ଗେ ଖାଇବା ଦ୍ରବ୍ୟ ଆଣି ଦେବି । କଅଣ ଦରକାର କହନ୍ତୁ ।’’

 

ବ୍ରାହ୍ମଣ ଅକଥ୍ୟ ଭାଷାରେ ତାଙ୍କୁ ଓ ତାଙ୍କ ସ୍ତ୍ରୀଙ୍କୁ ଗାଳି ଦେଇ ସେଠାରୁ ଉଠି ପଡ଼ିଲେ । ହରିଦାସ ତାଙ୍କ ପଛେ ପଛେ ଚାଲିଲେ; ଫେରି ଆସି ତାଙ୍କ ଘରେ ଖାଇବା ପାଇଁ ବହୁତ ଅନୁରୋଧ କଲେ ।

 

ବ୍ରାହ୍ମଣ ତ ସତକୁ ସତ ରାଗି ନ ଥିଲେ, ସେ ମିଛରେ ଅଭିନୟ କରୁଥିଲେ । ଏ ଅଭିନୟ ବା ଆଉ କେତେବେଳେ ରହନ୍ତା ? ଶେଷକୁ ସେ ହରିଦାସଙ୍କ କଥାରେ କାନ୍ଦି ପକାଇଲେ-। ତାଙ୍କୁ କୁଣ୍ଢାଇ ଧରି କହିଲେ, ‘‘ଭାଇ, ତୁମର କିଛି ଦୋଷ ନାହିଁ । ସବୁ ମୋର କର୍ମ ଦୋଷ । ମୁଁ ତୁମ୍ଭଙ୍କୁ ରଗାଇବାକୁ ଆସିଥିଲି । ତୁମେ ଟିକିଏ ରାଗି ଯାଇଥିଲେ ମୁଁ ପାଞ୍ଚ ଶହ ଟଙ୍କା ପାଇଥାନ୍ତି, ମୋ ଝିଅକୁ ବିବାହ ଦେଇଥାନ୍ତି । ଯେତେ ଯାହା କଲେ ବି ତୁମେ ରାଗିଲ ନାହିଁ ।’’

 

ଏହା ଶୁଣି ହରିଦାସ ସେଠାରେ ମୁଣ୍ଡରେ ହାତ ଦେଇ ବସି ପଡ଼ିଲେ । ବଡ଼ ଦୁଃଖରେ କହିଲେ, ‘‘ମୋ ଲାଗି ଆପଣଙ୍କ ଝିଅର ବିଭାଘର ବନ୍ଦ ହୋଇଗଲା ସିନା ! ଏ କଥା ଆପଣ ଆଗରୁ ଟିକିଏ କହିଥିଲେ, ମୁଁ ତ ରାଗି ଯାଇଥାନ୍ତି, ଆପଣ ଟଙ୍କା ପାଇଥାନ୍ତେ । ତା ହେଲା ନାହିଁ । ଏବେ ଆପଣ ପୁଣି ଥରେ ମୋତେ ଗାଳି ଦିଅନ୍ତୁ—ମୁଁ ରାଗିବି ।’’

 

ହରିବାବୁ ସେହି ସମୟରେ ଆସି ସେ ଦୁହିଁଙ୍କ ଆଗରେ ଠିଆ ହୋଇଗଲେ । କହିଲେ, ‘‘ନା, ତୁମର ରାଗିବା ଦରକାର ନାହିଁ । ମୋ ମନରେ ଗର୍ବ ଥିଲା ଯେ, ମୁଁ ବଡ଼ । ମାତ୍ର ତୁମେ ପ୍ରକୃତରେ କେଡ଼େ ବଡ଼, କେଡ଼େ ମହତ୍ ତାର ପରିଚୟ ଆଜି ପାଇଲି । ମୁଁ ଯାଉଛି, ବୁଢ଼ା ବ୍ରାହ୍ମଣଙ୍କୁ ଟଙ୍କା ଦେବି ।’’

Image

 

ତିନି ଭାଇ

 

କୁଞ୍ଜ ଗ୍ରାମର ବଡ଼ ଚାଷୀ । ପ୍ରତିବର୍ଷ ହଜାର ହଜାର ଟଙ୍କାର ଫସଲ ସେ ଆମଦାନୀ କରନ୍ତି ।

ତାଙ୍କର ତିନି ପୁଅ—ଜ୍ଞାନରଞ୍ଜନ, ସତ୍ୟରଞ୍ଜନ ଓ ନିତ୍ୟରଞ୍ଜନ । ତିନୋଟିଯାକ ଭଲ ପିଲା; ଶାନ୍ତ, ଶିଷ୍ଟ ଓ ମେଧାବୀ । ପାଠ ପଢ଼ି ଗୋଟିକ ପରେ ଗୋଟିଏ ତିନି ଜଣଯାକ ବି.ଏ. ପାସ୍‌ କଲେ ।

କୁଞ୍ଜ ଦିନେ ସେମାନଙ୍କୁ ଡାକି କହିଲେ, ‘‘ତୁମେ ତିନିହେଁ ତ ବଡ଼ ହେଲଣି । ଜମିବାଡ଼ି ବ୍ୟତୀତ ମୋ ପାଖରେ ଦଶ ହଜାର ଟଙ୍କା ଅଛି । କିଏ କଅଣ ନେବ କହ ।’’

ଜ୍ଞାନରଞ୍ଜନ କହିଲେ, ‘‘ମୋର ଜମିବାଡ଼ି ଦରକାର ନାହିଁ । ମୋର ଭାଗ ମୋତେ ଟଙ୍କା ଦିଅନ୍ତୁ । ମୁଁ ବେଶି ପାଠ ପଢ଼ିବି । ତା ହେଲେ ଦେଶରେ ଗଣ୍ୟମାନ୍ୟ ବ୍ୟକ୍ତି ହେବି ।’’

ସତ୍ୟରଞ୍ଜନ କହିଲେ, ‘‘ମୋର ବି ଟଙ୍କା ଦରକାର । ମୁଁ ଆଉ ପଢ଼ିବାକୁ ଚାହୁଁ ନାହିଁ । ସେ ଟଙ୍କା ନେଇ ବ୍ୟବସାୟ କରିବି । ବ୍ୟବସାୟରେ ବହୁତ ଲାଭ ହୁଏ । ମୁଁ ଶୀଘ୍ର ବଡ଼ ଧନୀ ହୋଇଯିବି ।’’

ଶେଷରେ ନିତ୍ୟରଞ୍ଜନ କହିଲେ, ‘‘ବାପା, ଦୁଇ ଭାଇ ତ ଟଙ୍କା ନେଲେ, ଜମିବାଡ଼ି ନେବାକୁ କେହି ଚାହିଁଲେ ନାହିଁ । ତା ହେଲେ ମୋତେ ଜମିତକ ଦିଅ । ମୋର ଟଙ୍କା ଦରକାର ନାହିଁ । ମୁଁ ସେହି ଜମି ଚାଷ କରି ଚଳିବି ।’’

କୁଞ୍ଜ ତିନି ପୁଅଙ୍କ ଇଚ୍ଛା ମୁତାବକ ଟଙ୍କା ଓ ଜମି ଦେଇ ଦେଲେ ।

ଦଶ ବର୍ଷପରେ ।

ଜ୍ଞାନରଞ୍ଜନ ବର୍ତ୍ତମାନ ବଡ଼ ହାକିମ । ବହୁତ ଟଙ୍କା ଦରମା ପାଆନ୍ତି, ସବୁବେଳେ ସହରରେ ରହନ୍ତି । ତାଙ୍କର ଦୁଇଟା ମଟର ଗାଡ଼ି । ସେ ଏଡ଼େ ପ୍ରତାପୀ ହାକିମ ଯେ, ତାଙ୍କ ନାମ ଶୁଣିଲେ ଲୋକେ ଥରହର ହୋଇ ଉଠନ୍ତି । ସରକାର ତାଙ୍କୁ ଉପାଧି ଦେଇଛନ୍ତି । ତାଙ୍କ ନାମ ହୋଇଛି ମିଷ୍ଟର ରଞ୍ଜନ ।

ସତ୍ୟରଞ୍ଜନ ବ୍ୟବସାୟ କରି ଲକ୍ଷ ଲକ୍ଷ ଟଙ୍କାର ମାଲିକ ହୋଇଛନ୍ତି । ବହୁତ ସ୍ଥାନରେ ତାଙ୍କର କାରବାର ଚାଲେ, ଅନେକ ଲୋକ ତାଙ୍କ ପାଖରେ କାମ କରନ୍ତି । ସେ ସତ୍ୟରଞ୍ଜନବାବୁ । ଗ୍ରାମପଞ୍ଚାୟତର ସରପଞ୍ଚ, ହାଇସ୍କୁଲ ପରିଚାଳନା ସମିତିର ସଭାପତି । ଗ୍ରାମକୁ ମନ୍ତ୍ରୀ ଆସିଲେ ଆଗ ତାଙ୍କ ଘରେ ଅତିଥି ହୁଅନ୍ତି । ବ୍ୟବସାୟକୁ ବଢ଼ାଇବା ଲାଗି ସେ ସରକାରଙ୍କଠାରୁ ମଧ୍ୟ ବହୁତ ଟଙ୍କା ୠଣ ଆଣିଛନ୍ତି ।

ନିତ୍ୟରଞ୍ଜନ ଜମି ଚାଷ କରନ୍ତି । ଗ୍ରାମରେ ଗାଁ ଲୋକଙ୍କ ସାଙ୍ଗରେ ମିଶି ଚଳନ୍ତି । ସେ ଆଉ ନିତ୍ୟରଞ୍ଜନ ନୁହନ୍ତି, ଗାଁ ଲୋକଙ୍କ ଡାକରେ ‘ନିତିଆ’ ହୋଇଗଲେଣି । ସମସ୍ତେ କହନ୍ତି ଏଇଟା ବଂଶର କୁଳାଙ୍ଗାର । ବଡ଼ ଭାଇଙ୍କର କେତେ ନାମଡ଼ାକ, ସେ କେଡ଼େ ମଉଜରେ ଅଛନ୍ତି । ମାତ୍ର ନିତିଆଟା ଗୋଟାଏ ଚଷା ହୋଇ ଜୀବନ କଟାଇଦେଲା ।

କୁଞ୍ଜଙ୍କର ମରଣ ସମୟ ଆସିଲା । ତିନି ପୁଅଙ୍କୁ ପାଖକୁ ଡକାଇଲେ । ଏକାଠି ବସାଇ କହିଲେ ମୋ ପାଖରେ ଆଉ କିଛି ଧନ ସମ୍ପତ୍ତି ଅଛି । ତୁମ ତିନିଙ୍କ ଭିତରୁ ଯେ ବେଶି ଯୋଗ୍ୟ, ସେ ସମ୍ପତ୍ତି ତାକୁ ହିଁ ଦେବି । କିଏ ସେ ସମ୍ପତ୍ତି ପାଇବାକୁ ହକଦାର, କହିଲ ।’’

 

ବଡ଼ ପୁଅ ମିଷ୍ଟର ରଞ୍ଜନ କହିଲେ, ‘‘ମୁଁ ଯେ ବେଶି ଯୋଗ୍ୟ, ଏକଥା କିଏ ନ କହିବ ? ମୋର ଆୟ ବହୁତ ବେଶି; ସେହିପରି ମାନସମ୍ମାନ ମଧ୍ୟ ଅଧିକ । ସାରା ଦେଶରେ ମୋତେ ନ ଚିହ୍ନେ କିଏ ? ମୋରି ଯୋଗେ ହିଁ ଏ ସରକାର ଚଳୁଛି । ମୁଁ ଏକା ତୁମର ନୁହେଁ, ଏ ଦେଶର ଯୋଗ୍ୟ ପୁଅ ।’’

 

Image

 

ବୃଦ୍ଧ ଉତ୍ତର ଦେଲେ, ‘‘ତୁ ତ ପ୍ରଥମରୁ ମୋ ପୁଅ ନୋହୁ; ପୁଣି ମୋ ଯୋଗ୍ୟପୁଅ ବୋଲି କହୁଛୁ କିପରି ? ମୋ ପୁଅ ଜ୍ଞାନରଞ୍ଜନ; ତୁ କିନ୍ତୁ ମିଷ୍ଟର ରଞ୍ଜନ । ମୋ ବାପ ଅଜା ଚଉଦ ପୁରୁଷ ଧୋତି ଲୁଗା ପିନ୍ଧୁଥିଲେ, ତୁ କୋଟ୍ ପ୍ୟାଣ୍ଟ୍ ପିନ୍ଧୁଛୁ । ପୁଣି ଯେଉଁ ଟଙ୍କା ରୋଜଗାର କରୁଛୁ ବୋଲି କହୁଛୁ, ତା ତ ତୁ ଭିଆଉ ନାହୁଁ । ଦେଶର ଲୋକେ ସେ ଟଙ୍କା କରଟିକସ ଆକାରରେ ସରକାରଙ୍କୁ ଦିଅନ୍ତି । ସରକାର ଯାହା ତୁମକୁ ଦରମା ରୂପରେ ଦେଉଛନ୍ତି, ତାହା ତୋର ଟଙ୍କା ନୁହେ କି ସରକାରଙ୍କ ଟଙ୍କା ନୁହେଁ; ଦେଶବାସୀଙ୍କ ପରିଶ୍ରମର ଫଳ ।’’

 

ତା ପରେ ସେ ସତ୍ୟରଞ୍ଜନ ମୁହଁକୁ ଚାହିଁଲେ ।

 

ସତ୍ୟରଞ୍ଜନବାବୁ କହିଲେ ‘‘ମୁଁ ବେଶି ଯୋଗ୍ୟ । ମୋ ବୁଦ୍ଧିବଳରେ ମୁଁ ବହୁତ ଟଙ୍କା ରୋଜଗାର କଲିଣି । ମୋ ଅଧୀନରେ ଶହ ଶହ ଲୋକ ଚାକିରି କରିଛନ୍ତି । ମୋତେ ସମସ୍ତେ ଖାତିର କରନ୍ତି । ମନ୍ତ୍ରୀ ଆସିଲେ ଆଗେ ମୋତେ ଖୋଜନ୍ତି । ମୁଁ ତୁମର ଯୋଗ୍ୟ ପୁଅ ନ ହୋଇ ଆଉ କିଏ ହେବ ?’’

 

ବୃଦ୍ଧ ମରୁକିହସା ଦେଇ କହିଲେ, ‘‘ତୁ ବାବୁ ! ତୁ ବହୁତ ଟଙ୍କାର ମାଲିକ ହୋଇଛୁ ସତ; ମାତ୍ର ତାକୁ ତ ତୁ ରୋଜଗାର କରି ନାହୁଁ । ଗୋଟିଏ ସ୍ଥାନର ଜିନିଷ ଅନ୍ୟ ସ୍ଥାନରେ ନେଇ ବିକୁଛୁ । ସେଥିରେ ଲୋକଙ୍କୁ ଠକାଇ ଯାହା ପଇସା ପାଉଛୁ, ସେ ତୋ ଟଙ୍କା ନୁହେଁ, ଦେଶ ଲୋକଙ୍କ ଟଙ୍କା-।’’

 

ଶେଷରେ ସାନପୁଅ ନିତିଆର ପାଳି । ସେ କହିଲା, ‘‘ବାପା, ମୁଁ ଯୋଗ୍ୟ କି ନୁହେଁ, ତା କହିପାରିବି ନାହିଁ । କିନ୍ତୁ ମୁଁ ପ୍ରକୃତ ରୋଜଗାରୀ । ମୁଁ ଜମି ଚାଷ କରେ । ଜମିରୁ ଧାନ, ବିରି, ମୁଗ ପ୍ରଭୃତି ଯେଉଁ ଫସଲ ହୁଏ, ତାକୁ ବିକି ପଇସା ଜମାଏ । ମୁଠାଏ ବିହନ ପକାଇଲେ ମୁଁ ତାର ଦଶଗୁଣ ଫସଲ ପାଏ । ବଗିଚାରେ ଗୋଟିଏ ଗୋଟିଏ ମଞ୍ଜି ପୋତି ମୁଁ ଯେଉଁ ଗଛସବୁ ଉତାରିଛି, ସେ ପ୍ରତ୍ୟେକରୁ ବର୍ଷକୁ ଶହ ଶହ ଫଳ ମିଳୁଛି । ମୁଁ ପ୍ରଥମେ ଦୁଇଟି ଗାଈ ପାଳିଥିଲି, ବର୍ତ୍ତମାନ ଗାଈ ବାଛୁରୀ ହୋଇ ଦଶ ଗୋଟି ହେଲେଣି । ମୋ ପରିଶ୍ରମ ଯୋଗେ ଦେଶରେ ଫସଲ ବେଶି ହେଉଛି; ଗଛ, ଫଳ, ଫୁଲ, ପନିପରିବା ଅଧିକ ହେଉଛି; ଗାଇ, ଛେଳି ପ୍ରଭୃତିଙ୍କ ସଂଖ୍ୟା ବଢ଼ୁଛି । ତେଣୁ ଦୁଧ, ଦହି, ଘିଅ ପ୍ରଚୁର ପରିମାଣରେ ମିଳୁଛି ।

 

ଏହା ଶୁଣି ବୃଦ୍ଧ ହସିଦେଲେ । ସେ ହସ ତାଙ୍କ ଅନ୍ତର ଭିତରୁ ବାହାରି ଆସୁଥିଲା ।

 

ସେ କହିଲେ, ‘‘ମୋ ପାଖରେ ଆଉ ଧନ ସମ୍ପତ୍ତି କିଛି ନାହିଁ । ଅଛି କେବଳ ଆଶୀର୍ବାଦ-। ମୋ ମତରେ ନିତିଆ ହିଁ ମୋର ଯୋଗ୍ୟ ପୁଅ । ମୁଁ ତାକୁ ଆଶୀର୍ବାଦ କରୁଛି, ସେ ତା କାର୍ଯ୍ୟରେ ଉନ୍ନତି କରୁ, ଭଗବାନ ତାକୁ ସହାୟ ହୁଅନ୍ତୁ ।’’

Image

 

ସୁଧନ୍ୱା ଓ ବିରୋଚନ

 

ଗୁରୁ ଆଶ୍ରମର ଦୁଇଟି ଛାତ୍ର—ବିରୋଚନ ଓ ସୁଧନ୍ୱା । ଦୁହେଁ ବଡ଼ ସାଙ୍ଗ । କିନ୍ତୁ ସେହି ଦୁଇ ସାଙ୍ଗ ଭିତରେ ବି ଥରେ ଯୁକ୍ତିତର୍କ ଆରମ୍ଭ ହୋଇଗଲା, ତାହା ବଢ଼ି ବଢ଼ି ଜିଦ୍ ଉପରକୁ ଆସିଗଲା ।

 

ବିରୋଚନ ଦୈତ୍ୟରାଜ ପ୍ରହ୍ଲାଦଙ୍କ ପୁଅ । ପ୍ରହ୍ଲାଦ ବଡ଼ ବିଷ୍ଣୁଭକ୍ତ, ନ୍ୟାୟପରାୟଣ । ତାଙ୍କ ବାପ ହିରଣ୍ୟକଶିପୁ ବିଷ୍ଣୁଙ୍କର ଶତ୍ରୁ । ପ୍ରହ୍ଲାଦ ବିଷ୍ଣୁଙ୍କୁ ପୂଜା କରିବାରୁ ସେ ପୁଅକୁ ମାରି ପକାଇବାକୁ ବହୁତ ଚେଷ୍ଟା କରିଥିଲେ; ମାତ୍ର ଶେଷରେ ବିଷ୍ଣୁଙ୍କ ହାତରେ ମଲେ । ପ୍ରହ୍ଲାଦ ରାଜା ହେଲେ ।

 

ସୁଧନ୍ୱା ଗୋଟିଏ ଦରିଦ୍ର ବ୍ରାହ୍ମଣର ପୁଅ ।

 

ତର୍କର ବିଷୟ ହେଉଛି—ପ୍ରକୃତ ବୀର କିଏ ?

 

ବିରୋଚନ କହିଲେ, ‘‘ଯେ ଯୁଦ୍ଧରେ ରାଜ୍ୟ ପରେ ରାଜ୍ୟ ଦଖଲ କରେ, ଶହ ଶହ ଲୋକ ହତ୍ୟା କରିପାରେ, ସେ ପ୍ରକୃତ ବୀର । ଯେ ଯେତେ ଲୋକ ମାରି ବିଜୟୀ ହେବ, ସେ ସେତେ ବଡ଼ ବୀର ବୋଲି ଗଣ୍ୟ ହେବ ।’’

 

ସୁଧନ୍ୱା କହିଲେ, ‘‘ନା, ଯେ ଅନ୍ୟର ଜୀବନ ରଖିବାକୁ ଯାଇ ନିଜ ଜୀବନ ଦେବାକୁ କୁଣ୍ଠିତ ହୁଏ ନାହିଁ, ସେହି ହିଁ ବୀର । ଅନ୍ୟକୁ ମାରିଦେବା ଖୁବ୍ ସହଜ । ଯେ କୌଣସି ବ୍ୟକ୍ତି ତାହା କରିପାରେ, ମାତ୍ର ଅନ୍ୟର ଜୀବନ ରକ୍ଷା କରିବାପାଇଁ କଷ୍ଟ । ତା ଯେ କରିପାରେ, ସେ ପ୍ରକୃତ ବୀରତ୍ୱର ପରିଚୟ ଦିଏ ।’’

 

କେହି କାହା ମତରୁ ଟଳିବାକୁ ପ୍ରସ୍ତୁତ ନୁହନ୍ତି ।

 

ଶେଷକୁ ସୁଧନ୍ୱା କହିଲେ, ‘‘ଦେଖ ବନ୍ଧ, ଏ ତର୍କର ସମାଧାନ ତ କିଛି ଆମ ଭିତରେ ହୋଇପାରୁ ନାହିଁ । ଚାଲ ଅନ୍ୟ ଜଣେ କାହାକୁ ମଧ୍ୟସ୍ଥ ମାନିବା । ସେ ବିଚାର କରି ଯାହା କହିବେ, ଆମେ ଦୁହେଁ ତାହା ମାନି ନେବା ।’’

 

‘‘ଠିକ୍ କଥା ।’’ —ବିରୋଚନ ଉତ୍ତର ଦେଲେ, ‘‘ମାତ୍ର ସେଥିରେ ଗୋଟିଏ ସର୍ତ୍ତ ରହିବ-।’’

 

‘‘କି ସର୍ତ୍ତ ?’’ —ସୁଧନ୍ୱା ପଚାରିଲେ ।

 

‘‘ସର୍ତ୍ତ ଏଇ ଯେ, ମଧ୍ୟସ୍ଥଙ୍କ ବିଚାରରେ ଯେ ଜିତିବ, ସେ ଅନ୍ୟ ଲୋକକୁ ମାରି ତା ରକ୍ତ ଚିତା ଘେନିବ । ଅବଶ୍ୟ ଦୟା କରି ସେ ଛାଡ଼ି ଦେଇପାରେ; ମାତ୍ର ତା ଇଚ୍ଛା ଉପରେ ତାହା ନିର୍ଭର କରେ ।’’

 

ସୁଧନ୍ୱା ନାଚାର, ବାଧ୍ୟ ହୋଇ ବିରୋଚନ ବିରୋଚନ କଥାରେ ରାଜି ହେଲେ ।

 

‘‘ତେବେ ମଧ୍ୟସ୍ଥ କିଏ ହେବ ?’’

 

ବିରୋଚନ କହିଲେ, ‘‘ତୁମେ ଆଗ ଗୋଟିଏ ନାମ କହ । ମୋ ପସନ୍ଦ ହେଲେ ମୁଁ ରାଜି ହେବି, ନ ହେଲେ ମୁଁ ଅନ୍ୟ ନାମ ଉଠାଇବି ।’’

 

ଏହା ମୁହଁରେ କହିଲେ ସିନା; ମାତ୍ର ମନରେ ଭାବିଲେ, ସୁଧନ୍ୱା ନିଶ୍ଚୟ ତାଙ୍କ ବାପା କିମ୍ବା ତାଙ୍କର ପ୍ରିୟ କୌଣସି ବ୍ୟକ୍ତିଙ୍କ ନାମ କହିବେ । ତା ହେଲେ ମୁଁ ତାଙ୍କ କଥାରେ ଆଦୌ ସମ୍ମତ ହେବି ନାହିଁ ।

 

ସୁଧନ୍ୱା କହିଲେ, ‘‘ତୁମ ବାପା—ପ୍ରହ୍ଲାଦ ଆମର ମଧ୍ୟସ୍ଥ ହୁଅନ୍ତୁ ।’’

 

ବିରୋଚନ ମନେ ମନେ ଖୁସି ହୋଇ ଉଠିଲେ । ନିଜ ମତ ଯେ ସମ୍ପୂର୍ଣ୍ଣ ଠିକ୍, ସେ ତାହା ଦୃଢ଼ଭାବରେ ବିଶ୍ୱାସ କରନ୍ତି । ସେଥିରେ ପୁଣି ତାଙ୍କ ପିତା ବିଚାରକ । ଜୟ ଯେ ତାଙ୍କର, ଏଥିରେ ସନ୍ଦେହ ନାହିଁ । ସେ ସୁଧନ୍ୱାଙ୍କର ଏହି ଆତ୍ମବଡ଼ିମା ଆଦୌ ସହିପାରୁ ନ ଥିଲେ । ସେ ଜିତିଛନ୍ତି ବୋଲି ଘୋଷଣା ହେବା ସଙ୍ଗେ ସଙ୍ଗେ ସୁଧନ୍ୱାଙ୍କୁ ଖଣ୍ଡାର ଗୋଟାଏ ଚୋଟରେ ନିଶ୍ଚୟ ହାଣିଦେବେ । ତାଙ୍କ ରକ୍ତ ଚିତା ନ ଘେନିଲେ ମନରେ ଶାନ୍ତି ଆସିବ ନାହିଁ ।

 

ଦୁଇ ବନ୍ଧୁ ସେହି ମୁହୂର୍ତ୍ତରେ ରାଜସଭାକୁ ଗଲେ । ଦୈତ୍ୟରାଜ ପ୍ରହ୍ଲାଦ ସିଂହାସନରେ ବସିଥିଲେ । ପାତ୍ରମନ୍ତ୍ରୀ ଚାରିପାଖରେ ଘେରି ରହିଛନ୍ତି ।

 

ଦୁଇ ପିଲାଙ୍କୁ ଦେଖି ସ୍ନେହରେ ସେ ପଚାରିଲେ, ‘‘ଏତେବେଳେ ଗୁରୁ ଆଶ୍ରମ ଛାଡ଼ି ଏଠାକୁ ଆସିଲ କାହିଁକି ?’’

 

ସୁଧନ୍ୱା କହିଲେ, ‘‘ଆମେ ଦୁହେଁ ଆପଣଙ୍କ ପାଖରେ ବିଚାର ପ୍ରାର୍ଥୀ । ପ୍ରକୃତ ବୀର କିଏ ? ଯେ ଯୁଦ୍ଧ କରି ଅସଂଖ୍ୟ ଲୋକ ମାରିପାରେ—ସେ, ନା ଯେ ନିଜ ଜୀବନ ଦେଇ ଅନ୍ୟକୁ ରକ୍ଷା କରେ—ସେ ? ଏଇ ଦୁଇ କଥା ନେଇ ଆମ ଭିତରେ ଯୁକ୍ତିତର୍କ ଚାଲିଛି । ଆମେ କୌଣସି ସମାଧାନରେ ପହଞ୍ଚି ନ ପାରିବାରୁ ଆପଣଙ୍କ ପାଖକୁ ବିଚାର ପାଇଁ ଆସିଲୁ ।’’

 

ସଙ୍ଗେ ସଙ୍ଗେ ବିରୋଚନ କହି ଉଠିଲେ, ‘‘ଆପଣଙ୍କ ବିଚାରରେ ଯାହାର ମତ ଠିକ୍‌ ବୋଲି ବିବେଚିତ ହେବ, ସେ ତ ଜିତିବ । ଆମର କଥା ହେଉଛି, ବିଜେତା ପ୍ରତିଦ୍ୱନ୍ଦୀର ପ୍ରାଣନାଶ କରିବ । ସେହିଠାରେ ହିଁ ତାର ବୀରତ୍ୱର ପରିଚୟ ଦେବ । ବିଜୟର ଫଳ ସ୍ୱରୂପ ହାରିଥିବା ବ୍ୟକ୍ତିର ମୁଣ୍ଡ କାଟି ତାର ରକ୍ତ ଚିତା ଘେନିବ ।’’

 

ଏହା ଶୁଣି ପ୍ରହ୍ଲାଦଙ୍କ ମୁହଁ ଗମ୍ଭୀର ହୋଇଗଲା । କିଛି ସମୟ ମୌନ ରହି ସେ କ୍ଷୀଣସ୍ୱରରେ ପଚାରିଲେ, ‘‘ଏ ସର୍ତ୍ତ କଥା କିଏ ଆଗ ଉଠାଇଥିଲା ? ତୁ ନା ସୁଧନ୍ୱା ?’’

 

ସୁଧନ୍ୱା ଚୁପ୍‌ ହୋଇ ରହିଲେ । ବିରୋଚନ ଗର୍ବର ସହିତ ଉତ୍ତର ଦେଲେ, ‘‘ମୁଁ ଏ ସର୍ତ୍ତ ରଖିଛି ।’’

 

ପ୍ରହ୍ଲାଦଙ୍କ ମୁହଁ ଆହୁରି ଚିନ୍ତାମଗ୍ନ ହୋଇ ଉଠିଲା । ରାଜସଭାରେ ବସିଥିବା ପାତ୍ର, ମନ୍ତ୍ରୀ ଓ ପଣ୍ଡିତମାନେ ନୀରବରେ ରାଜାଙ୍କ ମୁହଁକୁ ଚାହିଁ ରହିଲେ । ସମସ୍ତଙ୍କ ମନ ଅସ୍ଥିର ରାଜା କି ଉତ୍ତର ଦେବେ । ସେ ଯାହା ନିଷ୍ପତ୍ତି କରନ୍ତୁ ନା କାହିଁକି; ଏ ଦୁଇଟି ସୁକୁମାର ପିଲାଙ୍କ ଭିତରୁ ଯେ କେହି ଜଣେ ବର୍ତ୍ତମାନ ତ ନିଶ୍ଚୟ ପ୍ରାଣ ଦେବ ।

 

ଏଣେ ବିରୋଚନଙ୍କ ମନ ବେଶି ଅଧୀର ହୋଇ ଉଠିଲାଣି । ସେ ମନେ ମନେ ଭାବୁଛନ୍ତି, ବାପା ତାଙ୍କ ସିଦ୍ଧାନ୍ତ ଶୀଘ୍ର ଘୋଷଣା କରୁ ନାହାନ୍ତି କାହିଁଙ୍କି ?

 

ପ୍ରହ୍ଲାଦ କିଛି ସମୟ ମୌନ ରହିଲେ । ତାହା ପରେ ଗମ୍ଭୀର ସ୍ୱରରେ କହିଲେ, ‘‘ବିରୋଚନ, ତୁ ମୋତେ ଗୋଟିଏ ବଡ଼ ସମସ୍ୟାରେ ପକାଇଲୁ । ତୁ ମୋର ଏକମାତ୍ର ପୁଅ; ତାହା ହିଁ ମୋ ସମସ୍ୟାର ପ୍ରଧାନ ବିଷୟ । ତା ନ ହୋଇଥିଲେ, ମୋର ଆଉ ଗୋଟିଏ ସନ୍ତାନ ଥିଲେ, ତୁମ ଦୁହିଁଙ୍କ ପ୍ରଶ୍ନର ସମାଧାନ ପାଇଁ ମୁଁ ଏତେ ସମୟ ନେଇ ନ ଥାନ୍ତି । ଯାହାହେଉ, ମୋର ସିଦ୍ଧାନ୍ତରେ ସୁଧନ୍ୱା କଥା ହିଁ ଠିକ୍‌ । ଯେ ଶହ ଶହ ଲୋକ ମାରେ, ସେ ବୀର ନୁହେଁ; ଯେ ଜଣେ ମାତ୍ର ଲୋକର ଜୀବନ ରକ୍ଷା କରିପାରେ, ସେଇ ହିଁ ପ୍ରକୃତ ବୀର । ତୋର ପରାଜୟ ହେଲା । ସୁଧନ୍ୱା ଇଚ୍ଛା କଲେ ତୋର ସର୍ତ୍ତ ଅନୁସାରେ ପ୍ରତିପକ୍ଷର ପ୍ରାଣ ନେଇପାରେ ।’’

 

ଏହା ଶୁଣି ସଭାର ଲୋକେ ଚମକି ଉଠିଲେ । ଗୋଟାଏ ବ୍ୟାକୁଳ କୁଞ୍ଜନ ଚାରିଆଡ଼ୁ ଶୁଣାଗଲା ।

 

ପ୍ରହ୍ଲାଦ ଏହା ବୁଝିପାରିଲେ । ସେ କହିଲେ, ‘‘ମୁଁ ରାଜା, ବିଚାରକ । ବିଚାର ପାଖରେ ସନ୍ତାନ ସ୍ନେହ ମମତାର ସ୍ଥାନ ନାହିଁ । ସୁଧନ୍ୱା, ତୁ ଜିତିଛୁ । ବର୍ତ୍ତମାନ ତୁମ ମଧ୍ୟରେ ହୋଇଥିବା ସର୍ତ୍ତ ପ୍ରତିପାଳିତ ହେଉ ।’’

 

ସୁଧନ୍ୱା ଏତେବେଳ ପର୍ଯ୍ୟନ୍ତ ତଳକୁ ମୁହଁ ପୋତି ଠିଆ ହୋଇଥିଲେ । ସେ ହଠାତ୍‌ ରାଜାଙ୍କ ଆଡ଼କୁ ଆଖି ପକାଇ କହିଲେ, ‘‘ମହାରାଜ, ଆପଣଙ୍କ ନ୍ୟାୟ ବିଚାରକୁ ଅମାନ୍ୟ କରିବାର କ୍ଷମତା ମୋର ନାହିଁ । ଅନ୍ୟର ପ୍ରାଣ ନେବାରେ କୌଣସି ବୀରତ୍ୱ କି ମହତ୍ତ୍ୱ ନାହିଁ—ଏହା ହିଁ ତ ଆପଣଙ୍କ ସିଦ୍ଧାନ୍ତ । ମୁଁ ଏହି ସିଦ୍ଧାନ୍ତ ମାନି ନେଉଛି । ବନ୍ଧୁ ବିରୋଚନଙ୍କ ପ୍ରାଣନାଶ କରି ମୁଁ ନିଜକୁ ହୀନ, ଛୋଟ କରିବି କାହିକିଁ ? ବରଂ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛି, ସେ ଦୀର୍ଘଜୀବୀ ହୁଅନ୍ତୁ, ଆପଣଙ୍କ ମହାନ୍‌ ଆଦର୍ଶରେ ଚଳି ଜୀବନରେ ଗୌରବ ଲାଭ କରନ୍ତୁ ।’’

 

‘‘ଧନ୍ୟ, ଧନ୍ୟ ସୁଧନ୍ୱା’’—ସଭାରେ ସମସ୍ତଙ୍କ ମୁହଁରୁ ଏକା ସ୍ୱରରେ ଏହି କଥା ବାହାରି ପଡ଼ିଲା ।

 

ବିରୋଚନ ଅତି ବିସ୍ମୟରେ ସୁଧନ୍ୱାଙ୍କ ମୁହଁକୁ ଟିକିଏ ଚାହିଁ ରହିଲେ । ତାହା ପରେ ତାଙ୍କୁ କୁଣ୍ଢାଇ ପକାଇ ଉଚ୍ଛ୍ୱାସିତ କଣ୍ଠରେ କହିଲେ, ‘‘ତୁମେ ଯେ ଏଡ଼େ ମହାନ୍‌, ମୁଁ ତାହା କଳ୍ପନା କରି ପାରି ନ ଥିଲି । ମୋର ଜୟ ହୋଇଥିଲେ, ମୁଁ ହୁଏ ତ ଏତେବେଳକୁ ତୁମ ମୁଣ୍ଡ କାଟିଦେଇ ସାରନ୍ତିଣି । ଆଜି ପ୍ରକୃତ ବୀର ତୁମେ । କେବଳ ଆଜି ନୁହେଁ, ମୋ ଜୀବନ ଥିବା ପର୍ଯ୍ୟନ୍ତ ମୋ ଅନ୍ତରରେ ତୁମେ ବିଜେତା ବୀର ରୂପେ ପୂଜା ପାଇବ ।’’

 

ସୁଧନ୍ୱା—ବିରୋଚନଙ୍କ ଆଲିଙ୍ଗନ ସଭାରେ ସମସ୍ତଙ୍କୁ ମୁଗ୍‌ଧ କରିଦେଲା ।

Image

 

ହରି ହେ ରକ୍ଷା କର

 

ସେ କାଳର କଥା ।

 

ଜଣେ ରାଜା । ରାଜାଙ୍କ ପାଖରେ କେତେ ଜଣ ବଡ଼ ପଣ୍ଡିତ ରହିଥାଆନ୍ତି । ସମସ୍ତେ ବେଦ, ପୁରାଣ, ଦର୍ଶନ ଶାସ୍ତ୍ରରେ ଧୁରନ୍ଧର ।

 

ରାଜା କିନ୍ତୁ ବେଶି ସମ୍ମାନ ଦେଖାନ୍ତି ପୁରୋହିତଙ୍କୁ । ପୁରୋହିତ ବେଶି ପାଠ ପଢ଼ି ନାହାନ୍ତି; ମାତ୍ର ବଡ଼ ଧାର୍ମିକ, ଧୀର । ଈଶ୍ୱରଙ୍କଠାରେ ତାଙ୍କର ଅଗାଧ ବିଶ୍ୱାସ । ଟିକକ କଥାରେ ସେ କହି ହେଉଥାନ୍ତି, ‘‘ହରି ହେ, ରକ୍ଷାକର ।’’

 

‘‘ହରି ହେ, ରକ୍ଷାକର’’—ଏହିକଥା ଶୁଣି ଶୁଣି ପଣ୍ଡିତମାନଙ୍କୁ ବିରକ୍ତ ଲାଗିଲା । ଏଣେ ରାଜା ବିଶେଷ ଆଦର ଯତ୍ନ କରୁଥିବାରୁ ପୁରୋହିତଙ୍କ ପ୍ରତି ସେମାନଙ୍କର ହିଂସା ହେଲା । ସମସ୍ତେ ଏକଯୁଟ ହୋଇ ଭାବିଲେ ପୁରୋହିତଙ୍କର କିପରି ଅନିଷ୍ଟ କରିବା ।

 

ଥରେ ସବୁ ପଣ୍ଡିତ ଏକତ୍ରିତ ହୋଇ ରାଜାଙ୍କୁ ଦେଖାକଲେ, ସେତେବେଳେ ପୁରୋହିତେ ନ ଥାନ୍ତି ।

 

ସେମାନେ ରାଜାଙ୍କୁ କହିଲେ, ‘‘ପୁରୋହିତଟା ଠକ, ଭଣ୍ଡ । ସେ ତ ସବୁବେଳେ ହରି ହରି ହେଉଛନ୍ତି । ଆପଣ ହରିଙ୍କ ବିଷୟରେ ତାଙ୍କୁ ତିନୋଟି ପ୍ରଶ୍ନ ପଚାରନ୍ତୁ । ଯଦି ସେ ଠିକ୍‌ ଠିକ୍‌ ଉତ୍ତର ଦେବେ, ତେବେ ଜାଣିବା ଯେ, ସେ ବିଦ୍ୱାନ, ପ୍ରକୃତ ଧର୍ମଶାସ୍ତ୍ରଜ୍ଞ । ନ ହେଲେ ଏଭଳି ଭଣ୍ଡଙ୍କ ଦରବାରରେ ବସିବାକୁ ସ୍ଥାନ ଦେବା ଉଚିତ ହେବ ନାହିଁ ।’’

କଥାରେ ତ କହନ୍ତି ପାଣି ଅନ୍ଧ, ରାଜା ଅନ୍ଧ । ଯେ ଯୁଆଡ଼କୁ ମଡ଼ାଇଦେଲା, ତେଣିକି ତଳମୁହାଁ ହୋଇ ମାଡ଼ିଯାଆନ୍ତି ।

ପରଦିନ ପୁରୋହିତେ ଦରବାରକୁ ଆସିଲେ । ସମସ୍ତଙ୍କ ଆଗରେ ରାଜା ପଣ୍ଡିତମାନଙ୍କୁ ଶିକ୍ଷା ଅନୁସାରେ ତାଙ୍କୁ ପଚାରିଲେ; ‘‘ତୁମେ ତ ସବୁବେଳେ ହରି ହରି କହୁଛ । ମୋତେ ସେହି ହରିଙ୍କ ବିଷୟରେ କେତୋଟି ପ୍ରଶ୍ନର ଉତ୍ତର ଦିଅ—(୧) ହରି କେଉଁଠାରେ ଅଛନ୍ତି? (୨) ହରି କେଉଁ ଦିଗକୁ ମୁହଁ କରିଥାଆନ୍ତି-? (୩) ହରି କଅଣ କରନ୍ତି ?’’

ପୁରୋହିତ ତ ଶାସ୍ତ୍ର ପୁରାଣ ବେଶି ପଢ଼ି ନାହାନ୍ତି କି ମିଛ ସତ ଯୋଡ଼ି ଗୁଡ଼ାଏ ବାଜେ କଥା ତାଙ୍କୁ କହି ଆସେ ନାହିଁ । ରାଜାଙ୍କଠାରୁ ଏ ପ୍ରଶ୍ନ ଶୁଣି ସେ ଟିକିଏ ବିଚଳିତ ହୋଇଗଲେ ।

କିଛି ସମୟ ମୌନ ରହି ପୁରୋହିତେ କହିଲେ, ‘‘ହଜୁର, ମୋତେ ଦୁଇଟି ଦିନ ସମୟ ଦିଅନ୍ତୁ । ତାହା ପରେ ମୁଁ ଏହାର ଉତ୍ତର ଦେବାକୁ ଚେଷ୍ଟା କରିବି ।’’

ତାଙ୍କ ଅସହାୟ ଅବସ୍ଥା ଦେଖି ପଣ୍ଡିତମାନଙ୍କ ମଧ୍ୟରେ ଆନନ୍ଦର ଢେଉ ଖେଳିଭଲା । ସମସ୍ତେ ଖୁସି ହୋଇଯାଇ ଭାବିଲେ, ମୂର୍ଖ ବୁଢ଼ା ଏଇଥରକ ନିଶ୍ଚୟ ପ୍ରତିଫଳ ପାଇବ ।

ରାଜା ଦୁଇ ଦିନ ସମୟ ଦେଲେ । ପୁରୋହିତେ ଘରକୁ ଗଲେ । ପ୍ରଶ୍ନ କଥା ଚିନ୍ତା କରି ତାଙ୍କ ମନ ବ୍ୟସ୍ତ, ମୁହଁ ବିଷଣ୍ଣ । ଖାଇବାକୁ ରୁଚି ହେଲା ନାହିଁ କି ରାତିରେ ନିଦ ହେଲା ନାହିଁ ।

ଘରେ ଗୋଟିଏ ଚାକର ପିଲା ବ୍ୟତୀତ ଆଉ କେହି ନ ଥାନ୍ତି । ପିଲାଟି ପୁରୋହିତଙ୍କୁ ଏପରି ଅବସ୍ଥାରେ କେବେ ଦେଖି ନ ଥିଲା ।

ଦୁଇ ଦିନ ପରେ ପୁରୋହିତେ ବେଶୀ ବିଚଳିତ ହୋଇ ଉଠିଲେ । ପିଲାଟି ତାଙ୍କୁ ପଚାରିଲା, ଆପଣଙ୍କର କଅଣ ହୋଇଛି ? ଆପଣଙ୍କ ମୁହଁ ଶୁଖିଯାଇଛି କାହିଁକି ? ଦୁଇ ଦିନ ହେଲା, ଦରବାରକୁ ନ ଯିବାର କାରଣ କଅଣ ?’’

ପୁରୋହିତେ ରାଜାଙ୍କ ପ୍ରଶ୍ନ କଥା କହିଲେ । ଆଉ ମଧ୍ୟ କହିଲେ, ‘‘ଏ ପ୍ରଶ୍ନର କି ଉତ୍ତର ଦେବି; ତାହା ମୁଁ ଏପର୍ଯ୍ୟନ୍ତ ଠିକ୍‌ କରିପାରୁ ନାହିଁ, ତେଣୁ ବଡ଼ ବ୍ୟସ୍ତରେ ପଡ଼ିଛି ।’’

ଚାକର ପିଲା ପରାମର୍ଶ ଦେଲା, ‘‘ଆପଣ ଦରବାରକୁ ଯାଆନ୍ତୁ ନାହିଁ । ମୋ ହାତରେ ଖଣ୍ଡିଏ ଚିଠି ଲେଖି ପଠାଇ ଦିଅନ୍ତୁ ଯେ, ମୁଁ ଅସୁସ୍ଥ, ଯାଇ ପାରୁ ନାହିଁ । ମୋ ଚାକରକୁ ପଠାଇଲି । ଆପଣଙ୍କ ପ୍ରଶ୍ନର ଉତ୍ତର ସେ ଦେଇଦେବ ।’’

ପୁରୋହିତେ ଏହିପରି ଖଣ୍ଡିଏ ଚିଠି ଲେଖି ତା ହାତରେ ପଠାଇଲେ । ସେ ଦରବାରକୁ ଯାଇ ରାଜାଙ୍କ ହାତରେ ଚିଠିଟି ଦେଲା ।

ରାଜା ଚିଠି ପାଇ ଅବିଶ୍ୱାସ କଲେ । ଭାବିଲେ, ପୁରୋହିତେ ଡରିଯାଇ ଘରେ ଲୁଚି ରହିଲେ । ପଣ୍ଡିତମାନେ ମଧ୍ୟ ଏ କଥାକୁ ସମର୍ଥନ କଲେ । ରାଜା ଚାକର ପିଲାକୁ ଚାହିଁ ପଚାରିଲେ, ‘‘ପ୍ରଶ୍ନର ଉତ୍ତର ତୁ ଦେଇ ପାରିବୁ ତ ?’’

 

ଚାକର ହାତଯୋଡ଼ି କହିଲା, ‘‘କି ପ୍ରଶ୍ନ, ପଚାରନ୍ତୁ ।’’

 

ରାଜା ପଚାରିଲେ, ‘‘(୧) ହରି କେଉଁଠାରେ ଅଛନ୍ତି ? (୨) ହରି କେଉଁ ଦିଗକୁ ମୁହଁ କରି ରହନ୍ତି ? (୩) ହରି କଅଣ କରନ୍ତି ?’’

ଚାକର କହିଲା, ‘‘ମହାରାଜ, ଏ ବଡ଼ ଦୁରୁହ ପ୍ରଶ୍ନ । ପୁଣି ଠାକୁରଙ୍କ ସଂକ୍ରାନ୍ତରେ ପ୍ରଶ୍ନ । ଏ ପ୍ରଶ୍ନର ଉତ୍ତର କେବଳ ଗୁରୁ ହିଁ ଶିଷ୍ୟକୁ ଦିଅନ୍ତି । ଆପଣ ଯଦି ମୋତେ ଗୁରୁ ଆସନରେ ବସାଇବେ, ମୋ ପାଦତଳେ ଶିଷ୍ୟ ଭାବରେ ବସି ଗୁରୁରୂପେ ପୂଜା କରିବେ, ତେବେ ଯାଇ ଏ ପ୍ରଶ୍ନର ଉତ୍ତର ପାଇବେ ।’’

ରାଜା କହିଲେ, ‘‘ହଁ, ତାହା ହିଁ ହେବ । ମାତ୍ର ଯଦି ଉପଯୁକ୍ତ ଉତ୍ତର ନ ମିଳେ, ତେବେ ସଙ୍ଗେ ସଙ୍ଗେ ତୋର ମୁଣ୍ଡ କାଟ, ଏତକ ମନେ ରଖିଥା ।’’

ଚାକର କହିଲା, ‘‘ହଁ, ତାହା ମୁଁ ଭଲରୂପେ ମନେ ରଖୁଛି; ସେଥିପାଇଁ ପ୍ରସ୍ତୁତ ଅଛି ।’’

ରାଜା ଚାକର ପିଲା ପାଇଁ ଗୋଟିଏ ସୁନ୍ଦର ବଡ଼ ଆସନ ମଗାଇଲେ । ସେଥିରେ ତାକୁ ବସାଇ ତାହାର ପାଦ ସେବା କଲେ । ପଣ୍ଡିତମାନଙ୍କୁ ଧରି ତା ପାଦତଳେ ବସି ନିର୍ଦ୍ଦେଶ ଦେଲେ, ‘‘ଏଥରକ ଉତ୍ତର ଦିଅ ।’’

ଚାକର କହିଲା, ‘‘ଗୋଟିଏ ଗାଈ ଏଠାକୁ ଆଣନ୍ତୁ ।’’

ଗାଈଟି ଆସିଲା । ଚାକର ତା ପିଠି ଆଉଁସି ଦେଇ ରାଜାଙ୍କୁ ଚାହିଁ ପଚାରିଲା, ‘‘ଏ ଗାଈ କାହିଁକି ରଖିଅଛନ୍ତି ?’’

‘‘ତାଠାରୁ ଦୁଧ ଖାଇବି ବୋଲି’’—ରାଜା ଉତ୍ତର ଦେଲେ ।

ପୁଣି ପ୍ରଶ୍ନ—‘‘ଏହାଠାରେ ଦୁଧ କାହିଁ ?’’

ଜଣେ ପଣ୍ଡିତ ଉତ୍ତର ଦେଲେ, ‘‘ଦୁଧ ତା ପହ୍ନାରେ ।’’

ପିଲାଟି କହିଲା, ‘‘ମୂର୍ଖ, ଦୁଧ ପହ୍ନାରେ ନ ଥାଏ । ଦୁଧ ଥାଏ ତାର ସର୍ବାଙ୍ଗରେ । ପହ୍ନାଟା ଦୁଧ ଆସିବାର ଦୁଆରମୁହଁ ମାତ୍ର । ତୁମର ଦରକାର ପଡ଼ିଲେ ତୁମେ ପହ୍ନାବାଟେ ଦୁଧ ଦୁହିଁ ନିଅ ।’’

ରାଜା କହିଲେ, ‘‘ହଁ ଠିକ୍‌ କଥା ।’’

ଗାଈଟିକୁ ବିଦା କରିଦେଇ ଚାକର ପୁଣି କହିଲା, ‘‘କିଛି ତଟକା ଦୁଧ ଆଣ ।’’

ଗୋଟିଏ ବାଟିରେ ଦୁଧ ଆସିଲା । ପିଲାଟି ଦୁଧକୁ ଦେଖାଇ କହିଲା, ‘‘ଏଥିରେ ତ ଲହୁଣୀ ନାହିଁ, ଏ କି ଦୁଧ ?’’

ପଣ୍ଡିତମାନେ ହସି ଉଠିଲେ । ରାଜା କହିଲେ, ‘‘ଦୁଧ ଭିତରେ ଲହୁଣୀ ମିଶି ରହିଥାଏ । ତାହା ଖାଲି ଆଖିକୁ ଦେଖାଯିବ ନାହିଁ । ଦୁଧକୁ ଗୋଳାଇଲେ ସେଥିରୁ ଲହୁଣୀ ବାହାରିବ ।’’

ଚାକର କହିଲା, ‘‘ସତ କଥା, ଗାଈଠାରେ ଦୁଧ ଅଛି, ତାହା ଆଖିକୁ ଦେଖା ଯାଉ ନାହିଁ-। ତୁମେ ନ ଦୁହିଁଲେ ଦୁଧ ପାଇବ ନାହିଁ । ଦୁଧରେ ଲହୁଣୀ ଅଛି, ତାହା ମଧ୍ୟ ଖାଲି ଆଖିକୁ ଦିଶୁ ନାହିଁ । ଦୁଧ ନ ଘାଣ୍ଟିଲେ ଲହୁଣୀ ପାଇବ ନାହିଁ । ଠିକ୍‌ ସେହିପରି ହରି ସବୁଠାରେ ଅଛନ୍ତି; କିନ୍ତୁ ଖାଲି ଆଖିକୁ ଦେଖାଯାନ୍ତି ନାହିଁ । ଯେ ମନଧ୍ୟାନ ଦେଇ ଖୋଜେ, ସେ ନିଶ୍ଚୟ ତାଙ୍କୁ ଅନ୍ତରରେ ଦେଖିବାକୁ ପାଏ । ତୁମେ ସେହିଭଳି ଅନ୍ତରର ସହିତ ଖୋଜିଲେ ହରିଙ୍କୁ ପାଇବ । ଦୁଧ ଓ ଲହୁଣୀ ପରି ତାଙ୍କୁ ଆଖିରେ ଦେଖାଇ ଦେଇ ହେବ ନାହିଁ ।’’

ଏ ଉତ୍ତରରେ ରାଜାଙ୍କ ମନ ମାନିଗଲା । ରାଗ ଟିକିଏ ଶାନ୍ତ ପଡ଼ିଲା ।

ରାଜା ପୁଣି ଦ୍ୱିତୀୟ ପ୍ରଶ୍ନ ପଚାରିଲେ—‘‘ହରି କେଉଁ ଦିଗକୁ ମୁହଁ କରି ରହନ୍ତି ?’’

ଚାକର କହିଲା, ‘‘ଏଠାକୁ ଗୋଟିଏ ଆଲୁଅ ଆଣ ।’’

ଗୋଟିଏ ବତୀ ଜଳାଇ ଅଣାଗଲା । ପିଲାଟି ତାକୁ ସମସ୍ତଙ୍କ ମଝିରେ ରଖି ପଚାରିଲା, ‘‘ଏ ବତୀର ଆଲୁଅ କେଉଁ ଦିଗକୁ ପଡ଼ିଛି ?’’

ଯେଉଁମାନେ ପୂର୍ବ ପାଖରେ ବସିଥିଲେ, ସେମାନେ କହିଲେ, ‘‘ବତୀ ଆମରି ଦିଗକୁ ମୁହଁ କରି ଜଳୁଛି ।’’ ପଶ୍ଚିମରେ ଯେ ବସିଥିଲେ, ସେ କହିଲେ, ‘‘ନା, ଆମ ଆଡ଼କୁ ମୁହଁ କରିଛି ।’’ ସେହିପରି ଉତ୍ତର ଓ ଦକ୍ଷିଣ ଦିଗରେ ବସିଥିବା ଲୋକମାନେ କହିଲେ, ‘‘ବତୀର ଆଲୁଅ ତ ଆମ ଆଡ଼କୁ ରହିଛି ।’’ ଶେଷରେ ରାଜା କହିଲେ, ‘‘ବତୀ ଆଲୁଅର ଶିଖା ଉପରକୁ ଯାଇଛି, ତେଣୁ ସେ ଉପରକୁ ମୁହଁ କରିଛି ।’’

ପିଲା କହିଲା, ‘‘ସମସ୍ତଙ୍କ କଥା ଠିକ୍‌ । ଆଲୁଅ ସବୁ ଦିଗକୁ ସମାନ ଭାବରେ ପଡ଼ିଛି । ଯେ ଯେଉଁ ଦିଗରେ ବସିଛି, ତାକୁ ସେହି ଦିଗଟି କେବଳ ଜଣା ପଡ଼ୁଛି । ସେହିପରି ହରି ସବୁ ଦିଗକୁ ମୁହଁ କରି ରହିଛନ୍ତି । ଯେ ଯେଉଁ ଦିଗରୁ ଚିନ୍ତା କରିବ, ସେହି ଦିଗରୁ ସେ ତାଙ୍କୁ ଦେଖିବାକୁ ପାଇବ।’’

ରାଜା ଏ ଉତ୍ତରରେ ଆହୁରି ଖୁସି ହୋଇଗଲେ । ସେ କହିଲେ, ‘‘ଏବେ ତୃତୀୟ ପ୍ରଶ୍ନର ଉତ୍ତର ଦିଅ । ତାହା ହେଉଛି—ହରି କଅଣ କରନ୍ତି ?’’

ଚାକର କହିଲା, ‘‘ଏ ପ୍ରଶ୍ନର ଉତ୍ତର ଦେବା ବଡ଼ କଷ୍ଟ । ଆପଣ ପୁରୋହିତଙ୍କୁ ଡକାଇ ଆଣନ୍ତୁ । ତାଙ୍କୁ ପାଖରେ ପାଇଲେ ଉତ୍ତର ଦେବାକୁ ମୁଁ ସମର୍ଥ ହେବି ।’’

ରାଜାଙ୍କ ସୁସଜ୍ଜିତ ଗାଡ଼ି ଯାଇ ପୁରୋହିତଙ୍କୁ ଘେନି ଆସିଲା । ବୃଦ୍ଧ ଆସି ଦେଖିଲେ ଦରବାରରେ ସବୁ ଓଲଟ ପାଲଟ ହୋଇଯାଇଛି । ତାଙ୍କ ଚାକର ପିଲା ସବୁଠାରୁ ଉଚ୍ଚ ଆସନରେ ବସି ପୂଜା ପାଉଛି । ତା ପାଦତଳେ ମହାପ୍ରତାପୀ ରାଜା, ଶାସ୍ତ୍ରଜ୍ଞ ପଣ୍ଡିତ—ସମସ୍ତେ ହାତଯୋଡ଼ି କିଙ୍କର ଭଳି ବସିଅଛନ୍ତି ।

Image

 

ପୁରୋହିତେ ଆସିଲାକ୍ଷଣି ଚାକର ତାଙ୍କୁ ପାଖକୁ ଡାକିଲା । ନିଜ ପାଖରେ ରାଜଗାଦି ଶୂନ୍ୟ ପଡ଼ିଥିଲା, ସେଥିରେ ତାଙ୍କୁ ବସାଇଲା । ତାହା ପରେ ରାଜାଙ୍କୁ ଚାହିଁ କହିଲା, ‘ମହାରାଜ, ଦେଖିଲେ ହରି କଅଣ ନ କରନ୍ତି ? ଆପଣ ଦେଶର ରାଜା, ପୁରୋହିତେ ଆପଣଙ୍କର ପ୍ରଜା, ମୁଁ ସେହି ପୁରୋହିତଙ୍କ ସେବକ । ମୁଁ ବର୍ତ୍ତମାନ ସବୁଠାରୁ ଉଚ୍ଚଆସନରେ ବସିଛି—ସେବକର ସେବକ ହୋଇ । ଯେ ପ୍ରଜା, ‘‘ସେବକ—ସେ ବସିଛନ୍ତି ରାଜଗାଦିରେ । ଯେ ରାଜା, ସେ ବସିଛନ୍ତି ସବୁ ବିଦ୍ୱାନ ପଣ୍ଡିତଙ୍କୁ ସଙ୍ଗରେ ଧରି ଆମ ପାଦତଳେ । ହରି ଏହା କଲେ ନାହିଁ ତ ଆଉ କିଏ କଲା ? ଏଭଳି ଅଘଟଣ କଅଣ ଆଉ କାହା ଦ୍ୱାରା ହୋଇପାରେ ? ଏଥିରୁ ବୁଝନ୍ତୁ, ହରି କଅଣ କରି ନ ପାରନ୍ତି, ଏପରି କୌଣସି କାର୍ଯ୍ୟ ନାହିଁ ।

 

ରାଜା ସନ୍ତୁଷ୍ଟ ହେଲେ, ପଣ୍ଡିତମାନଙ୍କ ଗର୍ବ ଚୂନା ହେଲା । ପୁରୋହିତେ ପୂର୍ବ ପରି ଆଦର ସମ୍ମାନ ପାଇ ରହିଲେ । ଚାକର ପିଲା ରାଜାଙ୍କର ଜଣେ ମନ୍ତ୍ରଣାଦାତା ରୂପେ ନିଯୁକ୍ତ ହେଲା ।

Image

 

ରାଜା ଓ ବଂଶୀବାଦକ

 

ରାଜାଙ୍କ ମନରେ ବଡ଼ ଗର୍ବ, କାରଣ ଦୁନିଆରେ ସେ ଏକମାତ୍ର ସୁଖୀ । ସେ ରାଜା, ହଜାର ହଜାର ଲୋକଙ୍କ ଉପରେ ମଉଡ଼ମଣି । ପୁଣି ତାଙ୍କ ଭଣ୍ଡାରରେ ପ୍ରଚୁର ସୁନା, ରୂପା, ଧନ ସମ୍ପତ୍ତି ପୂରି ରହିଛି । ତାଙ୍କର କିଛି ଚିନ୍ତା ନାହିଁ, ଦକ ନାହିଁ । ତେଣୁ ସେ ସୁଖୀ ନ ହୋଇ ସୁଖୀ ହେବ କିଏ ?

 

ରାତିରେ ରାଜା ଏକାକୀ ନଗର ବୁଲି ବାହାରିଛନ୍ତି । ଦୀନ ଦରିଦ୍ର ଭିକାରୀ ବେଶ; ଯେପରି କୌଣସି ପ୍ରଜା ତାଙ୍କୁ ଚିହ୍ନି ନ ପାରିବ । ଗଳି କନ୍ଦି ବୁଲି ସେ ଦେଖିବେ ପ୍ରଜାମାନଙ୍କ ଅବସ୍ଥା, ଶୁଣିବେ ପ୍ରଜାମାନଙ୍କ ଆଲୋଚନା । ପ୍ରଜାମାନେ ତାଙ୍କୁ କିପରି ପ୍ରଶଂସା କରୁଛନ୍ତି, ଧନ୍ୟଧନ୍ୟ କହୁଛନ୍ତି—ତାହା ଜାଣିବେ ।

 

ସେ ବୁଲି ବୁଲି ନଗରର ଶେଷ ସୀମାରେ ଆସି ପହଞ୍ଚିଲେ । ସେତେବେଳକୁ ରାତି ଅନେକ ହୋଇଗଲାଣି । ନଗରର ସବୁ ଘର ଅନ୍ଧାର, ଚାରିଆଡ଼ ନିସ୍ତବ୍‌ଧ ମାତ୍ର ରାଜା ଦେଖିଲେ, ନଗରର ଶେଷ ମୁଣ୍ଡରେ ଗୋଟିଏ ଅତି ଛୋଟ କୁଡ଼ିଆ ଘରେ ଆଲୁଅ ଜଳୁଛି । ଘରଭିତରୁ ଲଳିତ ସ୍ୱରରେ ବଂଶୀର ସ୍ୱରଲହରୀ ଭାସିଆସୁଛି ।

 

ବଂଶୀ ସ୍ୱରରେ ରାଜା ମୁଗ୍‌ଧ ହେଲେ, କୁଡ଼ିଆ ଭିତରକୁ ପଶିଗଲେ । ସେଠାରେ ଦେଖିଲେ, ଜଣେ ଯୁବକ ବସି ଏକାଗ୍ରଚିତ୍ତରେ ବଂଶୀ ବଜାଉଛି । ତାହା ମୁହଁ ହସହସ, ଆଖି ଦୁଇଟି ସରସତା ପୂର୍ଣ୍ଣ । ଘରର ଅବସ୍ଥା, ତାର ପୋଷାକ ଦେଖି ରାଜା ଜାଣିଲେ ଯେ, ଲୋକଟି ଅତି ଦରିଦ୍ର, ତଥାପି ବଡ଼ ସୁଖରେ ସମୟ କାଟୁଛି । ତାଙ୍କ ମନରେ ସନ୍ଦେହ ହେଲା । ସିଧାସଳଖ ଯାଇ ଲୋକଟି ପାଖରେ ବସି ପଡ଼ିଲେ ।

ପାଖରେ ଜଣେ ଅପରିଚିତ ଭିକାରୀକୁ ଦେଖି ବଂଶୀବାଦକ ଅତ୍ୟନ୍ତ ଖୁସି ହୋଇଗଲେ-। ବଂଶୀଟିକୁ ରଖିଦେଇ ଭିକାରୀକୁ ଆନନ୍ଦରେ କୋଳାଗ୍ରତ କଲେ । କହିଲେ, ‘‘ତୁମେ ଆଜି ମୋର ଅତିଥି । ଏପର୍ଯ୍ୟନ୍ତ ମୁଁ ଖାଇ ନାହିଁ । ଆସ ସାଙ୍ଗ ହୋଇ ଖାଇବା ।’’

ରାଜା ଖାଇବାକୁ ବସି ଦେଖିଲେ, ବଂଶୀବାଦକ ଯେଉଁ କ୍ଷୀର ପିଠା ଆଦି ବହୁ ମୂଲ୍ୟର ଖାଦ୍ୟ ପ୍ରସ୍ତୁତ କରିଛି, ତାହା ମଧ୍ୟବିତ୍ତ ଶ୍ରେଣୀର ଲୋକେ ବି ପାଉ ନ ଥିବେ । ରାଜା ପଚାରିଲେ, ‘‘ବନ୍ଧୁ, ଆଜି କୌଣସି ଧନୀ ଲୋକର ଭୋଜିରୁ ଏହା ସଂଗ୍ରହ କରିଛ ନା କଅଣ ?’’

ବଂଶୀବାଦକ ଉତ୍ତର ଦେଲେ, ନାଁ ତ, ମୋ ଖାଦ୍ୟ ପ୍ରତ୍ୟହ ମୁଁ ହାତରେ ତିଆରି କରେ ଏବଂ ଏହାହିଁ ମୋର ପ୍ରତିଦିନର ଖାଦ୍ୟ ।’’

ରାଜା ପୁଣି ପଚାରିଲେ, ‘‘ତୁମେ ତ ଅତି ଦରିଦ୍ର ଭଳି ଜଣା ପଡ଼ୁଛ । ଅନ୍ୟମାନେ ପାଉ ନ ଥିବା ଏଭଳି ଖାଦ୍ୟ ପାଇଁ ପ୍ରତିଦିନ ଅର୍ଥ ପାଅ କୁଆଡ଼ୁ ?’’

ବଂଶୀବାଦକ କହିଲେ, ‘‘ଦରିଦ୍ର ଓ ଧନୀ କଅଣ ମୁଁ ଜାଣେ ନାହିଁ । ପ୍ରତିଦିନ ନଗରରେ ବୁଲି ଛିଣ୍ଡା ଜୋତା ମରାମତି କରେ । ଯାହା ପାଏ, ସନ୍ଧ୍ୟାକୁ ଘରକୁ ଆସି ସେଥିରେ ଖାଦ୍ୟ ପ୍ରସ୍ତୁତ କରେ । ଖାଇପିଇ ବସି ବଂଶୀ ବଜାଉଥାଏ ।’’

ରାଜା ଖାଇସାରି ସେଠାରୁ ବିଦାୟ ନେଇଗଲେ । ପର ଦିନ ରାଜ୍ୟରେ ଘୋଷଣା କରିଦେଲେ, କେହି ସେମାନଙ୍କ ପୁରୁଣା ଜୋତା ଆଉ ମରାମତି କରାଇପାରିବେ ନାହିଁ । ଜୋତା ଛିଡ଼ିଗଲେ, ତାହା ଫିଙ୍ଗିଦେବେ । ଯେ ଜୋତା ମରାମତି କରାଇବ କିମ୍ୱା ଯେ ମରାମତି କରିବ, ସେ ଉଭୟେ କଠିନ ଦଣ୍ଡ ପାଇବେ ।

ବିଚରା ବଂଶୀବାଦକର ବ୍ୟବସାୟ ବୁଡ଼ିଲା । ପୁଣି ମାସକ ପରେ ରାଜା ତାଙ୍କ ଘରକୁ ଆସିଲେ । ପୁରୁଣା ବନ୍ଧୁଙ୍କୁ ପାଇ ବଂଶୀବାଦକ ଅତ୍ୟନ୍ତ ଖୁସି ହେଲେ ଓ ପୂର୍ବ ଦିନ ପରି କ୍ଷୀରୀପିଠା ଖାଇବାକୁ ଦେଲେ ।

ଛଦ୍ମବେଶୀ ରାଜା କହିଲେ, ‘ଭାଇ, ରାଜା ତ ତୁମ ରୋଜଗାର ପନ୍ଥା ବନ୍ଦ କରିଦେଲେ । ପୁଣି ଏତେ ଅର୍ଥ କୁଆଡ଼ୁ ପାଉଛ ଯେ, ଏପରି ମୂଲ୍ୟବାନ୍‌ ଖାଦ୍ୟପଦାର୍ଥ ତିଆରି କରୁଛ ? ଚୋରି କରୁଛ ନା କଅଣ ?’’

ବଂଶୀବାଦକ ଉତ୍ତର ଦେଲେ, ‘‘ଚୋରି ? ଚୋରି କଅଣ ? ଜୋତା ମରାମତି ବନ୍ଦ ହୋଇଗଲା ପରେ ମୁଁ ଅରଣ୍ୟକୁ ଯାଇ ଜାଳେଣି କାଠ ଭାଙ୍ଗି ଆଣୁଛି । ବଜାରରେ ତାକୁ ବିକି ଯେଉଁ ଦିନ ଯାହା ପାଉଛି, ସେଦିନ ସେଥିରେ ଏ ଖାଦ୍ୟଦ୍ରବ୍ୟ ତିଆରି କରୁଛି ।’’

କିଛି ସମୟ କଥା ବାର୍ତ୍ତା କରି ରାଜା ବିଦାୟ ନେଲେ ।

ପରଦିନ ରାଜ୍ୟରେ ଘୋଷଣା କରାଗଲା ଯେ, ଯାହାର ଜାଳେଣି କାଠ ଦରକାର, ସେ ତାହା ନିଜେ ଜଙ୍ଗଲରୁ ସଂଗ୍ରହ କରି ଆଣିବ । ଅର୍ଥ ଦେଇ ଅନ୍ୟଠାରୁ କେହି କେବେ ତାହା କିଣିପାରିବ ନାହିଁ । ଯେ ଏହା ଅମାନ୍ୟ କରିବ, ସେ ଜେଲଦଣ୍ଡ ଭୋଗିବ ।

ପୁଣି ମାସକ ପରେ ରାଜା ବଂଶୀବାଦକ କୁଡ଼ିଆକୁ ଆସିଲେ । ଦେଖିଲେ ତାଙ୍କ ମନ ପୂର୍ବ ଭଳି ପ୍ରଫୁଲ୍ଲ ରହିଛି । ଟିକିଏ ହେଲେ ଚିନ୍ତା କି ଦକ ନାହିଁ । ଆନନ୍ଦ ମନରେ ବସି ସେ ବଂଶୀର ସ୍ୱର ମେଲିଦେଇଛନ୍ତି ।

ବନ୍ଧୁଙ୍କୁ ଦେଖି ବଂଶୀବାଦକ ଖୁସିମନରେ ପାଛୋଟି ନେଲେ । କ୍ଷୀରୀପିଠା ବାଢ଼ି ଉଭୟେ ଖାଇ ବସିଲେ ।

ରାଜା ପଚାରିଲେ, ‘‘ଏବେ କିପରି ଚଳୁଛ ?’’

ବଂଶୀବାଦକ ଉତ୍ତର ଦେଲେ, ‘‘ମୁଁ ଏବେ ରାଜାଙ୍କ ସୈନଫଉଜରେ ଯୋଗ ଦେଇଛି ।’’

‘‘ସେଠାରେ ତ ପ୍ରତିଦିନ ମଜୁରି ମିଳେ ନାହିଁ । ମାସ ଶେଷ ହେଲେ ବେତନ ମିଳେ । ତେବେ ତୁମେ ପ୍ରତିଦିନର ଖର୍ଚ୍ଚ ତୁଲାଉଛ କୁଆଡ଼ୁ ?’’ ଅତିଥି ପ୍ରଶ୍ନ କଲେ ।

ବଂଶୀବାଦକ କହିଲେ, ‘‘ମୁଁ ବହୁତ କଷ୍ଟରେ ସେନାପତିଙ୍କୁ ରାଜି କରାଇଛି । ସେ ମୋର ବେତନ ମାସ ଶେଷ ପର୍ଯ୍ୟନ୍ତ ନ ରଖି ପ୍ରତିଦିନ ସନ୍ଧ୍ୟାବେଳକୁ ଦେଇ ଦେଉଛନ୍ତି ।’’

ତାହାର ପର ଦିନ ରାଜା ଆଦେଶ ଜାରି କଲେ, କୌଣସି ସେନାଙ୍କୁ ଦୈନିକ ମଜୁରି ଦିଆଯିବ ନାହିଁ । ମାସ ଶେଷରେ ଯେ ଯାହାର ବେତନ ପାଇବେ ।

ଏହି ଆଦେଶରେ ବିଚାରା ବଂଶୀବାଦକ ଟିକିଏ ବିଚଳିତ ହୋଇପଡ଼ିଲେ । ଭାବନା କଅଣ—ତାହା ଏ ପର୍ଯ୍ୟନ୍ତ ସେ ଜାଣି ନ ଥିଲେ । ଜୀବନରେ ଆଜିହିଁ ପ୍ରଥମ ଥର ପାଇଁ ତାଙ୍କର ଚିନ୍ତା ହେଲା; ‘‘ରାତିରେ ଖାଇବି କଅଣ ?’’

ସନ୍ଧ୍ୟାକୁ କାର୍ଯ୍ୟକ୍ଷେତ୍ରରୁ ଫେରି ସେ ସେନାପତିଙ୍କଠାରୁ ପାଇଥିବା ଖଣ୍ଡାକୁ ଜଣେ ବ୍ୟବସାୟୀଙ୍କୁ ବିକିଦେଲେ । ତା ପରିବର୍ତ୍ତେ ଯାହା ଅର୍ଥ ପାଇଲେ, ସେଥିରେ ସେହି ଦିନର ଖାଦ୍ୟପଦାର୍ଥ ତିଆରି କଲେ ।

ଖଣ୍ଡା ନ ଥିଲେ ସୈନ୍ୟଙ୍କ ଭିତରେ ସ୍ଥାନ ନାହିଁ । ତେଣୁ ବଂଶୀବାଦକ କାଠରେ ଗୋଟିଏ ଖଣ୍ଡା ତିଆରି କଲେ ଓ ତାକୁ ଖୋଳ ମଧ୍ୟରେ ରଖିଦେଲେ ।

ସେଦିନ ରାତିରେ ରାଜା ବଂଶୀବାଦକଙ୍କ ଅବସ୍ଥା ଦେଖିବାକୁ ଆସିଲେ । ବଂଶୀବାଦକ ପୂର୍ବ ପରି ବହୁମୂଲ୍ୟର ଖାଦ୍ୟଦ୍ରବ୍ୟ ବାଢ଼ିବାରୁ ସେ ମନେ ମନେ ଚମକି ଉଠିଲେ । ପ୍ରକାଶ୍ୟରେ କହିଲେ, ‘‘ମୁଁ ଶୁଣିଲି, ରାଜା କୁଆଡ଼େ ସୈନ୍ୟମାନଙ୍କୁ ଦୈନିକ ମଜୁରୀ ଦେବା ପ୍ରଥା ବନ୍ଦ କରି ଦେଇଛନ୍ତି । ଏହା ସତ କି ?’’

ବଂଶୀବାଦକ ହସିହସି ଉତ୍ତର ଦେଲେ, ‘‘ହଁ ସତ ।’’

‘‘ତେବେ ତୁମ୍ଭେ ଆଜିର ଖାଦ୍ୟ କିପରି ସଂଗ୍ରହ କଲ ?

ବଂଶୀବାଦକ ତାଙ୍କର ଅତିଥି ବନ୍ଧୁଙ୍କୁ ବିଶ୍ୱାସ କରି ସବୁ କଥା କହିଗଲେ ଏବଂ ଖୋଳରୁ ବାହାର କରି କାଠ ଖଣ୍ଡାଟିକୁ ଦେଖାଇଲେ ।

ପର ଦିନ ରାଜା ସେନାପତିଙ୍କ ଜରିଆରେ ସୈନ୍ୟମାନଙ୍କୁ ନିଜ ଦରବାରରେ ରୁଣ୍ଡ ହେବା ପାଇଁ ନିର୍ଦ୍ଦେଶ ଦେଲେ । ଶତ ଶତ ସୈନଙ୍କ ମଧ୍ୟରୁ ବାଛି ସେ ବଂଶୀବାଦକକୁ ନିଜ ପାଖକୁ ଡକାଇ ନେଲେ । ସେତେବେଳେ ବଂଶୀବାଦକ ରାଜାଙ୍କ ମୁହଁକୁ ଚାହିଁ ଚିହ୍ନିପାରିଲେ ଯେ, ଏତେ ଦିନଯାଏ ଯେ ତାଙ୍କର ଅତିଥି ହେଉଥିଲେ, ସେ ଆଉ କେହି ନୁହନ୍ତି, ଏଇ ରାଜା । ଭୟରେ ତାଙ୍କ ଅନ୍ତର ଥରିଉଠିଲା । ମାତ୍ର ପ୍ରକାଶ୍ୟରେ ସେ ତାର କିଛି ମାତ୍ର ସୂଚନା ଦେଲେ ନାହିଁ ।

ରାଜା ତାଙ୍କୁ ପାଖକୁ ଡକାଇ ନେଇ କହିଲେ, ‘‘ମୋ ସିଂହାସନ ତଳେ ଏଇ ଯେଉଁ ଲୋକଟି ଠିଆ ହୋଇଛି, ବର୍ତ୍ତମାନ ତାର ବେକ କାଟିଦିଅ ।’’

ବଂଶୀବାଦକ ଦୁଇ ହାତ ଯୋଡ଼ି କହିଲେ, ‘‘ମହାରାଜ ନିର୍ଦ୍ଦୋଷ ଲୋକକୁ ଅକାରଣରେ ମୁଁ ହତ୍ୟା କରିପାରିବି ନାହିଁ ।’’

ଏ ଉତ୍ତରରେ ସେନାପତି ଓ ଅନ୍ୟ ସୈନ୍ୟବୃନ୍ଦ ଚମକି ଉଠିଲେ ।

ରାଜା ଗର୍ଜନ ଛାଡ଼ି କହିଲେ, ‘‘ମୋ ଆଦେଶ ଲଙ୍ଘନ କରୁଛ, ତୁମର ତ କମ୍‌ ସାହସ ନୁହେଁ । ବର୍ତ୍ତମାନ ଏଇଠାରେ ହିଁ ତୁମ ଖଣ୍ଡାରେ ଏହାର ମୁଣ୍ଡ କାଟ । ନ ହେଲେ.... ।’’

ଏହା ଶୁଣି ବଂଶୀବାଦକ ଆଣ୍ଠୁ ମାଡ଼ି ବସି ପଡ଼ିଲେ । ସମସ୍ତେ ଭାବିଲେ, ସେ ରାଜାଙ୍କୁ କ୍ଷମା ମାଗିବେ । ମାତ୍ର ତାହା ହେଲା ନାହିଁ । ବଂଶୀବାଦକ ଦୁଇ ହାତ ଯୋଡ଼ି ଉପରକୁ ଚାହିଁ ପ୍ରାର୍ଥନା କଲେ, ‘‘ଭଗବାନ ! ଏ ଲୋକ ନିର୍ଦ୍ଧୋଷ କି ଦୋଷୀ ମୁଁ ଜାଣେ ନାହିଁ । ରାଜାଙ୍କ ଆଦେଶରେ ମୁଁ ଏହାର ମୁଣ୍ଡ କାଟିବାକୁ ଯାଉଛି । ଯଦି ପ୍ରକୃତରେ ଏ ଦୋଷୀ, ତେବେ ତ କିଛି କହିବାର ନାହିଁ । ମାତ୍ର ଯଦି ନିର୍ଦ୍ଦୋଷ, ତେବେ ମୋ ଖଣ୍ଡା ଯେପରି କାଠ ପାଲଟିଯାଏ; ଏ ଲୋକର ଟିକିଏ ହେଲେ କ୍ଷତି ନ ହୁଏ ।’’

ଉଚ୍ଚ ପାଟିରେ ଏହି ପ୍ରାର୍ଥନା କରି ସାରି ସେ ବସିବା ସ୍ଥାନରୁ ଉଠି ପଡ଼ିଲେ । ବୀରତ୍ୱ ସହିତ ଯାଇ ସେ ଲୋକଟିର ମୁଣ୍ଡକୁ ବାମ ହାତରେ ଧରି ନିଜ ଆଡ଼କୁ ନୁଆଁଇଦେଲେ । ଦକ୍ଷିଣ ହାତରେ ଖୋଳରୁ ଖଣ୍ଡା ବାହାର କରି ଉପରକୁ ଟେକି ଦିଅନ୍ତି ତ ତାହା କାଠ ହୋଇଯାଇଛି ।

ଏହା ଦେଖି ଦରବାରରେ ରୁଣ୍ଡ ହୋଇଥିବା ଲୋକେ ଆଚମ୍ୱିତ ହୋଇଗଲେ । ଭଗବାନ ଯେ ସୈନିକଟିର ଆକୁଳ ପ୍ରାର୍ଥନା ଶୁଣିଅଛନ୍ତି, ଏହା ବିଚାରିଲେ । ରାଜା ଅତ୍ୟାଚାରୀ, ନିର୍ଦ୍ଦୋଷ ଲୋକକୁ ହତ୍ୟା କରୁଥିଲେ—ଏହା ଭାବି ତାଙ୍କୁ ମାରିବାକୁ ଚାରିଆଡ଼ୁ ଘେରି ଆସିଲେ ।

ବଂଶୀବାଦକ ଦୁଇ ହାତ ଟେକି ସେମାନଙ୍କୁ ଶାନ୍ତ କଲେ ।

ରାଜା ବଂଶୀବାଦକକୁ ଚାହିଁ ହସି ହସି କହିଲେ, ‘‘ଏ ପର୍ଯ୍ୟନ୍ତ ମୁଁ କପଟରେ ତୁମର ବନ୍ଧୁ ହୋଇଥିଲି । ଏଣିକି ପ୍ରକୃତ ବନ୍ଧୁ ହେଲି । ଆଜିଠାରୁ ତୁମେ ମୋ ରାଜପ୍ରାସାଦରେ ରହିବ । ପ୍ରତିଦିନ ଯେପରି ଚଳୁଥିଲ; ସ୍ୱାଧୀନ ଭାବରେ ସେହିପରି ଚଳିବ । ସେଥିପାଇଁ ତୁମକୁ କୌଣସି ପରିଶ୍ରମ କରିବାକୁ ପଡ଼ିବ ନାହିଁ କି ତୁମ କାର୍ଯ୍ୟରେ କେହି ବାଧା ଦେବେ ନାହିଁ ।’’

Image

 

ପରର ଯେ ଚିନ୍ତଇ ମନ୍ଦ

 

ଆଜିକାଲିର କଥା ନୁହେଁ । ବହୁତ ଦିନ ତଳର ପୁରୁଣା କଥା । ଆଜିକାଲି ସିନା ମନ୍ତ୍ରୀମାନେ ଦେଶ ଶାସନ କରୁଛନ୍ତି, ମାତ୍ର ସେତେବେଳେ ରାଜା ଥିଲେ ସର୍ବେସର୍ବା । ତାଙ୍କ କଥା ହିଁ ଥିଲା ଦେଶର ଆଇନ । ଯେତେବେଳେ ଯାହା କହୁଥିଲେ, ତାହା ସଙ୍ଗେ ସଙ୍ଗେ କାର୍ଯ୍ୟରେ ପରିଣତ ହୋଇ ଯାଉଥିଲା ।

 

ଗୋଟିଏ ଦେଶର ରାଜାପୁଅ, ପଣ୍ଡିତପୁଅ ଓ ବାରିକ ପୁଅ ଭାରି ସାଙ୍ଗ । ପିଲାଟିଦିନୁ ଏକାଠି ଖେଳନ୍ତି, ବୁଲନ୍ତି, ଦେଶ ବିଦେଶ ବୁଲି ଯାଆନ୍ତି ଓ ବଣରେ ଶିକାର କରନ୍ତି । ରାଜାପୁଅ ସବୁବେଳେ ଗର୍ବରେ ଫାଟି ପଡ଼ୁଥାନ୍ତି । ସେ ମନେ କରନ୍ତି, ମୁଁ ରାଜବଂଶରେ ଜନ୍ମ ହୋଇଛି, କିଛି ଦିନ ଗଲେ ଏତେ ବଡ଼ ରାଜ୍ୟର ରାଜା ହେବି, ତେଣୁ ବିଦ୍ୟାବୁଦ୍ଧିରେ ଏମାନେ ମୋତେ କେହି ସରି ନୁହନ୍ତି । ଯାହାର ଯେତେ ବିଦ୍ୟା ଥାଉ, ବୁଦ୍ଧି ଥାଉ ନା କାହିଁକି ମୋ ଆଦେଶରେ ସଙ୍ଗେ ସଙ୍ଗେ ତାହାର ମୁଣ୍ଡକାଟ ହୋଇଯିବ । ତା ବିଦ୍ୟାତକ କୁଆଡ଼େ ଲୋପ ପାଇଯିବ । ତେଣୁ ସବୁଠାରୁ ବଡ଼ ମୁଁ ।

 

ବାରିକପୁଅ ମନେ କରନ୍ତି, ମୁଁ ବଡ଼ ବୁଦ୍ଧିଆ, ଚତୁର । ମୋ ଚତୁର ପଣିଆରେ ମୁଁ ସମସ୍ତଙ୍କୁ ବଶ କରିନେବି । ରାଜପୁତ୍ର ତ ମୋ କଥାରେ ଉଠିବେ ବସିବେ । ତେଣୁ ଏ ରାଜ୍ୟରେ ସବୁଠାରୁ ମୁଁ କାହିଁକି ବଡ଼ ନ ହେବି ?

 

ପଣ୍ଡିତ ପୁଅ ଶାସ୍ତ୍ର ପୁରାଣ ପଢ଼ି ବଡ଼ ବିଦ୍ୱାନ ହେଲେ । ସେ ମନରେ ଭାବିଲେ, ବିଦ୍ୟା ଏ ପୃଥିବୀରେ ଧନ, ଜନ, କ୍ଷମତା ସବୁଠାରୁ ବଳବାନ୍‌ । ବିଦ୍ୟା ଥିଲେ ସବୁ କାମ ହାସଲ କରିହେବ, ସବୁ ଦେଶରେ ଆଦର ମିଳିବ । ମୁଁ ଯେତେବେଳେ ବହୁତ ପାଠ ପଢ଼ିଛି, ସେତେବେଳେ ମୁଁ ବଡ଼ ନ ହୋଇ ଆଉ କିଏ ବଡ଼ ହେବ ?

 

କେତେ ଦିନ ପରେ ଗୋଟିଏ ଦୁର୍ଘଟନା ଘଟିଲା । ବୁଢ଼ାରାଜା ବଣକୁ ଶିକାର କରିବାକୁ ଯାଇଥିଲେ । ତମ୍ୱୁ ପକାଇ ରାତିରେ ଗୋଟିଏ ସ୍ଥାନରେ ରହିଥିଲେ । ହଠାତ୍‌ ସେ ତମ୍ୱୁରେ ନିଆଁ ଲାଗିଗଲା । ରାଜା ପୋଡ଼ି ହୋଇ ମରିଗଲେ ।

 

ରାଜପୁତ୍ର ରାଜଗାଦିରେ ବସିଲେ, ରାଜ୍ୟର ହର୍ତ୍ତାକର୍ତ୍ତା, ଭାଗ୍ୟବିଧାତା ହେଲେ ।

 

ବାରିକପୁଅ ତା ସାଙ୍ଗ, ତେଣୁ ସେ ସବୁବେଳେ ତାଙ୍କ ପାଖରେ ରହିଲେ, ତାଙ୍କୁ ନାନାପ୍ରକାର ପରାମର୍ଶ ଦେଲେ । ନୂଆ ରାଜା ସେହି ପରାମର୍ଶରେ ଚାଲିଲେ । ବାରିକପୁଅ ଯାହାକୁ ମାରିବାକୁ କହିଲେ, ତାକୁ ମାରିଦେଲେ; ଯାହାକୁ ଆଦର କରିବାକୁ କହିଲେ, ତାକୁ ଧନରତ୍ନ ଦେଇ ପୂଜା କଲେ । ଗୋଟାଏ କଥାରେ କହିବାକୁ ଗଲେ; ରାଜାପୁଅ ବାରିକପୁଅ କଥାରେ ବସିଲେ, ଉଠିଲେ । ତାଙ୍କର ନିଜର ହୋଇ କିଛି ବିବେକ, ବିଚାର ରହିଲା ନାହିଁ ।

 

ଏ ଅବସ୍ଥା ଦେଖି ପଣ୍ଡିତପୁଅ ନୂଆ ରାଜାଙ୍କ ପାଖ ପଶିଲେ ନାହିଁ । ଏହା ତାହା ଆଗରେ ବାରିକପୁଅଙ୍କ ନିନ୍ଦା କଲେ । ବାରିକପୁଅ ସେ କଥା ଶୁଣିପାରି ଖୁବ୍‌ ରାଗିଗଲେ । ପଣ୍ଡିତପୁଅଙ୍କର କିପରି ସର୍ବନାଶ କରିବେ, ଏହି ଉପାୟ ମନେମନେ ଚିନ୍ତା କଲେ ।

 

ମୃତରାଜାଙ୍କର ବର୍ଷିକିଆ ଶ୍ରାଦ୍ଧ ପଡ଼ିଲା । ବଡ଼ ଯାକଜମକରେ ଶ୍ରାଦ୍ଧଉତ୍ସବ ପାଳିତ ହେଲା । ବହୁତ ବ୍ରାହ୍ମଣ, ପଣ୍ଡିତ ଭୋଜନ କରିବାକୁ ଆସିଥିଲେ ।

 

ଏହି ସୁଯୋଗ ଦେଖି ବାରିକପୁଅ ରାଜାଙ୍କୁ ପରାମର୍ଶ ଦେଲେ, ‘‘ଆମ ବୁଢ଼ାରାଜା ବର୍ଷେ ହେଲା ସ୍ୱର୍ଗକୁ ଗଲେଣି । ସେଠାରେ ସେ କିପରି ଅଛନ୍ତି, ତାହା ତ ଆମେ ଜାଣିପାରିଲେ ନାହିଁ । ମୁଁ ଭାବୁଛି, ଆମ ପଣ୍ଡିତପୁଅ ବଡ଼ ବିଦ୍ୱାନ୍‌ । ସେ ଅନେକ ଭାଷା ଜାଣନ୍ତି, ଶାସ୍ତ୍ରପୁରାଣ ପଢ଼ିଛନ୍ତି । ସ୍ୱର୍ଗକୁ ଗଲେ ଦେବତାମାନଙ୍କ ସହିତ ଦେବଭାଷା ସଂସ୍କୃତରେ ବେଶ୍‌ କଥାବାର୍ତ୍ତା କରିପାରିବେ । ତାଙ୍କୁ ସ୍ୱର୍ଗକୁ ପଠାଇ ଦିଆଯାଉ । ସେ ଯାଇ ବୁଢ଼ାରାଜାଙ୍କୁ ଦେଖି ଆସନ୍ତୁ, ତାଙ୍କ ହାନିଲାଭ ବୁଝି ଆସନ୍ତୁ ।’’

 

ନୂଆରାଜା ତ ମୂର୍ଖ, ନିର୍ବୋଧ । ସେ ବାରିକପୁଅ କଥା ଠିକ୍‌ ବୋଲି ମନେ କଲେ । କହିଲେ, ‘‘ପଣ୍ଡିତପୁଅଙ୍କୁ ସ୍ୱର୍ଗକୁ ପଠାଇବାକୁ ହେବ, ମାତ୍ର ସେ ଯିବେ କିପରି ?

 

ବାରିକପୁଅଙ୍କ ପରାମର୍ଶରେ ସିଦ୍ଧାନ୍ତ ହେଲା, ରାଜା ତ ତମ୍ୱୁ ଭିତରେ ପୋଡ଼ିହୋଇ ମରିଛନ୍ତି, ତେଣୁ ପଣ୍ଡିତପୁଅଙ୍କୁ ସେହିପରି ଗୋଟିଏ କାଠଘର ଭିତରେ ରଖି ନିଆଁ ଲଗାଇ ଦେବାକୁ ହେବ ସେ ପୋଡ଼ିହୋଇ ସ୍ୱର୍ଗକୁ ଯିବେ ।

 

କାଠଘର ତିଆରି ହେଲା । ତା ଭିତରେ ପଣ୍ଡିତପୁଅଙ୍କୁ ପୂରାଇ ଦିଆଗଲା । ଚାରିଆଡ଼ ବନ୍ଦ କରାଗଲା ।

 

ପଣ୍ଡିତପୁଅ କହିଲେ, ‘‘ଏ ସବୁ ହେଲା ସତ; ମାତ୍ର ମୋତେ ସାତଟି ଦିନ ସମୟ ଦିଅ । ମୁଁ ସେ ଘରଭିତରେ ନିରୋଳାରେ ରହି ହୋମଯଜ୍ଞ କରିବି । ଦେବତାଙ୍କୁ ପୂଜା ସେବାରେ ଆଗରୁ ସନ୍ତୁଷ୍ଟ ନ କଲେ, ସେ ବୁଢ଼ାରାଜାଙ୍କୁ ମୋତେ ଦେଖାଇଦେବେ ନାହିଁ । ତେଣୁ ସାତ ଦିନ ପରେ ନିଆଁ ଲଗାଇବ, ସେତେବେଳକୁ ମୋର ସେବାପୂଜା ସରିଯାଇଥିବ, ଦେବତାମାନେ ପ୍ରସନ୍ନ ହୋଇଥିବେ।’’

 

ସାତ ଦିନ ପରେ ରାଜାଙ୍କ ଉପସ୍ଥିତିରେ କାଠଘରେ ନିଆଁ ଲାଗିଲା । ଭିତରୁ ପଣ୍ଡିତପୁଅଙ୍କ ଚିତ୍କାର ଶୁଣାଗଲା । ସେତେବେଳେ ବାରିକପୁଅ ମନେ ମନେ ଭାରି ଖୁସି । ସେ ଭାବୁଥାନ୍ତି, ଦେଶରୁ ମୋର ଗୋଟିଏ ବଡ଼ ଶତ୍ରୁ ଗଲା । ଏଣିକି ଏ ରାଜ୍ୟରେ ମୁଁ ସର୍ବେସର୍ବା ।

 

ସାତ ଦିନ ବିତିଗଲା । ଦିନେ ଦେଖାଗଲା, ପଣ୍ଡିତପୁଅ ସୁନ୍ଦର ନୂଆ ପାଟଯୋଡ଼ି ପିନ୍ଧି, କାନରେ କୁଣ୍ଡଳ, ମୁଣ୍ଡରେ ସୁନା ଜରିଦିଆ ପଗଡ଼ି ଲଗାଇ ଆସି ରାଜଦରବାରରେ ହାଜର । ତାଙ୍କୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ବାରିକପୁଅ ତ ନିଜ ଆଖିକୁ ବିଶ୍ୱାସ କରିପାରିଲା ନାହିଁ ।

 

ପଣ୍ଡିତପୁଅ ସିଧା ରାଜାଙ୍କ ପାଖକୁ ଚାଲିଯାଇ କହିଲେ, ‘‘ଏଇ ଦେଖନ୍ତୁ ଆପଣଙ୍କ ଦୟାରୁ ମୁଁ ସ୍ୱର୍ଗର ଦେବତାଙ୍କଠାରୁ କେତେ ଜିନିଷ ପାଇଲି । ଏ ଯୋଡ଼, କୁଣ୍ଡଳ, ମୁକୁଟ ସବୁ ଦେବତାମାନେ ଦେଇଛନ୍ତି । ସେମାନେ ମୋ ଉପରେ ଏତେ ଖୁସି ଯେ; ମୋତେ ଏ ମର୍ତ୍ତ୍ୟକୁ ଜମା ଛାଡ଼ୁ ନ ଥିଲେ । ବହୁତ କୁହା ବୋଲା କରି କେବଳ ବୁଢ଼ା ରାଜାଙ୍କ ଖବର ଆପଣଙ୍କୁ ଦେବାପାଇଁ ଚାଲି ଆସିଲି ।’’

 

ରାଜା ପଚାରିଲେ, ‘‘ମୋ ବାପା କିପରି ଅଛନ୍ତି ?’’

 

ପଣ୍ଡିତପୁଅ କହିଲେ, ‘‘ସେ ଅବଶ୍ୟ ସେଠାରେ ସୁଖରେ ଅଛନ୍ତି । କିନ୍ତୁ ଗୋଟାଏ କଥା ତାଙ୍କୁ ବଡ଼ ହଇରାଣ କରୁଛି । ସେ ତ ବର୍ଷେ ହେଲା ଖିଅର ହୋଇ ନାହାନ୍ତି; ତେଣୁ ମୁହଁରେ ଦାଢ଼ି ନିଶ ଜଙ୍ଗଲପରି ବଢ଼ିଛି । ସେଥିରେ ପୁଣି ଉକୁଣି ସାଲୁବାଲୁ । ରାଜା ସେଥିପାଇଁ ଦିନରେ ଶାନ୍ତି ପାଉ ନାହାନ୍ତି କି ରାତିରେ ଶୋଇପାରୁ ନାହାନ୍ତି ।’’

 

ରାଜା ଟିକିଏ ଚିନ୍ତିତ ହେଲେ । କହିଲେ, ‘‘ବଡ଼ ବିଷମ କଥା ତ । ଏହାର ଉଚିତ ବ୍ୟବସ୍ଥା କରିବାକୁ ହେବ ।’’

 

ପଣ୍ଡିତପୁଅ କହିଲେ, ‘‘ନିଶ୍ଚୟ । ନିଜେ ବୁଢ଼ା ରାଜା ତାର ଉପାୟ ବତାଇ ଦେଇଛନ୍ତି । ମୋତେ ବଡ଼ ନେହୁରା ହୋଇ କହିଛନ୍ତି, ତୁମ ପାଖରେ ଥିବା ବାରିକ ପୁଅକୁ ତାଙ୍କ ପାଖକୁ ପଠାଇ ଦେବାପାଇଁ । ପିଲାଟିଦିନୁ ସେ ତୁମକୁ ଯେପରି ସ୍ନେହ କରୁଥିଲେ ତାକୁ ବି ସେହିପରି ସ୍ନେହ କରୁଥିଲେ । ବାରିକପୁଅ କେତେକ ଦିନ ସ୍ୱର୍ଗରେ ରହି ତାଙ୍କ ଦାଢ଼ି ନିଶତକ ଖିଅର କରିଦେବ; ତାଙ୍କର ସେବା ବି କରିବ । ତାକୁ ସଙ୍ଗେ ସଙ୍ଗେ ପଠାଇ ଦେବାପାଇଁ ସେ ବଡ଼ କାକୁତି ମିନତି ହୋଇ ଖବର ପଠାଇଛନ୍ତି ।’’

 

ରାଜାଙ୍କ ମନକୁ ଏ କଥା ପାଇଗଲା । ସେ ତତ୍‌କ୍ଷଣାତ୍‌ ଗୋଟିଏ କାଠଘର ତିଆରି କରିବାକୁ ଆଦେଶ ଦେଲେ । ଘର ହୋଇଯିବାରୁ ବାରିକପୁଅକୁ ତା ଭିତରେ ପୂରାଇ ଘରେ ନିଆଁ ଲଗାଇ ଦିଆଗଲା । ପଦେ କଥା କହିବାକୁ ବାରିକପୁଅ ଆଉ ସମୟ ପାଇଲେ ନାହିଁ ।

 

ସ୍ୱର୍ଗରେ ମୃତ ରାଜାଙ୍କ ଦାଢ଼ି ନିଶ ହୋଇଥିଲା କି ନାହିଁ—ଜଣା ନାହିଁ; କିନ୍ତୁ ବାରିକପୁଅ ଆଉ ସେଠାରୁ ଫେରିଲେ ନାହିଁ ।

 

ଅସଲ କଥା କଅଣ କି, ପଣ୍ଡିତ ପୁଅ ସାତ ଦିନ ସେବାପୂଜା କରିବାକୁ ସମୟ ମାଗିଲେ-। ସେହି ସାତ ଦିନରେ ସେ କାଠଘରୁ ନିଜ ଘରଯାଏ ମାଟିତଳେ ଗୋଟାଏ ସୁଡ଼ଙ୍ଗ ଖୋଳିଦେଲେ-। କାଠଘରେ ନିଆଁ ଲାଗିବାରୁ ସମସ୍ତେ ଜାଣିବା ପାଇଁ କିଛି ସମୟ ସେ ପାଟି ତୁଣ୍ଡ କଲେ । ପରେ ନିଆଁ ପ୍ରବଳ ଭାବରେ ଜଳି ଉଠିବାରୁ ସୁଡ଼ଙ୍ଗ ବାଟ ଦେଇ ନିଜ ଘରକୁ ପଳାଇ ଆସିଲେ ଓ ସାତ ଦିନ ଯାଏ ଘର ଭିତରେ ଲୁଚି ରହିଥିଲେ ।

Image

 

ବହିପାଠ ଓ ହାତପାଠ

 

ଜଣେ ରାଜା ବଡ଼ ପଣ୍ଡିତ, ଦୟାଳୁ ମଧ୍ୟ । ତାଙ୍କ ପାଖକୁ ଯେତେ ପଣ୍ଡିତ ଲୋକ ଆସନ୍ତି, ସେ ସମସ୍ତଙ୍କୁ ରାଜା ଆଦର କରନ୍ତି; ପାଟଯୋଡ଼, ସୁନାକୁଣ୍ଡଳ ଓ ବହୁତ ଧନ ସମ୍ପତ୍ତି ଦିଅନ୍ତି ।

ରାଜାଙ୍କଠାରୁ ଆଦର ପାଇ ସେ ଦେଶକୁ ବହୁତ ପଣ୍ଡିତ ଆସିଲେ । ନାନାପ୍ରକାର କଥା କହି ରାଜାଙ୍କୁ ଖୁସି କଲେ । ରାଜା ମଧ୍ୟ ମନଇଚ୍ଛା ଟଙ୍କା, କଉଡ଼ି, ସୁନା ରୂପା ଓ ଗାଈ ବାଛୁରୀ ସେମାନଙ୍କୁ ଦାନ କଲେ ।

ଏହିପରି ଦାନ କରୁ କରୁ ରାଜଭଣ୍ଡାର ଖାଲି ହୋଇ ଆସିଲା । ସେଥିପ୍ରତି ରାଜାଙ୍କର ଟିକିଏ ହେଲେ ଚିନ୍ତା ନାହିଁ, କିନ୍ତୁ ଚିନ୍ତା ହେଲା ମନ୍ତ୍ରୀଙ୍କର । ସେ ଭାବିଲେ, ରାଜା ପଣ୍ଡିତମାନଙ୍କୁ ଦାନ କରି କରି ଭଣ୍ଡାର ତ ଶୂନ୍ୟ କରିଦେଲେ; ରାଜ୍ୟଶାସନ ଚାଲିବ କିପରି ? ପ୍ରଜାମାନଙ୍କ ଭଲ ପାଇଁ ଖର୍ଚ୍ଚ ହେବ କଅଣ ?

ଏହି ସମୟରେ ଅନ୍ୟ ଦେଶରୁ ଏକାବେଳକେ ପାଞ୍ଚ ଜଣ ପଣ୍ଡିତ ଆସି ରାଜାଙ୍କ ପାଖରେ ପହଞ୍ଚିଲେ । ଜଣେ ବଡ଼ ସଙ୍ଗୀତଜ୍ଞ, ଜଣେ ବଡ଼ ଜ୍ୟୋତିଷୀ, ଜଣେ ବଡ଼ କବିରାଜ, ଜଣେ ନ୍ୟାୟଶାସ୍ତ୍ର ବିଶାରଦ—ନୈୟାୟିକ ଏବଂ ପଞ୍ଚମ ଜଣକ ବ୍ୟାକରଣ ପଣ୍ଡିତ—ବୈୟାକରଣ ।

ଏକାବେଳେକେ ପାଞ୍ଚ ଜଣ ପଣ୍ଡିତଙ୍କୁ ଦେଖି ମନ୍ତ୍ରୀ ପ୍ରମାଦ ଗଣିଲେ; କିନ୍ତୁ ରାଜା ଭାରି ଖୁସି । ସେ ପଣ୍ଡିତମାନଙ୍କର ଖୁବ୍‌ ଆଦର ଯତ୍ନ କଲେ । ପ୍ରତିଦିନ ଜଣ ଜଣଙ୍କର ପାଠ ପରୀକ୍ଷା ହେବ ବୋଲି ଠିକ୍‌ କରିଦେଲେ ।

ପ୍ରଥମ ଦିନ ରାଜସଭାକୁ ସଙ୍ଗୀତଜ୍ଞ ଆସିଲେ । ସୁନ୍ଦର ସଙ୍ଗୀତ ଗାଇଲେ । ତାଙ୍କର ଗୀତ ଶୁଣି ସମସ୍ତେ ଖୁସି । ରାଜାଙ୍କ ଆନନ୍ଦ କହିଲେ ନ ସରେ ।

ଦ୍ୱିତୀୟ ଦିନ ଜ୍ୟୋତିଷୀଙ୍କ ପାଳି । କେଉଁ ଗ୍ରହ କେଉଁ ସ୍ଥାନରେ ରହିଲେ ଆମର କି ଶୁଭ ହେବ, ଅନୁକୂଳ ବେଳେ କଅଣ ଦେଖିଲେ ଅମଙ୍ଗଳ ହେବ, କେଉଁ ସମୟରେ କଅଣ ଖାଇବ–ଏହି ସବୁ କଥା ତାଙ୍କଠାରୁ ଶୁଣି ରାଜା ଆଶ୍ଚର୍ଯ୍ୟ ହୋଇଗଲେ; ତାଙ୍କୁ ଧନ୍ୟ ଧନ୍ୟ କହିଲେ-

ତୃତୀୟ ଦିନ ଆସିଲେ କବିରାଜ । ସେ ବଣର ସବୁ ଗଛ, ଚେର, ପତ୍ର, ଫୁଲ, ଫଳର ଗୁଣ, ଭଲମନ୍ଦ କଥା ରାଜାଙ୍କୁ ଶୁଣାଇଲେ । କେଉଁ ରୋଗ କାହିଁକି ହୁଏ, କି ଔଷଧ ଖାଇଲେ ସେ ରୋଗ ଭଲ ହୁଏ, ତାହା ଗୋଟି ଗୋଟି ବୁଝାଇ ଦେଲେ । କବିରାଜୀ ପାଠରେ ତାଙ୍କର ଏତେ ବେଶି ଜ୍ଞାନ ଥିବାର ଦେଖି ରାଜା ତାଙ୍କୁ ପ୍ରଶଂସା କଲେ ।

ତାହା ପର ଦୁଇ ଦିନ ନୈୟାୟିକ ଓ ବୈୟାକରଣ ଆସିଲେ । ନୈୟାୟିକ ବହୁତ ସଂସ୍କୃତ ଶ୍ଳୋକ ବୋଲି ବୁଝାଇଦେଲେ ଯେ, ପ୍ରତ୍ୟକ୍ଷ ପ୍ରମାଣ ନ ପାଇଲେ କୌଣସି କଥା ଗ୍ରହଣ କରିବ ନାହିଁ । ବୈୟାକରଣ ବିଭିନ୍ନ ଶବ୍ଦର ଉତ୍ପତ୍ତି ବର୍ଣ୍ଣନା କରି କିପରି ଶୁଦ୍ଧ ଭାବରେ କଥା କହିବ, ସେ ବିଷୟରେ ଆଲୋଚନା କଲେ ।

ଶେଷରେ ରାଜା ମତ ଦେଲେ; ଏ ପ୍ରତ୍ୟେକ ପଣ୍ଡିତ ନିଜ ନିଜ ବିଷୟରେ ଧୁରନ୍ଧର । ଏମାନଙ୍କୁ ଉପଯୁକ୍ତ ପୁରସ୍କାର ଦେବା ଉଚିତ ।

ସେ ମନ୍ତ୍ରୀଙ୍କୁ ଡାକି ଆଦେଶ ଦେଲେ, ‘ଏହି ପଣ୍ଡିତମାନଙ୍କୁ ଆଦର ଯତ୍ନ କରି ଅତିଥିଶାଳାରେ ରଖାଅ । ପ୍ରତ୍ୟେକଙ୍କୁ ହଜାରେ ଲେଖାଏଁ ମୁଦ୍ରା ପୁରସ୍କାର ଦିଅ ।

ଏହା ଶୁଣଟି ମନ୍ତ୍ରୀଙ୍କ ମନରେ ଦୁର୍ଭାବନା ଖେଳିଲା । ରାଜଭଣ୍ଡାର ଯେ ଶୂନ୍ୟ । ଏତେଗୁଡ଼ିଏ ମୁଦ୍ରା କୁଆଡ଼ୁ ଆଣି ପୁରସ୍କାର ଦେବେ ?

 

ସେ ମନେ ମନେ ଗୋଟିଏ ବୁଦ୍ଧି ପାଞ୍ଚିଲେ । ରାଜାଙ୍କୁ କହିଲେ, ‘‘ମହାରାଜ, ଏମାନେ ବହିପାଠରେ ଅବଶ୍ୟ ବଡ଼ ପଣ୍ଡିତ; କିନ୍ତୁ ହାତପାଠରେ ପଣ୍ଡିତ କି ନୁହନ୍ତି, ତାହା ପରୀକ୍ଷା କରିବା ଦରକାର । ଯେ ହାତପାଠରେ ପଣ୍ଡିତ ନୁହନ୍ତି, ତାଙ୍କର ସବୁ ପାଠ ଅକାରଣ । ସେପରି ପଣ୍ଡିତଙ୍କୁ ପୁରସ୍କାର ଦେବା ଯାହା, ଅର୍ଥ ପାଣିକୁ ପକାଇଦେବା ତାହା ।’’

 

ରାଜା ପ୍ରଶ୍ନ କଲେ, ‘‘ହାତପାଠ କଅଣ ? ତାହା ପରୀକ୍ଷା ହେବ କିପରି ?’’

 

ମନ୍ତ୍ରୀ ଉତ୍ତର ଦେଲେ, ‘‘ଆଜି ପଣ୍ଡିତମାନେ ଆମ ଅତିଥିଶାଳାରେ ରହନ୍ତୁ; କିନ୍ତୁ ସେମାନଙ୍କ ଖାଦ୍ୟଦ୍ରବ୍ୟ କିଛି ଆମେ ଦେବୁ ନାହିଁ । ପାଞ୍ଚ ପଣ୍ଡିତଙ୍କୁ ମୁଁ ପାଞ୍ଚଗୋଟି ମୁଦ୍ରା ଦେଉଛି । ସେଥିରେ ସେମାନେ ବଜାରରୁ ସଉଦା କିଣି ଆଣି ନିଜ ହାତରେ ରୋଷାଇ କରି ଖାଆନ୍ତୁ । ତାହାପରେ ସେମାନଙ୍କ କଥା ବୁଝିବା ।’’

 

ରାଜା ଏଥିରେ ସମ୍ମତ ହେଲେ । ମନ୍ତ୍ରୀ ପାଞ୍ଚ ପଣ୍ଡିତଙ୍କ ହାତରେ ପାଞ୍ଚଗୋଟି ସ୍ୱର୍ଣ୍ଣମୁଦ୍ରା ଦେଲେ ।

 

ବଜାରରୁ କିପରି ସଉଦା ଆଣିବାକୁ ହୁଏ, ରୋଷାଇ କିପରି କରିବାକୁ ହୁଏ—ଏ ସବୁ କଥା ତ ପଣ୍ଡିତମାନଙ୍କୁ ଜଣା ନାହିଁ । କରିବେ କଅଣ ? ରାଜାଙ୍କ ଆଗରେ ନିଜର ଅଯୋଗ୍ୟତା ଜଣାଇଲେ ପୁରସ୍କାର ମିଳିବ ନାହିଁ; ତେଣୁ ଚୁପ୍‌ ହୋଇ ରାଜସଭାରୁ ଫେରିଲେ ।

 

ସେମାନଙ୍କ ଭିତରୁ ଠିକ୍‌ ହେଲା, ସଙ୍ଗୀତଜ୍ଞ ଚୁଲ୍ଲୀ ଲଗାଇ ଭାତ ରାନ୍ଧିବେ, ଜ୍ୟୋତିଷୀ ଗଛରୁ ଆମ୍ୱ ତୋଳି ଆଣିବେ; କବିରାଜ ବଜାରରୁ ପନିପରିବା କିଣି ଆଣିବେ । ବୈୟାକରଣ ଗଉଡ଼ ଘରୁ ଦହି ଦୁଧ ଆଣିବେ ଏବଂ ନୈୟାୟିକ ଘିଅ ଆଣିବେ । ତାହା ପରେ ରୋଷାଇ ଶେଷରେ ସମସ୍ତେ ଖାଇବେ ।

 

Image

 

ସଙ୍ଗୀତଜ୍ଞ ଚୁଲ୍ଲୀରେ ପାଣି ହାଣ୍ଡି ବସାଇ ତଳେ ଜାଳ ଦେଲେ । ପାଣି ତାତି ଟମମକ ଫୁଟିଲା । ପାଣି ଫୁଟିବା ଦେଖି ସଙ୍ଗୀତଜ୍ଞଙ୍କର ସଙ୍ଗୀତର ତାଳ ମନେ ପଡ଼ିଗଲା । ସେ ପାଣି ଫୁଟିବା ସଙ୍ଗେ ସଙ୍ଗେ ତାଳ ମିଳାଇ ତା ଧିନ୍‌ ତା ଧିନ୍‌ ତା ଧିନ୍‌ ଗାଇ ନାଚିବାକୁ ଲାଗିଲେ । ଯେତେବେଳେ ବେଶି ଜାଳ ଜଳିଲା ଓ ପାଣି ଅତି ଜୋରରେ ଫୁଟିଲା, ସେତେବେଳେ ତାଳ ବେତାଳ ହୋଇଗଲା । ତାହା ଦେଖି ସଙ୍ଗୀତଜ୍ଞଙ୍କ ମନରେ ବଡ଼ ରାଗ ହେଲା । ସେ ଖଣ୍ଡେ କାଠ ଧରି ହାଣ୍ଡିରେ ଗୋଟାଏ ଶକତ ପାହାର ବସାଇଦେଲେ । ହାଣ୍ଡିଭାଙ୍ଗି ଚୂନା; ଗରମ ପାଣି ପଡ଼ି ତାଙ୍କ ଦେହଯାକ ଫୋଟକା ହୋଇଗଲା ।

 

ଜ୍ୟୋତିଷୀ ଆମ୍ୱ ତୋଳି ଆଣିବାକୁ ଗଛରେ ଚଢ଼ୁଥିଲେ । ସେ ଅଧାବାଟ ଯାଇଛନ୍ତି, ଝିଟିପିଟି ଡାକ ଦେଲା—ଟିକ୍‌, ଟିକ୍‌, ଟିକ୍‌ । ଜ୍ୟୋତିଷୀ ଭାବିଲେ ଝିଟିପିଟି ବୋବାଇବା ଅଶୁଭ ଲକ୍ଷଣ, ଆଉ ଉପରକୁ ଉଠିବି ନାହିଁ, ଯାଉଛି ତଳକୁ ଓହ୍ଲାଇ ଯିବି ।

 

ସେ ତଳକୁ ଖସିବାକୁ ଗୋଡ଼ ବଢ଼ାଉଛନ୍ତି, ପୁଣି ଥରେ ଝିଟିପିଟି ଶବ୍ଦ ଶୁଣିଲେ—ଟିକ୍‌ ଟିକ୍‌ ଟିକ୍‌ । ସେତେବେଳେ ପୁଣି ଭାବିଲେ, ତଳକୁ ଓହ୍ଲାଇ ଯିବାହିଁ ଅଶୁଭ ।

 

ଏହା ଭାବି ସେ ସେହିଠାରେ ଗଛ ଅଧରେ ବସି ରହିଲେ—ଉପରକୁ ଗଲେ ନାହିଁ କି ତଳକୁ ଆସିଲେ ନାହିଁ ।

 

କବିରାଜେ ପନିପରିବା କିଣିବା ପାଇଁ ବଜାରକୁ ଯାଇଥିଲେ । ସେ ସେଠାରେ ଯେଉଁ ପରିବା ଦେଖିଲେ, ତାକୁ ନାପସନ୍ଦ କଲେ । ସବୁ ଗୁଡ଼ାକ ଦେହ ପ୍ରତି ଅହିତକର । ବାଇଗଣ ବାୟୁବର୍ଦ୍ଧକ, ପେଟରେ ବାୟୁ ବଢ଼ାଏ; କଦଳୀ ତ କୋଷ୍ଠକାଠିନ୍ୟ କରେ—ଝାଡ଼ା ସଫା ହୁଏ ନାହିଁ, ଆଳୁଗୁଡ଼ାକ ଅମକାରକ, ଭେଣ୍ଡି ଗୁରୁପାକ, ଜହ୍ନି ଗ୍ରହଣୀ ରୋଗ କରାଏ, କଖାରୁ ପିତ୍ତକାରକ ।

 

ତେଣୁ ସେ ଆଉ କି ପରିବା ଆଣିବେ ? ଖାଲି ହାତରେ ଫେରି ଆସିଲେ ।

 

ନୈୟାୟିକ ଗୋଟିଏ ପାତ୍ରରେ ଘିଅ ଧରି ଫେରୁଥିଲେ । ବାଟରେ ନ୍ୟାୟଶାସ୍ତ୍ର ମନରେ ପଡ଼ିଗଲା । ସେ ଭାବିଲେ, ଘୃତାଧାର ପାତ୍ର କି ପାତ୍ରାଧାର ଘୃତ ? ମନରେ ଯେତେବେଳେ ସନ୍ଦେହ ହେଲା, ତାହା ତ ପରୀକ୍ଷା କରି ଦେଖିବା ଦରକାର । ପ୍ରତ୍ୟକ୍ଷ ପ୍ରମାଣ ନ ପାଇଲେ କୌଣସି କଥା ସିଦ୍ଧାନ୍ତ କରାଯାଇ ନ ପାରେ । ତେଣୁ ସେ ଘିଅପାତ୍ରଟିକୁ ତଳମୁହାଁ କରିଦେଲେ । ଘିଅତକ ତଳେ ଢାଳି ହୋଇଗଲା । ପଣ୍ଡିତେ ଠିକ୍‌ ପ୍ରମାଣ ପାଇ ଖୁସି—ଘୃତାଧାର ପାତ୍ର । ଖାଲି ପାତ୍ରଟି ଧରି ସେ ଅତିଥିଶାଳାକୁ ଫେରିଲେ ।

 

ବୈୟାକରଣ ଗଉଡ଼ଘରକୁ ଯାଇଥିଲେ ଦୁଧ ପାଇଁ । ସେତେବେଳେ ଗଉଡ଼ ଗାଈ ଦୁହୁଁଥିଲା । ସେ ଗାଈ ଟିକିଏ ତରକା । ପଣ୍ଡିତେ ପାଖରେ ପହଞ୍ଚି ଯିବାରୁ ଗାଈଟି ପଛ ଦୁଇ ଗୋଡ଼ ଟେକି ନାତ ମାଇଲା । ଗଉଡ଼ ତା ପିଠିରେ ଗୋଟିଏ ଚାପୁଡ଼ା ବସାଇଦେଇ କହିଲା, ‘‘ଦୁଷ୍ଟ ଗାଈ ।’’

 

ପଣ୍ଡିତେ ସଙ୍ଗେ ସଙ୍ଗେ ବଡ଼ ପାଟିରେ କହି ଉଠିଲେ, ‘‘ଭୁଲ ହେଲା, ଦୁଷ୍ଟ ଗାଈ ନୁହେଁ, ଦୁଷ୍ଟା ଗାଈ, ଗାଈ ସ୍ତ୍ରୀଲିଙ୍ଗ ।

 

ପଣ୍ଡିତଙ୍କ ପାଟିରୁ କଥା ସରି ନାହିଁ, ଗାଈ ଶବ୍ଦ ଶୁଣି ଚାରି ଗୋଡ଼ ଟେକି କୁଦିହେଲା । ଗଉଡ଼ ଉଠିଆସି ପଣ୍ଡିତଙ୍କ ଗାଲରେ ଠାଇକରି ଗୋଟାଏ ଚଟକଣା ବସାଇଦେଲା । ପଣ୍ଡିତେ ଆଉ ଦୁଧ ଆଣିବେ କଅଣ ? କାନମୁଣ୍ଡ ଆଉଁସି ଆଉଁସି ଅତିଥିଶାଳାକୁ ଫେରିଲେ ।

 

ଭୋକଉପାସରେ ରାତିଟି କଟିଗଲା । ପରଦିନ ମନ୍ତ୍ରୀ ରାଜାଙ୍କୁ ସଙ୍ଗରେ ଧରି ଆସି ସେଠାରେ ପହଞ୍ଚିଲେ । ରାଜା ଦେଖିଲେ, ପଣ୍ଡିତମାନେ ଭୋକଉପାସରେ ପଡ଼ିଛନ୍ତି । ସଙ୍ଗୀତଜ୍ଞଙ୍କ ଦେହ ସିଝିଯାଇଛି । ଜ୍ୟୋତିଷୀ ଗଛ ଅଧରେ—ବୈୟାକରଣଙ୍କ ଗାଲ ଫୁଲିଛି ।

 

ସବୁ କଥା ଶୁଣି ରାଜାଙ୍କ ମନରେ ଦୁଃଖ ହେଲା । ସେ ରୋଷାଇ କରାଇ ସେମାନଙ୍କୁ ମନବୋଧ କରି ଖାଇବାକୁ ଦେଲେ । ତା ପରେ କହିଲେ, ‘‘ଖାଲି ବହିପାଠରେ ଧୁରନ୍ଧର ହେଲେ ଲୋକ ପଣ୍ଡିତ ହୁଏ ନାହିଁ; ହାତପାଠରେ ଧୁରନ୍ଧର ହେବା ଦରକାର । ତୁମେ ହାତପାଠ କିଛି ଜାଣ ନାହିଁ; ତେଣୁ ତୁମକୁ ପୁରସ୍କାର ଦିଆଯିବ ନାହିଁ ।’’

Image

 

ଜ୍ଞାନ ଓ ଧନ

 

ଜ୍ଞାନ ଆଉ ଧନ—କେଉଁ ଅଜଣା ରାଇଜକୁ ଚାଲି ଚାଲି ଯାଉଥିଲେ । ବାଟରେ ନାନା ପ୍ରକାର କଥାବାର୍ତ୍ତା ହେଉଥାନ୍ତି ।

ହଠାତ୍‌ ଧନ କହି ଉଠିଲା, ‘‘ଆମ ଦୁହିଙ୍କ ଭିତରେ ବଡ଼ କିଏ, ମୁଁ ନା ତୁମେ ?’’

ଜ୍ଞାନ କହିଲା, ‘‘ମୁଁ ବଡ଼ ।’’

ଧନ କହିଲା, ‘‘ନା, ମୁଁ ବଡ଼ । ଦୁନିଆରେ ମୋତେ ସମସ୍ତେ ଲୋଡ଼ନ୍ତି । ମୁଁ ପାଖରେ ଥିଲେ, ସେମାନଙ୍କର କାହାରିକୁ ଡର ଭୟ ନ ଥାଏ ।’’

ଜ୍ଞାନ ଏଥିରେ ସମ୍ମତ ହେଲା ନାହିଁ ।

ସେ ରାଜ୍ୟରେ ଚୋର ଉପଦ୍ରବ ବହୁତ ବଢ଼ି ଯାଇଥାଏ । ରାଜା ଚୋର ଧରିବାକୁ ନିଜେ ରାତିରେ ସାଧାରଣ ବେଶରେ ବୁଲୁ ଥାଆନ୍ତି । ଗୋଟିଏ ସ୍ଥାନରେ ଗୋଳମାଳ ଶୁଣି ରାଜା ସେଠାକୁ ଗଲେ । ଲୋକମାନେ ଦେଖିଲେ, ଜଣେ କେହି ତାଙ୍କ ପାଖକୁ ଆସୁଛି । ସେମାନେ ଭାବିଲେ, ଚୋର । ରାଜାଙ୍କୁ ନିସ୍ତୁକ ମାଡ଼ ଦେଲେ, ତାଙ୍କ ଗୋଡ଼ ଭାଙ୍ଗି ଦେଲେ । ରାଜା ସେହିଠାରେ ପଡ଼ି ଛଟପଟ ହେଉଥାନ୍ତି ।

ଜ୍ଞାନ ଓ ଧନ ଆସି ତାଙ୍କ ନିକଟରେ ପହଞ୍ଚିଲେ । ରାଜାଙ୍କଠାରୁ ସବୁ କଥା ଶୁଣି ଧନ ଆଗଭର ହୋଇ ପଚାରିଲା, ‘‘ତୁମେ ତ ରାଜା । କହିଲ ଭଲା, ଆମ ଦୁହିଙ୍କ ଭିତରେ ବଡ଼ କିଏ ?’’

ରାଜା କହିଲେ, ‘‘ଦୁହେଁଯାକ ।’’

 

‘‘ଏହା କିପରି ହେବ ?’’ —ଉଭୟେ ଆପତ୍ତି କରି ଉଠିଲେ । ଧନ କହିଲା, ‘‘ଆସ ଆମ ଭିତରୁ ଯେ ରାଜାଙ୍କ ଭଙ୍ଗା ଗୋଡ଼ ସଜାଡ଼ି ଦେବ, ସେ ହେବ ବଡ଼ ।’’

 

ଏହା କହି ସେ ସୁନା ରୂପାର ଖୋଳ ଆଣି ଗୋଡ଼ରେ ଲଗାଇଦେଲା । ସେଥିରେ ଗୋଡ଼ ତ ଭଲ ହେଲା ନାହିଁ, ବରଂ ରାଜାଙ୍କୁ ବେଶି କଷ୍ଟ ଦେଲା । ରାଜା ଯନ୍ତ୍ରଣାରେ ପାଟି କରି ଉଠିଲେ ।

 

ଜ୍ଞାନ ବଣଭିତରୁ କେତେ ପ୍ରକାର ପତ୍ର ଓ ମୂଳ ସଂଗ୍ରହ କରି ଆଣିଲା । ତାକୁ ରାଜାଙ୍କ ଗୋଡ଼ରେ ବାନ୍ଧିଦେଲା । ଭଙ୍ଗା ସ୍ଥାନ ଯୋଡ଼ି ହୋଇଗଲା, ଘା ଶୁଖିଗଲା । ରାଜା ଭଲ ହୋଇ ନିଜ ନଅରକୁ ଚାଲିଗଲେ ।

 

ଜ୍ଞାନ ପଚାରିଲା, ‘‘ଏବେ ଦେଖିଲ ତ କିଏ ବଡ଼ ?’’

 

ଧନ କହିଲା, ‘‘ନା ଏଇ ଗୋଟିକ ପରୀକ୍ଷାରେ ହେବ ନାହିଁ । ଆଉ ପରୀକ୍ଷା ଦରକାର-।’’

 

ସେମାନେ ସେଠାରୁ ଯାଉ ଯାଉ ଗରିବ ଚଷା ପିଲାଟିକୁ ଦେଖିଲେ । ଧନ କହିଲା, ‘‘ଏହାକୁ ମୁଁ ରାଜକନ୍ୟା ସହିତ ବିବାହ କରାଇଦେବି । ରାଜକନ୍ୟା ଏହାକୁ ଭାରି ସୁଖ ପାଇବ, ଆଦର କରିବ ।’’

 

ଜ୍ଞାନ କହିଲା, ‘‘ହଉ, କଣ କରୁଚ କର ।’’

 

ଚଷା ପିଲାଟି ନିଜ କିଆରୀରେ ଗହମ କରିଥିଲା । ଧନ ତା ପ୍ରତି ପ୍ରସନ୍ନ ହେଲା । ଗଛରେ ଯେଉଁ ଫଳ ଫଳିଲା; ତାହା ହେଲା ସୁନାର ଗହମ । ଚଷା ପିଲାଟି ଅଳ୍ପ ଦିନ ଭିତରେ ଖୁବ୍‌ ଧନୀ ହୋଇଗଲା । ତାହାର ଏତେ ଧନ ସମ୍ପତ୍ତି ହେଲା ଯେ, ସେ ରାଜାଙ୍କ ଅପେକ୍ଷା ଧନୀ ହେଲା-। ରାଜା ତା ସହିତ ନିଜ କନ୍ୟାକୁ ବିବାହ କରିଦେଲେ । ଚଷାପିଲା ଆସି ରାଜଭବନରେ ରହିଲା-

 

କାହିଁ ଗ୍ରାମର କୁଡ଼ିଆଘର, କାହିଁ ରାଜପ୍ରାସାଦ । ଚଷା ପିଲାଟିର ସେହି କୁଡ଼ିଆ ଘର ହିଁ ଭଲ । ଏ ଆଡ଼ମ୍ୱରପୂର୍ଣ୍ଣ ନବର ତାକୁ ଖୁସି କରିପାରିଲା ନାହିଁ । ଏଠାରେ ରହି ତା ମନ ଛନ୍ନ ଛନ୍ନ ହେଲା । ସେ ନିଜ କୁଡ଼ିଆକୁ ଫେରି ଯିବାକୁ ଚାହିଁଲା ।

 

ଏଣେ ରାଜକନ୍ୟା ଆଦର କରିବ କଅଣ; ଏପରି ଗୋଟାଏ ମୂର୍ଖ ଚଷା ପିଲାକୁ ସ୍ୱାମୀରୂପେ ପାଇ ରାତିଦିନ କାନ୍ଦିବାକୁ ଲାଗିଲା । ବର କି କନ୍ୟା—କାହାରି ମନରେ ସୁଖ ନାହିଁ ।

 

ଜ୍ଞାନ ଧନକୁ ଚାହିଁ କହିଲା, ‘‘ଦେଖିଲ ତ, ତୁ ବିବାହ କରାଇ ଦେଲୁ ସିନା; କିନ୍ତୁ କେହି କାହାକୁ ଆଦର କରୁ ନାହାନ୍ତି । ଏଣେ ରାଜା ମଧ୍ୟ ପିଲାଟିକୁ ବିଦ୍ୟା ବୁଦ୍ଧି ନ ଥିବାରୁ ତାକୁ ରାଜଦରବାରକୁ ଡାକୁ ନାହାନ୍ତି । ଏ ଅଶାନ୍ତି ଦୂର କରିପାରିବି ଏକା ମୁଁ ।’’

 

ଜ୍ଞାନ ସେ ବାଳକର ଅନ୍ତରରେ ପ୍ରବେଶ କଲା । ତା ଫଳରେ ପିଲାଟି ଅଳ୍ପଦିନ ମଧ୍ୟରେ ଚତୁର ବୁଦ୍ଧିମାନ୍‌ ହୋଇ ଉଠିଲା । ରାଜକନ୍ୟା ଓ ରାଜା ତାର କଥାବାର୍ତ୍ତା, ଚାଲିଚଳନ ଓ ରୀତିନୀତି ଦେଖି ସନ୍ତୁଷ୍ଟ ହେଲେ । ରାଜା ତାକୁ ଦରବାରରୁ ନେଇ ରାଜକାର୍ଯ୍ୟରେ ନିଯୁକ୍ତି ଦେଲେ ।

 

ଚାଷୀ ପିଲାଟି ନିଜର ବୁଦ୍ଧି ଓ ବିଚାରଶକ୍ତି ବଳରେ ଅଳ୍ପ ଦିନ ମଧ୍ୟରେ ରାଜ୍ୟର ଜଣେ ଶ୍ରେଷ୍ଠ ପୁରୁଷ ହୋଇଉଠିଲା । ଏହା କେବଳ ଜ୍ଞାନଲାଗି ସମ୍ଭବ ହେଲା । ଏଥିରେ ଧନ ମନରେ ବଡ଼ ଈର୍ଷା ଜାତ ହେଲା । ସେ ଚାଷୀ ପିଲାଟିକୁ କିପରି ରାଜ୍ୟରୁ ତଡ଼ି ଦେବ ବା ତାର ଅନିଷ୍ଟ ସାଧନ କରିବ, ସେହି ଚିନ୍ତା କରିବାକୁ ଲାଗିଲା ।

 

ସେ ମନ୍ତ୍ରୀଙ୍କୁ ପ୍ରଚୁର ସୁନା ରୂପା ଦେଇ ତାଙ୍କୁ ବଶ କରାଇନେଲା ।

 

ଧନ ପ୍ରବର୍ତ୍ତନାରେ ପଡ଼ି ମନ୍ତ୍ରୀ ପିଲାଟି ବିରୋଧରେ ରାଜାଙ୍କ ଆଗରେ ବହୁତ ମିଛ କଥା କହିଲେ ଏବଂ ତୁରନ୍ତ ପ୍ରତିକାର ନ କଲେ ରାଜାଙ୍କର ଯେ ପ୍ରାଣବିନାଶର ଆଶଙ୍କା ଅଛି, ଏହା ସୂଚନା ଦେଲେ ।

 

ରାଜା କହିଲେ, ‘‘ପିଲାଟିକୁ ଦଣ୍ଡ ଦିଆଯିବ କିପରି ? ସେଥିପାଇଁ ତ ଗୋଟାଏ କିଛି କାରଣ ଥିବା ଦରକାର ।’’

 

ମନ୍ଦକାର୍ଯ୍ୟ ପାଇଁ ଖଳବୁଦ୍ଧି ସଂପନ୍ନ ଲୋକ ପାଖରେ କାରଣର ଅଭାବ ରହେ ନାହିଁ । ମନ୍ତ୍ରୀଙ୍କ ପରାମର୍ଶରେ ରାଜା ଚାଷୀ ପିଲାଟିକୁ ପାଖକୁ ଡକାଇଲେ । ତାକୁ ଗୋଟାଏ ଅସମ୍ଭବ କାର୍ଯ୍ୟ ସାଧନ ଲାଗି ନିର୍ଦ୍ଦେଶ ଦେଲେ । କହିଲେ, ‘‘ବୁଢ଼ିଆଣୀ ସୂତାରେ ତିଆରି କେତେ ଖଣ୍ଡି ଲୁଗା ମୋର ଦରକାର । ସପ୍ତାହକ ମଧ୍ୟରେ ତାହା କୌଣସିମତେ ସଂଗ୍ରହ କରିଆଣି ମୋତେ ଦିଅ । ଏ କାର୍ଯ୍ୟକରି ନ ପାରିଲେ ତୁମକୁ ମୋ ରାଜ୍ୟ ଛାଡ଼ି ଚାଲିଯିବାକୁ ବାଧ୍ୟ କରାଯିବ ।

 

କୃଷକ ପିଲାଟି ସଙ୍ଗେ ସଙ୍ଗେ ଉତ୍ତର ଦେଲା, ‘‘ମହାରାଜ, ବୁଢ଼ିଆଣୀ ସୂତା ତିଆରି ଲୁଗା ସଂଗ୍ରହ କରି ଆଣିବା ଅସମ୍ଭବ ନୁହେଁ । ସପ୍ତାହେ କାହିଁକି, ଦୁଇ ଦିନରେ ମୁଁ ଆଣି ତାହା ଯୋଗାଇ ପାରିବି । ମାତ୍ର ତା ପୂର୍ବରୁ ମୋର ଗୋଟିଏ ଜିନିଷ ଦରକାର । ଫୁଙ୍କି ଫୁଙ୍କି ଗୋଟିଏ ବଡ଼ ମାଠିଆକୁ ବାୟୁପୂର୍ଣ୍ଣ କରିବାକୁ ପଡ଼ିବ । ସେହି ମାଠିଆର ବାୟୁରେ ସେ ଲୁଗା ଧୂଆଗଲେ, ତାହା ମଜଭୁତ ହେବ ଓ ସମସ୍ତଙ୍କ ଆଖିକୁ ଦେଖାଯିବ । ଆପଣ ତ ଦେଶର ରାଜା, ନିଜେ ଫୁଙ୍କି ମାଠିଆ ବାୟୁପୂର୍ଣ୍ଣ କରିବାକୁ ମୁଁ କହିପାରିବି ନାହିଁ । ମୋର ଅନୁରୋଧ, ଏଥିପାଇଁ ଆପଣ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଅନ୍ତୁ । ସେ ଫୁଙ୍କି ଫୁଙ୍କି ଗୋଟିଏ ମାଠିଆ ବାୟୁପୂର୍ଣ୍ଣ କରନ୍ତୁ ଓ ତାହା ମୋତେ ଦିଅନ୍ତୁ ।’’

 

ଏହା ଶୁଣି ମନ୍ତ୍ରୀ ପ୍ରମାଦ ଗଣିଲେ । ସେ ଭୀତତ୍ରସ୍ତ ହୋଇ କହିଲେ, ‘‘ଏହା ଅସମ୍ଭବ ।’’

 

କୃଷକପିଲା ଉତ୍ତର ଦେଲା, ‘‘ଏହା ଯଦି ଅସମ୍ଭବ, ତେବେ ବୁଢ଼ିଆଣୀ ସୂତାରେ ଲୁଗା ବୁଣିବା କିପରି ସମ୍ଭବ ହେବ ?’’

 

ରାଜା କୃଷକପିଲାର ଏ ଉତ୍ତରରେ ସନ୍ତୁଷ୍ଟ ହେଲେ । ମନ୍ତ୍ରୀ ଯେ ଅକାରଣରେ ତାହାର ସର୍ବନାଶ କରିବାକୁ ପ୍ରବର୍ତ୍ତାଉ ଥିଲେ, ରାଜା ତାହା ବୁଝିପାରିଲେ । ସେ ରାଜ୍ୟରୁ କୃଷକପିଲାକୁ ତଡ଼ି ଦେବେ କଅଣ, ମନ୍ତ୍ରୀଙ୍କୁ ହିଁ ତଡ଼ିଦେଲେ । ତାଙ୍କ ସ୍ଥାନରେ କୃଷକପିଲାକୁ ମନ୍ତ୍ରୀପଦ ପ୍ରଦାନ କଲେ ।

 

ସେତେବେଳେ ଜ୍ଞାନ ଧନକୁ ପଚାରିଲା, ‘‘ଏଠାରେ କିଏ ବିଜୟ ହାସଲ କଲା ?’’

 

ଧନ ଲଜ୍ଜାରେ ତଳକୁ ମୁହଁ ପୋତି ଉତ୍ତର ଦେଲା, ‘‘ବାସ୍ତବିକ୍‌ ତୁ ବିଜୟୀ । ମୁଁ ସବୁ ପ୍ରକାର ଅସାଧ୍ୟ ସାଧନ କରିପାରିବି—ଏହି ଗର୍ବ ଏପର୍ଯ୍ୟନ୍ତ ମୋ ମନରେ ରହିଥିଲା । ମାତ୍ର ଏ ସବୁ ଘଟଣାରୁ ମୋର ଦୃଢ଼ ବିଶ୍ୱାସ ହେଲା, ଧନ ନୁହେଁ, ଜ୍ଞାନ ହିଁ ପ୍ରକୃତ ବଡ଼ ।’’

Image

 

ଆଲେକ୍‌ଜାଣ୍ଡର ଓ ଦସ୍ୟୁ

 

ଗ୍ରୀସ୍‌ ଦେଶର ମହାବୀର ରାଜା ଆଲେକ୍‌ଜାଣ୍ଡର ଦିଗ୍‌ବିଜୟରେ ବାହାରିଥିଲେ । ବହୁ ଦେଶର ରାଜାଙ୍କୁ ଯୁଦ୍ଧରେ ପରାସ୍ତ କରି ସେ ଦେଶସବୁ ନିଜ ଦଖଲକୁ ନେଇଗଲେ । ଶେଷକୁ ଭାରତବର୍ଷକୁ ମଧ୍ୟ ଆସି କେତେକ ଅଞ୍ଚଳ ଜୟ କରିଥିଲେ ।

 

Image

 

ଦିନେ ବୀର ଆଲେକ୍‌ଜାଣ୍ଡାର ଯୁଦ୍ଧରୁ ଫେରି ନିଜ ତମ୍ୱୁରେ ବିଶ୍ରାମ କରୁଥିଲେ । ସେହି ସମୟରେ ଜଣେ ବନ୍ଦୀଙ୍କୁ ସେଠାକୁ ଅଣାଗଲା । ବନ୍ଦୀଙ୍କ ହାତରେ ହାତକଡ଼ା ଲାଗିଥାଏ ଓ ଅଣ୍ଟାରେ ଦଉଡ଼ା ବନ୍ଧା ହୋଇଥାଏ । ବନ୍ଦୀ ଜଣେ ବିଖ୍ୟାତ ଦସ୍ୟୁ । ଆଲେକ୍‌ଜାଣ୍ଡାରଙ୍କ ବିଜିତ ରାଜ୍ୟ ମଧ୍ୟରେ ଡକାୟତି ଓ ଲୁଣ୍ଠନ କରୁଥିବାରୁ ତାଙ୍କୁ ଧରିଆଣିବା ଲାଗି ସୈନ୍ୟମାନଙ୍କୁ ଆଦେଶ ଦିଆଯାଇଥିଲା ।

 

ଦସ୍ୟୁକୁ ଚାହିଁ ଆଲେକ୍‌ଜାଣ୍ଡର କ୍ରୋଧରେ କହିଲେ, ‘‘ତୁମେ କଅଣ ସେହି ପ୍ରସିଦ୍ଧ ଦସ୍ୟୁ-? ତୁମ ସମ୍ପର୍କରେ ମୁଁ ଯେ ଅନେକ କଥା ଶୁଣିଛି ।’’

 

ବନ୍ଦୀ—ମୁଁ ଜଣେ ବୀର ଆଉ ସୈନିକ ।

 

ଆଲେକ୍‌ଜାଣ୍ଡାର—(ତାଚ୍ଛଲ୍ୟରେ) ବୀର । ସୈନିକ । ଗୋଟିଏ ଦସ୍ୟୁ ଡକାୟତ, ନରହନ୍ତା, ପାପୀ । ତୁମେ ଦେଶର କଳଙ୍କ । ତୁମ ସାହସ ଦେଖି ମୁଁ ଅବଶ୍ୟ ପ୍ରଶଂସା କରୁଛି; ମାତ୍ର ତୁମର ଦୋଷ ଲାଗି ତୁମେ ଉପଯୁକ୍ତ ଦଣ୍ଡ ପାଇବ ।

 

ବନ୍ଦୀ—ମୁଁ ଏପରି କଅଣ କରିଛି ଯେ ତୁମର ଏତେ ଦୂର ଘୃଣ୍ୟ ହୋଇଛି ?

 

ଆଲେକ୍‌ଜାଣ୍ଡାର—ତୁମେ କଅଣ ନ କରିଛ ? ତୁମେ ମୋ ରାଜ୍ୟରେ ବିଶୃଙ୍ଖଳା ସୃଷ୍ଟି କରି ନାହଁ ? ତୁମେ କଅଣ ଲୋକଙ୍କ ମଧ୍ୟରେ ଅଶାନ୍ତି ବଢ଼ାଇ ନାହଁ ? ତୁମେ ନିରୀହ ଲୋକମାନଙ୍କୁ ହତ୍ୟା କରିଛ, ସେମାନଙ୍କ ଧନସମ୍ପତ୍ତି ଲୁଟି ନେଇଛ ।

 

ବନ୍ଦୀ—ଆଲେକ୍‌ଜାଣ୍ଡର ! ମୁଁ ବର୍ତ୍ତମାନ ତୁମର ବନ୍ଦୀ । ତୁମେ ଯାହା କହିଯିବ, ତାହା ଅବଶ୍ୟ ମୋତେ ଶୁଣିବାକୁ ହେବ, ନ ଶୁଣି ଉପାୟ ନାହିଁ । ମାତ୍ର ମୋର ଆତ୍ମା ଅଜେୟ । ଯଦି ମୋତେ ତୁମ ଅଭିଯୋଗଗୁଡ଼ିକର ଉତ୍ତର ଦେବାକୁ ହେବ, ତେବେ ସ୍ୱାଧୀନ ଭାବରେ ମୁଁ ସେ ଉତ୍ତର ଦେବି, ତୁମର ବନ୍ଦୀ ରୂପରେ ନୁହେ ।

 

ଆଲେକ୍‌ଜାଣ୍ଡର—ମୁଁ କାପୁରୁଷ ନୁହେଁ । ତୁମର ଯାହା କହିବାର ଅଛି; ତୁମେ ତାହା ନିର୍ଭୀକ ଚିତ୍ତରେ କହିଯାଅ ।

 

ବନ୍ଦୀ—ତେବେ ମୁଁ ତୁମ ପ୍ରଶ୍ନର ଉତ୍ତର ଭିନ୍ନ ଭାବରେ ଦେଉଅଛି । ଆଚ୍ଛା କହିଲ, ତୁମେ ତୁମ ଜୀବନ କିପରି କଟାଉଛ ?

 

ଆଲେକ୍‌ଜାଣ୍ଡର—ମୋ ଜୀବନ ? ମୋ ଜୀବନ ମୁଁ କଟାଉଛି ବୀର ପରି । ମୋର ଯଶୋରାଶି ଚାରିଆଡ଼େ ଖେଳି ବୁଲୁଛି । ସାହାସୀମାନଙ୍କ ଭିତରେ ମୁଁ ଶ୍ରେଷ୍ଠ, ରାଜାମାନଙ୍କ ମଧ୍ୟରେ ମୁଁ ପ୍ରଧାନ, ବିଜେତାମାନଙ୍କ ମଧ୍ୟରେ ମୁଁ ଅଗ୍ରଗଣ୍ୟ ।

 

ବନ୍ଦୀ—ମୋ ଯଶସବୁ କଅଣ ମୋ ବିଷୟରେ ଏକା ବେଳକେ ନୀରବ ରହିବେ ? ମୋ ପରି ବୀର ଆଉ କେହି ଅଛି କି ? କେହି କଅଣ ସାହାସୀ ଅଛି ? ଏକାକୀ ମୋତେ ଧରିବା ପାଇଁ ତୁମର କେତେ ସୈନ୍ୟ ନିଯୁକ୍ତ ହୋଇଥିଲେ, ତାହା ତ ତୁମେ ଜାଣ ।

 

ଆଲେକ୍‌ଜାଣ୍ଡର—ତଥାପି ତୁମେ ଜଣେ ଛାର ଦସ୍ୟୁ, ନରହନ୍ତା, ଦେଶଦ୍ରୋହୀ ।

 

ବନ୍ଦୀ—ତେବେ ଯେ ଦେଶ ଜୟ କରେ, ସେ କଅଣ ? ତୁମେ କଅଣ ଗୋଟାଏ ସଇତାନ ପରି ଏ ଦେଶରୁ ସେ ଦେଶକୁ ଘୂରି ବୁଲୁ ନାହଁ ? ଦେଶର ଗାଁ ଗଣ୍ଡା, ଘରଦ୍ୱାର, ଫସଲବାଡ଼ି ପୋଡ଼ି ଧ୍ୱଂସ କରି ଦେଉ ନାହିଁ ? ଲୋକଙ୍କ ଭିତରେ ଅଶାନ୍ତି ଖେଳାଇ ଦେଉ ନାହିଁ ? ଲୁଣ୍ଠନ, ପ୍ରତିଶୋଧ, ହତ୍ୟାବିନା ବିଚାରରେ ତୁମେ ଏହା କର କାହିଁକି ? କେବଳ ଜଣେ ଲୋକରଖ୍ୟାତି ପାଇଁ ତୁମେ ହଜାର ହଜାର ଲୋକ ବଳି ଦେଉଛ । ମୁଁ ସାମାନ୍ୟ ଗୋଟିଏ ଅଞ୍ଚଳରେ ଯାହା କରିଛି, ତୁମେ ଦେଶ ବିଦେଶ ଚତୁର୍ଦ୍ଦିଗରେ ବୁଲି ସେହି ପାପ କରୁଛ । ମୁଁ କୌଣସି ଧନୀ ଲୋକର ଧନ ଲୁଣ୍ଠନ କରିଥାଏ; ତୁମେ ତ ବହୁ ରାଜା, ରାଜପୁତ୍ରଙ୍କର ସର୍ବନାଶ କରିଛ । ମୁଁ ଅବା ସାମାନ୍ୟ କେତେକ ଘର ପୋଡ଼ି ଦେଇଥିବି; ମାତ୍ର ତୁମେ ଯେ ବହୁ ସମୃଦ୍ଧିଶାଳୀ ରାଜ୍ୟ, ବହୁ ଗାଁ ଗଣ୍ଡା, ବହୁ ସହର ନଗର ପୋଡ଼ି ଧ୍ୱଂସ କରିଦେଇଛ । ତାହା ହେଲେ ‘ତୁମେ’ ଆଉ ‘ମୁଁ’—ପ୍ରଭେଦ କଅଣ ? ଏତିକି—ତୁମେ ଗୋଟାଏ ରାଜ ବଂଶରେ ଜନ୍ମିଛ, ମୋର ସାଧାରଣ ଲୋକ ଘରେ ଜନ୍ମ । ସେଇଥିଲାଗି ତୁମେ ଯେଉଁ କାର୍ଯ୍ୟ କରି ଦିଗ୍‌ବିଜୟୀ ବୀର, ମୁଁ ସେହି କାର୍ଯ୍ୟ କରି ଘୃଣ୍ୟ ଦସ୍ୟୁ । ତୁମେ କଅଣ ମୋଠାରୁ ବଳି ବଡ଼ ଦସ୍ୟୁ ନୁହଁ ?

 

ଆଲେକ୍‌ଜାଣ୍ଡର୍‌—ରାଜା ଭାବରେ ମୁଁ ଯାହା ନେଇଛି, ତାହା ସେହିପରି ଅନ୍ୟକୁ ଦେଇଦେଇଛି । ଦେଶ ମୋଦ୍ୱାରା ଯେତିକି କ୍ଷତିଗ୍ରସ୍ତ ହୋଇଛି, ତା ଅପେକ୍ଷା ବେଶି ଲାଭବାନ୍‌ ହୋଇଛି । ଦେଶରେ ଶିକ୍ଷା ସଂସ୍କୃତିର ବୃଦ୍ଧି ଓ ସୁଶାସନର ବ୍ୟବସ୍ଥା ମୁଁ କରିଛି ।

 

ବନ୍ଦୀ—ମୁଁ ମଧ୍ୟ ମୋ ଶକ୍ତି ଅନୁସାରେ ତାହା କରିଛି । ମୁଁ ଯାହା ଧନୀ ଲୋକଙ୍କ ଗନ୍ତାଘରୁ ଲୁଣ୍ଠନ କରି ନେଇଛି, ତାହା ଖାଇବାକୁ, ପିନ୍ଧିବାକୁ ପାଉ ନ ଥିବା ଦରିଦ୍ର ଲୋକଙ୍କ ମଧ୍ୟରେ ବାଣ୍ଟି ଦେଇଛି । ଧନୀ ଲୋକଙ୍କ ଅତ୍ୟାଚାରରେ ଯେଉଁମାନେ ବ୍ୟତିବ୍ୟସ୍ତ ହୋଇ ପଡ଼ୁଥିଲେ, ସେମାନଙ୍କ ମଧ୍ୟରେ ମୁଁ ଶାନ୍ତି ଆଣିଛି । ଅତ୍ୟାଚାରୀମାନଙ୍କୁ ମୋ ବାହୁବଳରେ ଜବତ କରିଛି । ତୁମ ଶିକ୍ଷା, ସଂସ୍କୃତି କଥା ଅବଶ୍ୟ ମୁଁ ବୁଝେ ନାହିଁ । ମାତ୍ର ମୋର ବିଶ୍ୱାସ, ତୁମେ ଏବଂ ମୁଁ–ଆମେ ଦୁନିଆରେ ଯେତେ ଯାହା କ୍ଷତି କରିଦେଇ ଯାଉଥାଇଁ ତାହାର ସାମାନ୍ୟ ଅଂଶ ବି କେବେ ପୂରଣ କରିପାରିବା ନାହିଁ ।

 

ଆଲେକ୍‌ଜାଣ୍ଡର—(କିଛି ସମୟ ଚିନ୍ତା କଲା ପରେ ସୈନ୍ୟମାନଙ୍କୁ ଚାହିଁ) ବନ୍ଦୀଙ୍କୁ ମୁକୁଳାଇ ଦିଅ, ତାଙ୍କ ପ୍ରତି ଭଦ୍ରୋଚିତ ବ୍ୟବହାର କର ।

 

(ବନ୍ଦୀ ମୁକ୍ତ ହୋଇ ଚାଲିଗଲା ପରେ)

 

ତେବେ ଆମେ ଦୁହେଁ କଅଣ ସମାନ ? ଦିଗ୍‌ବିଜୟୀ ବୀର ଆଲେକ୍‌ଜାଣ୍ଡାର ଆଉ ଦସ୍ୟୁ ? କଅଣ, ମୁଁ ତ କିଛି ଚିନ୍ତା କରିପାରୁ ନାହିଁ । ମୁଣ୍ଡ ଗୋଳମାଳିଆ ଧରିଯାଉଅଛି ।

 

(ଅନୁବାଦିତ)

Image